ଓଡିଆନ୍ ନ୍ୟୁଜ

116

ମଥୁରାରୁ ସନ୍ଦିଗ୍ଧ ଗିରଫ, ଦିଲ୍ଲୀରେ ଆକ୍ରମଣ ଯୋଜନା ପଣ୍ଡ

Team Odian News |

ମଥୁରାରୁ ସନ୍ଦିଗ୍ଧ ଗିରଫ, ଦିଲ୍ଲୀରେ ଆକ୍ରମଣ ଯୋଜନା ପଣ୍ଡ
ନୂଆଦିଲ୍ଲୀ,୮/୧ (ଓଡ଼ିଆନ୍‍ ନ୍ୟୁଜ୍‍): ଜାନୁଆରୀ ୨୬ ଗଣତନ୍ତ୍ର ଦିବସରେ ଦିଲ୍ଲୀରେ ଆତଙ୍କବାଦୀ ଆକ୍ରମଣ ପାଇଁ ଯୋଜନା କରୁଥିବା ଜଣେ ସନ୍ଦିଗ୍ଧକୁ ମଥୁରା ନିକଟରୁ ପୁଲିସ୍‌ ଗିରଫ କରିଛି । ସନ୍ଦିଗ୍ଧ ସହ ଆଉ ୨ ଜଣ ଦିଲ୍ଲୀରେ ଏକ ହୋଟେଲରେ ରହୁଥିଲେ । ଅନ୍ୟ ୨ ସନ୍ଦୀଗ୍ଧ ହୋଟେଲରୁ ଫେରାର ହୋଇଯାଇଛନ୍ତି । ଉତ୍ତରପ୍ରଦେଶ ଏଟିଏସ୍‌, ଦିଲ୍ଲୀ ପୁଲିସ୍‌ର ସ୍ୱତନ୍ତ୍ର ସ୍କ୍ୱାଡ, ଗୁଇନ୍ଦା ବିଭାଗ ମିଳିତ ଭାବେ ଫେରାର ସନ୍ଦିଗ୍ଧଙ୍କ ସନ୍ଧାନ କରୁଛନ୍ତି । ସୂଚନା ଅନୁଯାୟୀ ଦିଲ୍ଲୀରୁ ଭୋପାଳ ଅଭିମୁଖେ ଯାଉଥିବା ଶତାବ୍ଦୀ ଏକ୍ସପ୍ରେସ୍‌ ଟ୍ରେନ୍‌ରେ ଯାତ୍ରା କରୁଥିବା ଜଣେ ବ୍ୟକ୍ତିଙ୍କ ସନେ୍ଦହ ଜନକ ଗତିବିଧିକୁ ଲକ୍ଷ୍ୟ କରି ଟ୍ରେନ୍‌ ଟିଟି ଜିଆରପି ପୁଲିସ୍‌କୁ ଖବର ଦେଇଥିଲେ । ଜିଆରପି ପୁଲିସ୍‌ ପହଞ୍ଚି ସନ୍ଦିଗ୍ଧକୁ ପଚରାଉଚୁରା କରିବାରୁ ସେ ଓ ତାର ଦୁଇ ସାଙ୍ଗ ଦିଲ୍ଲୀରେ ଜାନୁଆରୀ ୨୬ରେ ଅକ୍ଷରଧାମ ମନ୍ଦିର ଉପରେ ଆକ୍ରମଣ କରିବାକୁ ଯୋଜନା କରୁଥିବା ପ୍ରକାଶ କରିଥିଲା । ଗିରଫ ସନ୍ଦିଗ୍ଧର ନାମ ବିଲାଲ ଅହମଦ ୱାନି ଓ ତାର ଘର ଜାମ୍ମୁ କାଶ୍ମୀର ଅନନ୍ତନାଗରେ ବୋଲି ସେ ପ୍ରକାଶ କରିଛି । ସେ ଓ ତାର ଦୁଇ ସାଙ୍ଗ ଦିଲ୍ଲୀ ଜାମା ମସଜିଦ୍‌ ପାଖରେ ଏକ ହୋଟେଲରେ ରହୁଥିଲେ । ୟୁପି ପୁଲିସ୍‌ ଦିଲ୍ଲୀ ପୁଲିସ୍‌କୁ ଖବର ଦେବା ପରେ ପୁଲିସ୍‌ ହୋଟେଲରେ ପହଞ୍ଚି ଯାଞ୍ଚ କରିଥିଲା । ମାତ୍ର ଏହା ପୂର୍ବରୁ ସେମାନେ ହୋଟେଲରୁ ଫେରାର ହୋଇଯାଥିଲେ ।