ଓଡିଆନ୍ ନ୍ୟୁଜ

128

ଯାଦବଙ୍କ ମାଆ ଓ ପତ୍ନୀଙ୍କ ସହ ପାକିସ୍ତାନର ଦୁର୍ବ୍ୟବହାର କାଢିନେଲେ ମଙ୍ଗଳସୁତ୍ର-ଚୁଡ଼ି ଓ ବିନ୍ଦୀ

Team Odian News |

ଯାଦବଙ୍କ ମାଆ ଓ ପତ୍ନୀଙ୍କ ସହ ପାକିସ୍ତାନର ଦୁର୍ବ୍ୟବହାର
କାଢିନେଲେ ମଙ୍ଗଳସୁତ୍ର-ଚୁଡ଼ି ଓ ବିନ୍ଦୀ

ନୂଆଦିଲ୍ଲୀ ,୨୬/୧୨( ଓଡ଼ିଆନ୍‍ ନ୍ୟୁଜ୍‍ ): ପାକିସ୍ତାନ ଜେଲରେ ବନ୍ଦୀଥିବା ଭାରତୀୟ ନୌସେନାର ପୂର୍ବତନ ଅଧିକାରୀ କୁଳଭୂଷଣ ଯାଦବଙ୍କ ସହ ତାଙ୍କ ମାଆ ଓ ପତ୍ନୀଙ୍କ ସୋମବାର ଇସଲାମବାଦଠାରେ ସାକ୍ଷାତକାର ସମୟରେ ପାକିସ୍ତାନ ସରକାର ଆପଣାଇଥିବା ଅମାନବୀୟ ଆଚରଣ ଓ ଦୁର୍ବ୍ୟବହାରକୁ ଭାରତ ସରକାର ଦୃଢ ନିନ୍ଦା କରିଛନ୍ତି । ଏହି ସାକ୍ଷାତକାର ମାତ୍ର ଏକ ଔପଚାରିକତା ଥିଲା । ସାକ୍ଷାତକାର ସମୟରେ ଯାଦବ ଓ ତାଙ୍କ ମାଆ ଓ ପତ୍ନୀଙ୍କ ମଧ୍ୟରେ ଏକ ସ୍ୱଚ୍ଛ କାଚର କାନ୍ଥ ରହିଥିଲା । ସେମାନେ ଇଣ୍ଟରକମ ମାଧ୍ୟମରେ କଥା ହୋଇଥିଲେ । ମାନବିକତା ଆଧାରରେ ଏହି ସାକ୍ଷାତକାର ପାଇଁ ଅନୁମତି ଦିଆଯାଇଥିବା ପାକିସ୍ତାନ ଦାବି କରୁଥିଲାବେଳେ ତାର ଅମାନବୀୟ ଆଚରଣ ଓ ଦୁର୍ବ୍ୟବହାରକୁ ବିଭିନ୍ନ ମହଲରେ ନିନ୍ଦା କରାଯାଇଛି । ମଙ୍ଗଳବାର ଭାରତୀୟ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ କୁଳଭୂଷଣ ଯାଦବ ଓ ତାଙ୍କ ପରିବାର ମଧ୍ୟରେ ସାକ୍ଷାତକାର ପ୍ରସଙ୍ଗରେ ଏକ ସାମ୍ବାଦିକ ସମ୍ମିଳନୀ ଆହୂତ କରାଯାଇଥିଲା । ଏଥିରେ ବୈଦେଶିକ ମନ୍ତ୍ରଣାଳୟ ମୁଖପାତ୍ର ରବିଷ କୁମାର କହିଥିଲେ ଯେ ପାକିସ୍ତାନ ଅଧିକାରୀମାନେ ସାକ୍ଷାତକାର ପୂର୍ବରୁ କୁଳଭୂଷଣଙ୍କ ମାଆ ଓ ପତ୍ନୀଙ୍କୁ ପରିଧାନ (ବସ୍ତ୍ର) ବଦଳାଇବାକୁ ବାଧ୍ୟ କରିଥିଲେ । ସେମାନଙ୍କ ଗହଣା, ମଙ୍ଗଳସୁତ୍ର, ଚୁଡ଼ି ଓ ବିନ୍ଦୀ ଖୋଲି ନିଆଯାଇଥିଲା । ସେମାନଙ୍କ ଜୋତା ଖୋଲି ନିଆଯାଇଥିଲା; ପରେ ଫେରାଯାଇନଥିଲା । ସେଠାରେ ସେମାନଙ୍କ ନିକଟରୁ ଭାରତର ଉପଉଚ୍ଚାୟୁକ୍ତଙ୍କୁ ଅଲଗା କରିଦିଆଯାଇଥିଲା । ଏହି ସାକ୍ଷାତକାରର ଭିଡ଼ିଓ ଚିତ୍ର ଉତ୍ତୋଳନ କରାଯାଇଥିଲା । କୁଳଭୂଷଣଙ୍କ ସହ ତାଙ୍କ ପରିବାରକୁ ସେମାନଙ୍କ ମାତୃଭାଷା ମରାଠୀରେ କଥା ହେବାକୁ ଦିଆଯାଇନଥିଲା । ଭାରତର ବିନା ଅନୁମତିରେ ସେମାନଙ୍କ ନିକଟକୁ ଗଣମାଧ୍ୟମକୁ ଯିବାକୁ ଦିଆଯାଇଥିଲା । ଏସବୁ ଦୁର୍ବ୍ୟବହାର ଓ ପାକିସ୍ତାନର ସାମାନ୍ୟତମ ଶିଷ୍ଟାଚାରର ଅଭାବକୁ ଭାରତ ଦୃଢ ନିନ୍ଦା କରିଛି । ସାକ୍ଷାତକାର ସମୟରେ ଯାଦବଙ୍କ ମୁହଁରେ କ୍ଷତ ଚିହ୍ନ ଦେଖିବାକୁ ମିଳିଥିଲା । ତେଣୁ ସେଠାରେ ଯାଦବଙ୍କୁ ନିର୍ୟାତନା ଦିଆଯାଉଥିବା ସନ୍ଦେହ କରାଯାଉଛି । କଥାବାର୍ତ୍ତାରୁ ଯାଦବ ମାନସିକ ଦୁଶ୍ଚିନ୍ତାରେ ଥିବା ଭଳି ଲାଗୁଛି । ଯାଦବଙ୍କ ସ୍ୱାସ୍ଥ୍ୟବସ୍ଥା ନେଇ ଭାରତ ଚିନ୍ତା ବ୍ୟକ୍ତ କରିଛି ।
ଅପରପକ୍ଷରେ ମଙ୍ଗଳବାର କୁଳଭୂଷଣଙ୍କ ବାପା, ମାଆ ଓ ପତ୍ନୀ କେନ୍ଦ୍ର ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜଙ୍କୁ ତାଙ୍କ ବାସଭବନରେ ଭେଟି ଏନେଇ ଆଲୋଚନା କରିଥିଲେ । ଏହି ସାକ୍ଷାତକାର ସମୟରେ ବିଦେଶ ସଚିବ ଏସ୍‌ ଜୟଶଙ୍କର, ବିଦେଶ ମନ୍ତ୍ରଣାଳୟ ପ୍ରବକ୍ତା ରବିଷ କୁମାର ଉପସ୍ଥିତ ଥିଲେ । ସ୍ୱରାଜଙ୍କ ବାସଭବନରେ ଏହି ବୈଠକ ପ୍ରାୟ ୩ ଘଣ୍ଟା ଧରି ଚାଲିଥିଲା । ପ୍ରକାଶ ଯେ ଭାରତ ପାଇଁ ଗୁଇନ୍ଦା କାର୍ୟ୍ୟ କରୁଥିବା ଅଭିଯୋଗରେ ଗିରଫ କୁଳଭୂଷଣଙ୍କୁ ପାକିସ୍ତାନର ସାମରିକ କୋର୍ଟ ମୃତ୍ୟୁଦଣ୍ଡାଦେଶ ଦେଇଥିବା ବେଳେ ଏହାକୁ ବିରୋଧ କରି ଭାରତ ଅନ୍ତର୍ଜାତୀୟ ନ୍ୟାୟିକ କୋର୍ଟ (ଆଇସିଜେ)ର ଦ୍ୱାରସ୍ଥ ହେବା ପରେ ଆଇସିଜେ ଏହି ରାୟ ଉପରେ ରହିତାଦେଶ ଲାଗୁ କରିଛନ୍ତି । ଆଇସିଜେରେ ଏହି ମାମଲା ବିଚାରାଧୀନ ରହିଛି । କୁଳଭୂଷଣ ଭାରତୀୟ ନୌସେନାରୁ ଅବସର ନେବା ପରେ ଇରାନ୍‌ରେ ଥିବା ନିଜର ବ୍ୟବସାୟ ତଦାରଖ କରିବାକୁ ସେଠାକୁ ଚାଲିଯାଇଥିଲେ । ମାତ୍ର ତାଙ୍କୁ ସେଠାରୁ ପାକିସ୍ତାନ ଅପହରଣ କରି ଗୁପ୍ତଚର ବୋଲି କହୁଥିବା ଭାରତ ଦର୍ଶାଇଛି । ଅନ୍ୟପକ୍ଷରେ କୁଳଭୂଷଣଙ୍କୁ ବେଲୁଚିସ୍ତାନରୁ ଗିରଫ କରାଯାଇଥିବା ପାକିସ୍ତାନ ଯୁକ୍ତି କରୁଛି ।