ଓଡିଆନ୍ ନ୍ୟୁଜ

167

ଦେଶର ୧୦ ଶ୍ରେଷ୍ଠ ପ୍ରଶାସକ ତାଲିକାରେ ନୂଆପଡ଼ା ଜିଲାପାଳ

Team Odian News |

ଦେଶର ୧୦ ଶ୍ରେଷ୍ଠ ପ୍ରଶାସକ ତାଲିକାରେ ନୂଆପଡ଼ା ଜିଲାପାଳ
ଭୁବନେଶ୍ୱର,୨୫/୧୨( ଓଡ଼ିଆନ୍‍ ନ୍ୟୁଜ୍‍ ): କିଛିଦିନ ତଳେ ଲୋକଙ୍କ ସୁଖଦୁଃଖ ବୁଝିବାରୁ ୪ କିଲୋମିଟର ଚାଲିଚାଲି ପାହାଡ଼ ଉପରେ ପହଞ୍ଚିଥିବା ନୂଆପଡ଼ା ଜିଲାପାଳ ଡ଼. ପୋମା ଟୁଡ଼ୁ ଦେଶର ଶ୍ରେଷ୍ଠ ୧୦ ଜିଲାପାଳଙ୍କ ତାଲିକାରେ ସାମିଲ ହୋଇଛନ୍ତି । କେରଳ କ୍ୟାଡ଼ର ୨୦୦୭ ବ୍ୟାଚ୍‌ ଆଇଏଏସ୍‌ ପ୍ରଶାନ୍ତ ନାୟାର ଏହି ତାଲିକାରେ ଶ୍ରେଷ୍ଠ ସ୍ଥାନ ଅଧିକାର କରିଥିବାବେଳେ ନୂଆପଡ଼ା ଜିଲାପାଳ ଡ଼. ଟୁଡ଼ୁ ଦ୍ୱିତୀୟ ସ୍ଥାନରେ ରହିଛନ୍ତି। ଅନୁରୂପ ଭାବରେ ଏହି ତାଲିକାରେ ସୁରେନ୍ଦ୍ର କୁମାର ସୋଲାଙ୍କି, ମୀର ମହମ୍ମଦ ଅଲ୍ଲୀ, ପାରିକି ପାଣ୍ଡଲା ନରହରି, ଭାରତୀ ହୋଲିକେରୀ, ପି.ଏସ୍‌.ପ୍ରଦ୍ୟୁମ୍ନ, ସୌରଭ କୁମାର, ରୋନାଲ୍‌ଡ଼ ରୋଜେ, ରୋହିଣୀ ଭାଜିଭାକରେ ପ୍ରମୁଖ ରହିଛନ୍ତି। ବିଭିନ୍ନ କ୍ଷେତ୍ରରେ ନିଜ ପରିସରରେ ଶ୍ରେଷ୍ଠତ୍ୱ ପ୍ରଦର୍ଶନ କରିଥିବା ଯୁବ ଆଇଏଏସ୍‌ ଅଧିକାରୀଙ୍କୁ ନେଇ ଏହି ତାଲିକା ପ୍ରସ୍ତୁତ ହୋଇଛି। ଏହି ସଫଳତା ପାଇଁ ଜିଲାପାଳ ଡ଼. ଟୁଡ଼ୁଙ୍କୁ ନୂଆପଡ଼ାରେ ସମ୍ବର୍ଦ୍ଧିତ କରାଯାଇଛି। ଅତିରିକ୍ତ ଜିଲାପାଳ ତ୍ରିଲୋଚନ ମିଞ୍ଜଙ୍କ ଅଧ୍ୟକ୍ଷତାରେ ପିଡ଼ି ଡ଼ିଆର୍‌ଡ଼ିଏ ବୃଷଭ ଚନ୍ଦ୍ର ନାଏକ, ଉପ ଜିଲାପାଳ ଶରତ ଚନ୍ଦ୍ର ଶ୍ରୀଚନ୍ଦନ ପ୍ରମୁଖ ଯୋଗ ଦେଇଥିଲେ। ଜିଲାର ପ୍ରଥମ ମହିଳା ଜିଲାପାଳ ରୂପେ ଡ଼. ଟୁଡ଼ୁ ୪ କିଲୋମିଟର ପାହାଡ଼ ଚଢ଼ି ସମାଟପଦର ଗାଁରେ ପହଞ୍ଚିବା ଘଟଣା ବେଶ୍‌ ଚର୍ଚ୍ଚା ହୋଇଥିଲା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରମୁଖ ଡ଼. ଟୁଡ଼ୁଙ୍କୁ ଶୁଭେଚ୍ଛା ଜଣାଇଥିଲେ। ଏହି ଅବସରରେ ଡ଼. ଟୁଡ଼ୁ ଦେଶରେ ଅନ୍ୟତମ ଶ୍ରେଷ୍ଠ ପ୍ରଶାସକ ମାନ୍ୟତା ପାଇବା ଜିଲାବାସୀଙ୍କ ପାଇଁ ଅନ୍ୟତମ ଗୌରବ ବୋଲି ତଥ୍ୟାଭିଜ୍ଞ ମହଲରେ ମତ ପ୍ରକାଶ ପାଇଛି ।