ଓଡିଆନ୍ ନ୍ୟୁଜ

142

ଶିକ୍ଷୟିତ୍ରୀଙ୍କୁ ହତ୍ୟା ଘଟଣା ; ଦୁଇ ଅଟକ

Team Odian News |

ଶିକ୍ଷୟିତ୍ରୀଙ୍କୁ ହତ୍ୟା ଘଟଣା ; ଦୁଇ ଅଟକ
ଖୋର୍ଦ୍ଧା,୫/୧ (ଓଡ଼ିଆନ୍‍ ନ୍ୟୁଜ୍‍): ଖୋର୍ଦ୍ଧା​ ‌ଜିଲ୍ଲା ଟାଙ୍ଗୀ ବ୍ଲକ୍‌ ଅନ୍ତର୍ଗତ ନୂଆଗଡ ପଞ୍ଚାୟତର ହରିପୁର ଉଗ୍ରତାରା ନୋଡାଲ ହାଇସ୍କୁଲର ଶିକ୍ଷୟିତ୍ରୀଙ୍କୁ ଗୁରୁବାର ବିଲ ଭିତରେ ଅତି ନିର୍ମମ ଭାବେ ହତ୍ୟା କରାଯିବା ଘଟଣାରେ ପୁଲିସ ୨ ଜଣଙ୍କୁ ଅଟକ ରଖି ପଚରାଉଚୁରା  କରୁଛି । ହତ୍ୟାରେ ବ୍ୟବହୃତ ଠେଙ୍ଗାକୁ ମଧ୍ୟ ପୁଲିସ ଜବତ କରିଛି।

ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ବିଭିନ୍ନ ମହଲରୁ ଘଟଣାର ତୀବ୍ର ନିନ୍ଦା କରାଯାଇଛି । ବିଲରୁ ତାଙ୍କର କ୍ଷତାକ୍ତ ଶବ ମିଳିଛି। ଠେଙ୍ଗାରେ କେହି ତାଙ୍କ ମୁଣ୍ଡକୁ ଆଘାତ ଦେଇ ହତ୍ୟା କରିଥିବା ସନ୍ଦେହ କରାଯାଉଛି। ଶିକ୍ଷୟିତ୍ରୀଙ୍କ ନାମ ଅଞ୍ଜଳି ଦେହୁରୀ ଓ ତାଙ୍କ ଘର ବେଗୁନିଆ ଅଞ୍ଚଳରେ ବୋଲି ଜଣାପଡିଛି। ସେ ଶିକ୍ଷା ସହାୟିକା ରୂପେ ନିଯୁକ୍ତି ପାଇ ଏଠାରେ କାର୍ୟ୍ୟ କରୁଥିଲେ।ସ୍କୁଲଠାରୁ ପ୍ରାୟ ଦୁଇ କି.ମି. ଦୂର ବଡପୋଖରିଆ ଗ୍ରାମର ଆଦିବାସୀସାହିରେ ସେ ଭଡା ଘରେ ରହୁଥିଲେ। ସେହି ଗ୍ରାମରେ ମଧ୍ୟ ଅନ୍ୟ ଜଣେ ଶିକ୍ଷୟିତ୍ରୀ ରହୁଥିଲେ। ଦୁହେଁ ଏକାସାଙ୍ଗରେ ବଡପୋଖରିଆକୁ ବିଲ ରାସ୍ତାରେ ଯା’ଆସ କରନ୍ତି। ଗୁରୁବାର କିନ୍ତୁ ଅଞ୍ଜଳି ବିଦ୍ୟାଳୟରୁ ଏକୁଟିଆ ଫେରୁଥିଲେ। ବିଲ ରାସ୍ତାରେ ଫେରୁଥିବା ସମୟରେ କୌଣସି ଦୁର୍ବୃତ୍ତ ତାଙ୍କ ମୁଣ୍ଡକୁ ଠେଙ୍ଗାରେ ଭୀଷଣ ଭାବେ ଆଘାତ ଦେଇ ତାଙ୍କୁ ନିର୍ମମ ଭାବେ ହତ୍ୟା କରିଥିବା ଜଣାପଡିଛି। ପୁଲିସ ଶବ ବ୍ୟବଚ୍ଛେଦ କରି ଘଟଣାର ତଦନ୍ତ ଚଳାଇଛି ।  ସାଇଣ୍ଟିଫିକ ଦଳ ଓ ସନ୍ଧାନୀ କୁକୁର ଘଟଣାସ୍ଥଳରେ ପହଞ୍ଚିଛନ୍ତି । ପୁଳିସ ସଂପୃକ୍ତ ସ୍କୁଲରେ ପହଞ୍ଚି ବିଭିନ୍ନ ବିଷୟରେ ପଚରାଉଚୁରା ଚଳାଇଛି। ବାଲୁଗାଁ ଏସଡିପିଓ ସୁବାସ ଚନ୍ଦ୍ର ପଣ୍ଠାଙ୍କୁ ତଦନ୍ତ ଦାୟିତ୍ଵ ଦିଆଯାଇଛି।