ଓଡିଆନ୍ ନ୍ୟୁଜ

120

ଜିଲା ବିଜେପି କମିଟିରୁ ବିଜୟ ମହାପାତ୍ର ନିଲମ୍ବିତ

Team Odian News |

ଜିଲା ବିଜେପି କମିଟିରୁ ବିଜୟ ମହାପାତ୍ର ନିଲମ୍ବିତ
ଭୁବନେଶ୍ୱର,୨୨/୧୨( ଓଡ଼ିଆନ୍‍ ନ୍ୟୁଜ୍‍ ): କେନ୍ଦ୍ରାପଡ଼ା ଜିଲା ବିଜେପି କମିଟିରୁ ବରିଷ୍ଠ ନେତା ବିଜୟ ମହାପାତ୍ରଙ୍କୁ ନିଲମ୍ବିତ କରାଯାଇଛି । ବିଶୃଙ୍ଖଳିତ ଆଚରଣ ଓ ଦଳ ବିରୋଧୀ କାର୍ୟ୍ୟ ପାଇଁ ତାଙ୍କୁ ଜିଲା ସ୍ୱତନ୍ତ୍ର ନିମନ୍ତ୍ରିତ ସଦସ୍ୟ ପଦରୁ ବହିଷ୍କାର କରାଯାଇଛି ବୋଲି କେନ୍ଦ୍ରାପଡ଼ା ଜିଲା ବିଜେପି ସଭାପତି ଦୁର୍ୟ୍ୟଧନ ସାହୁ ସୂଚନା ଦେଇଛନ୍ତି । ବିଜୟ ମହାପାତ୍ରଙ୍କୁ ଦଳର ପ୍ରାଥମିକ ସଦସ୍ୟତା ପଦରୁ ନିଲମ୍ବନ କରିବା ପାଇଁ ରାଜ୍ୟସ୍ତରୀୟ ନେତା ଓ ପଦାଧିକାରୀଙ୍କୁ ଅବଗତ କରାଯାଇଛି ବୋଲି ଜିଲା ସଭାପତି ଶ୍ରୀ ସାହୁ ସୂଚନା ଦେଇଛନ୍ତି । ଗତକାଲି ପାଟକୁରା ଗରଦପୁରଠାରେ ବିଜେପି ପକ୍ଷରୁ ଆୟୋଜିତ ଏକ ମିଶ୍ରଣ ପର୍ବରେ ବିଜୟ ମହାପାତ୍ରଙ୍କୁ ଡକାଯାଇନଥିବାରୁ ତାଙ୍କ ସମର୍ଥକମାନେ ପାଟିତୁଣ୍ଡ କରିଥିଲେ । ଦଳରେ ମିଶ୍ରଣ ପାଇଁ ଆସିଥିବା ଲୋକଙ୍କୁ ବିରୋଧ କରି ଘଉଡ଼ାଇ ଦେଇଥିଲେ । ଏହାକୁ ନେଇ ଘଟଣାସ୍ଥଳରେ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଥିଲା ଓ ମିଶ୍ରଣ ପର୍ବ ବାଧାପ୍ରାପ୍ତ ହୋଇଥିଲା । ବିଜୟ ମହାପାତ୍ରଙ୍କ ଇଙ୍ଗିତରେ ତାଙ୍କ ସମର୍ଥକମାନେ ଏପରି କରିଥିବା ଅଭିଯୋଗ ହୋଇଥିଲା । ଠିକ୍‌ ଗୋଟିଏ ଦିନ ପରେ ତାଙ୍କୁ ଜିଲା ବିଜେପି କମିଟରୁ ନିଲମ୍ବନ କରାଯାଇଛି । ଅପରପକ୍ଷରେ ନିଲମ୍ବନକୁ ବିଜୟ ମହାପାତ୍ର ସ୍ୱାଗତ କରିଛନ୍ତି । ସେ କହିଛନ୍ତି ଯେ ଏହା ମୋ ପାଇଁ ଅପମାନଜନକ ନୁହେଁ । ମୋତେ ଦଳୀୟ ପଦବୀରୁ ବିହିଷ୍କୃତ କରିବା ଖୁସିର କଥା । ମୁଁ ଏହାକୁ ସ୍ୱାଗତ କରୁଛି । ଯଦି ମୁଁ ଗଲା ପରେ ଦଳ ଶକ୍ତିଶାଳ ହେବ, ଭଲ କଥା । ବିଜେପିରେ ମିଛ କହିବା, ଅପପ୍ରଚାର କରିବା ମୂଳଏଜେଣ୍ଡା ହୋଇଛି । ରାଜ୍ୟସ୍ତରୀୟ ନେତାମାନେ ତାଙ୍କ ବିରୋଧରେ ଷଡ଼ଯନ୍ତ୍ର କରୁଛନ୍ତି । ଲୋକଙ୍କ ସ୍ୱାର୍ଥ ପାଇଁ ଦଳ କାମ କରୁନାହିଁ । ବିଜୟ ମାପାତ୍ରଙ୍କ ବିରୋଧରେ ଚକ୍ରାନ୍ତ ଏବେ ଦଳର ମୁଖ୍ୟ କାମ ହୋଇଛି । ବହିଷ୍କାର ନେଇ ଦଳର କେଉଁ ନେତାଙ୍କ ସହ କଥାହେବାର ନାହିଁ । ଯେଉଁମାନେ ଏହି ବୁଦ୍ଧି ଦେଇଛନ୍ତି ସେମାନଙ୍କୁ ଧନ୍ୟବାଦ । ବିଜୟଙ୍କ କଡ଼ା ଜବାବ ପରେ ରାଜ୍ୟ ବିଜେପିରେ ହଟଚମଟ ସୃଷ୍ଟି ହୋଇଛି । କେନ୍ଦ୍ରାପଡ଼ା ବିଜେପିର କେତେକ କର୍ମକର୍ତ୍ତା ବିଜୟଙ୍କ ସମର୍ଥନରେ ବାହରୁଥିବାରୁ ଜିଲା ବିଜେପି ଦୁଇ ଫାଳ ହୋଇଯିବାର ଆଶଙ୍କା ସୃଷ୍ଟି ହୋଇଛି ।