ଓଡିଆନ୍ ନ୍ୟୁଜ

197

ଅସମ୍ଭାଳ ଜାଡ଼ : ୧୩ସହରର ପାରଦ ୧୦ ଡିଗ୍ରୀ ତଳେ

Team Odian News |

ଅସମ୍ଭାଳ ଜାଡ଼ : ୧୩ସହରର ପାରଦ ୧୦ ଡିଗ୍ରୀ ତଳେ
ଭୁବନେଶ୍ୱର,୮/୧ (ଓଡ଼ିଆନ୍‍ ନ୍ୟୁଜ୍‍): ଥଣ୍ଡାରୁ ନିସ୍ତାର ମିଳୁନି । ସପ୍ତାହରୁ ଅଧିକ ସମୟ ଧରି ପ୍ରବାହିତ ହେଉଛି ଶୀତଲହରୀ । ହାଡ଼ଭଙ୍ଗା ଜାଡ଼ରେ ଲୋକେ ତ୍ରାହି ତ୍ରାହି ଡାକୁଛନ୍ତି । ମଣିଷ, ପଶୁପକ୍ଷୀ ସମସ୍ତେ ଏବେ କାଲୁଆ ପବନରେ ଥରୁଛନ୍ତି । ସନ୍ଧ୍ୟାରୁ ସକାଳ ଘରୁ ପଦାକୁ ଗୋଡ଼ କାଢ଼ିବା ମୁସ୍କିଲ ହୋଇପଡ଼ୁଛି । ଶୀତ ପ୍ରବାହ ଆହୁରି ସପ୍ତାହେ ଲାଗିରହିବ ବୋଲି ପାଣିପାଗ ବିଭାଗ ସୂତ୍ରରୁ ଜଣାପଡ଼ିଛି । ଗତ ୨୪ଘଣ୍ଟା ମଧ୍ୟରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା ଦାରିଙ୍ଗବାଡ଼ିରେ ୩ଡ଼ିଗ୍ରୀରେ ପହଞ୍ଚିଥିବା ରେକର୍ଡ଼ କରାଯାଇଛି । ତା ପଛକୁ ରହିଛି ଫୁଲବାଣୀରେ ୪.୫ଡ଼ିଗ୍ରୀ । ସମଗ୍ର କନ୍ଧମାଳ ଜିଲାରେ ଅସମ୍ଭାଳ ଜାଡ଼ ଯୋଗୁଁ ସ୍ୱାଭାବିକ ଜୀବନଯାତ୍ରା ପ୍ରଭାବିତ ହୋଇଛି । ପ୍ରବଳ ଶୀତ ସାଙ୍ଗକୁ ଅଧିକାଂଶ ସ୍ଥାନରେ ଘନ କୁହୁଡ଼ି ଲାଗିରହିଛି । ରବିବାର ରାଜ୍ୟର ୧୩ଟି ସହରରେ ସର୍ବନିମ୍ନ ତାପମାତ୍ରା ୧୦ଡ଼ିଗ୍ରୀ ତଳକୁ ଖସିଛି । ଝାରସୁଗୁଡ଼ା, ସୁନ୍ଦଗଡ଼ରେ ସର୍ବନିମ୍ନ ତାପମାତ୍ରା ୭ଡ଼ିଗ୍ରୀରେ ପହଞ୍ଚିଲାଣି । ଏହାଛଡ଼ା ଅନୁଗୋଳ, ବାରିପଦା, କେନ୍ଦୁଝରଗଡ଼, ସମ୍ବଲପୁର, ହୀରାକୁଦ,ଭବାନିପାଟଣା, ବଲାଙ୍ଗିର, କୋରାପୁଟ, ସୋନପୁର ଆଦି ସହରରେ ତାପମାତ୍ରା ୧୦ ଡ଼ିଗ୍ରୀ ତଳେ ରହିଛି । ତାଳଚେରରେ ସର୍ବନିମ୍ନ ତାପମାତ୍ରା ୧୦ ଡ଼ିଗ୍ରୀକୁ ଖସିଛି । ରାଜ୍ୟର ସବୁ ଅଞ୍ଚଳରେ ରାତିର ସର୍ବନିମ୍ନ ତାପମାତ୍ରା ୧୫ଡ଼ିଗ୍ରୀ ସେଲସିୟସ ତଳେ ରହିଛି । ଆସନ୍ତା ସପ୍ତାହେ ପର୍ୟ୍ୟନ୍ତ ଜାଡ଼ ଅନୁଭୂତ ହେବା ସହିତ ଅଧିକାଂଶ ଦିନ ଘନ କୁହୁଡ଼ି ଅନୁଭୂତ ହୋଇପାରେ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି ।