ଓଡିଆନ୍ ନ୍ୟୁଜ

123

ଥାଇଲାଣ୍ଡରେ ପହଞ୍ଚିଲେ ସୁଷମା, ସୁରକ୍ଷା ନେଇ ଆଲୋଚନା

Team Odian News |

 ଥାଇଲାଣ୍ଡରେ ପହଞ୍ଚିଲେ ସୁଷମା, ସୁରକ୍ଷା ନେଇ ଆଲୋଚନା

ବ୍ୟାଙ୍କକ୍‌ ,୫/୧ (ଓଡ଼ିଆନ୍‍ ନ୍ୟୁଜ୍‍): ବିଦେଶ ମନ୍ତ୍ରୀ ସୁଷମା ସ୍ୱରାଜ ଗୁରୁବାରଠାରୁ ତ୍ରିରାଷ୍ଟ୍ର ଗସ୍ତରେ ବାହାରିଛନ୍ତି । ଏହି କ୍ରମରେ ସୁଷମା ଥାଇଲାଣ୍ଡରେ ପହଞ୍ଚି ତାର ବିଦେଶ ମନ୍ତ୍ରୀ ଡନ ପ୍ରମୁଦବିନାଇଙ୍କ ସହ ସୁରକ୍ଷା ଓ ସାଂସ୍କୃତିକ ସହଯୋଗ ସମେତ କେତେକ ପ୍ରସଙ୍ଗରେ ଆଲୋଚନା କରିଥିଲେ । କେନ୍ଦ୍ର ବିଦେଶ ସଚିବ ରବିଷ କୁମାର ଟ୍ୱିଟ୍‌ କରି ଏହି ସୂଚନା ଦେଇଛନ୍ତି । ସୁଷମା ସେଠାରେ ରାଜନୀତି, ପ୍ରତିରକ୍ଷା, ଆର୍ଥିକ ସଂପର୍କ ଉପରେ ଆଲୋଚନା କରିଥିଲେ । ଦକ୍ଷିଣ ଏସିଆ ଦେଶ ସମୂହର ସଂଗଠନ (ଆସିଆନ)କୁ ମଜଭୁତ କରିବା ଏହି ଗସ୍ତର ମୂଳ ଲକ୍ଷ୍ୟ ବୋଲି କୁହାଯାଇଛି । ସୁଷମା ୪ ଓ ୫ ଦୁଇ ଦିନ ଥାଇଲାଣ୍ଡର ରାଜଧାନୀ ବ୍ୟାଙ୍କକ୍‌ରେ ଅବସ୍ଥାନ କରିବେ । ଏହି ଅବସରରେ ଚଳିତମାସ ୨୫ରେ ନୂଆଦିଲ୍ଲୀରେ ଆୟୋଜିତ ହେବାକୁ ଥିବା ଆସିଆନ-ଭାରତ ଶିଖର ସମ୍ମିଳନୀ ପାଇଁ ସୁଷମା ତାଙ୍କର ପ୍ରତିପକ୍ଷଙ୍କ ସହ ଆଲୋଚନା କରିବାର କାର୍ୟ୍ୟକ୍ରମ ରହିଛି । ଜାନୁଆରୀ ୭ରେ ସୁଷମା ସିଙ୍ଗାପୁର ଗସ୍ତରେ ଯାଇ ଆସିଆନ ରାଷ୍ଟ୍ରସମୂହର ‘ଆଞ୍ଚଳିକ ପ୍ରବାସୀ ଭାରତୀୟ ଦିବସ’କୁ ଉଦ୍‌ଘାଟନ କରିବେ । ଇଣ୍ଡୋନେସିଆରେ ରହଣି ସମୟରେ ସୁଷମା ଭାରତ-ଇଣ୍ଡୋନେସିଆ ଯୁଗ୍ମ କମିସନକୁ ଉଦ୍‌ବୋଧନ ଦେବା ସହିତ ଆସିଆନ-ଇଣ୍ଡିଆ ନେଟ୍‌ୱାର୍କ ଥିଙ୍କ ଟ୍ୟାଙ୍କ୍‌ର ଦ୍ୱିତୀୟ ବୈଠକକୁ ସମ୍ବୋଧିତ କରିବେ ବୋଲି ବିଦେଶ ମନ୍ତ୍ରଣାଳୟ ସୂତ୍ରରୁ ଜଣାପଡିଛି ।