ଓଡିଆନ୍ ନ୍ୟୁଜ

137

ସୁପ୍ରିମକୋର୍ଟରେ ମହାନଦୀ ମାମଲାର ଶୁଣାଣି ଟ୍ରାଇବୁନାଲ ଗଠନ ନେଇ କୋର୍ଟ ଦେଇପାରନ୍ତି ନିର୍ଦେଶନାମା

Team Odian News |

ସୁପ୍ରିମକୋର୍ଟରେ ମହାନଦୀ ମାମଲାର ଶୁଣାଣି
ଟ୍ରାଇବୁନାଲ ଗଠନ ନେଇ କୋର୍ଟ ଦେଇପାରନ୍ତି ନିର୍ଦେଶନାମା

ନୂଆଦିଲ୍ଲୀ,୧୫/୧ (ଓଡ଼ିଆନ୍‍ ନ୍ୟୁଜ୍‍): ମହାନଦୀ ଜଳ ବିବାଦ ମାମଲାର ଶୁଣାଣି ମଙ୍ଗଳବାର ସକାଳେ ସୁପ୍ରିମକୋର୍ଟରେ ହେବ । ସଂସଦରେ କେନ୍ଦ୍ର ସରକାର ନିଜ ପକ୍ଷ ସ୍ପଷ୍ଟ କରିବା ପରେ ପ୍ରଥମ ଥର ପାଇଁ ଗୁରୁତ୍ୱପୂର୍ଣ୍ଣ ମହାନଦୀ ଜଳ ବିବାଦ ମାମଲାର ଶୁଣାଣି ସୁପ୍ରିମକୋର୍ଟ କରିବେ । ବିଚାରପତି ଏସ. ଏ. ବୋବଡ଼େ ଓ ବିଚାରପତି ଏଲ. ନାଗେଶ୍ୱର ରାଓଙ୍କ ଖଣ୍ଡପୀଠରେ ମାମଲାର ବିଚାର ହେବ । ମାମଲାର ଶୁଣାଣି ବେଳେ ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ ଜଳ ବିବାଦର ସମାଧାନ ପାଇଁ ଟ୍ରାଇବୁନାଲ ଗଠନ କରିବା ନେଇ ସୁପ୍ରିମକୋର୍ଟ ନିର୍ଦେଶ ଦେବାର ସମ୍ଭାବନା ରହିଛି ।


ଡିସେମ୍ବର ୧୧ ଶୁଣାଣିରେ ମହାନଦୀ ଜଳ ବିବାଦ ସମାଧାନ ପାଇଁ ଓଡ଼ିଶାର ଦାବି ମୁତାବକ ଟ୍ରାଇବୁନାଲ ଗଠନ ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କ ଟାଳଟୁଳ ନୀତିକୁ ସୁପ୍ରିମକୋର୍ଟ ନାପସନ୍ଦ କରିଥିଲେ । ନିର୍ଦିଷ୍ଟ ସମୟସୀମା ମଧ୍ୟରେ ଟ୍ରାଇବୁନାଲ ଗଠନ କରିବାରେ ବିଫଳ କେନ୍ଦ୍ର ସରକାରଙ୍କୁ ଆନ୍ତଃରାଜ୍ୟ ନଦୀ ଜଳ ବିବାଦ ନିୟମ-୧୯୫୬ର ଧାରା-୩ ମୁତାବକ ଟ୍ରାଇବୁନାଲ ଗଠନ କରିବାକୁ ପଡ଼ିବ ବୋଲି ସୁପ୍ରିମକୋର୍ଟ ଚେତାଇ ଦେଇଥିଲେ । କେନ୍ଦ୍ର ସରକାର ଟ୍ରାଇବୁନାଲ ଗଠନ ନ ହେଲେ, ପରବର୍ତ୍ତୀ ଶୁଶାଣିରେ ଟ୍ରାଇବୁନାଲ ଗଠନ କରିବାକୁ ସୁପ୍ରିମକୋର୍ଟ ନିର୍ଦେଶ ଦେଇପାରନ୍ତି ବୋଲି ବିଚାରପତି ଏସ. ଏ. ବୋବଡ଼େ ଓ ବିଚାରପତି ଏଲ. ନାଗେଶ୍ୱର ରାଓଙ୍କ ଖଣ୍ଡପୀଠ ସ୍ପଷ୍ଟ କରିଥିଲେ । 
ଉଭୟ ଓଡ଼ିଶା ଓ ଛତିଶଗଡ଼ ରାଜ୍ୟ ମଧ୍ୟରେ ମହାନଦୀ ଜଳ ଆବଣ୍ଟନ ରାଜିନାମା-୧୯୮୩ରୁ ରାଜ୍ୟ ସରକାର ଓହରି ନ ଥିବାରୁ ଟ୍ରାଇବୁନାଲ ପରିବର୍ତ୍ତେ ଯୁଗ୍ମ ନିୟନ୍ତ୍ରଣ ବୋର୍ଡ଼ ଗଠନ କରିବାକୁ କେନ୍ଦ୍ର ସରକାର ସୁପ୍ରିମକୋର୍ଟରେ ପ୍ରସ୍ତାବ ଦେଇଥିଲେ । ସେହିପରି ଲୋକସଭାରେ ମହାନଦୀ ଜଳ ବିବାଦ ଟ୍ରାଇବୁନାଲ ଗଠନ ନେଇ କେନ୍ଦ୍ର ଜଳ ସଂପଦ ମନ୍ତ୍ରୀ ନୀତିନ ଗଡ଼କରି କିଛି ସ୍ପଷ୍ଟ କହି ନ ଥିବା ବେଳେ ତିନି ମାସ ମଧ୍ୟରେ ଜଳ ବିବାଦର ସମାଧାନ ପାଇଁ ଏକକ ଜଳ ବିବାଦ ଟ୍ରାଇବୁନାଲ ଗଠନ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ ।