ଓଡିଆନ୍ ନ୍ୟୁଜ

156

ପେଟ୍ରୋଲ ୮୦ ନିକଟରେ, ଡିଜେଲ ୬୭ ପାର

Team Odian News |

ପେଟ୍ରୋଲ ୮୦ ନିକଟରେ, ଡିଜେଲ ୬୭ ପାର
ନୂଆଦିଲ୍ଲୀ,୧୫/୧ (ଓଡ଼ିଆନ୍‍ ନ୍ୟୁଜ୍‍): ଦେଶରେ ପେଟ୍ରୋଲ ଓ ଡିଜେଲ ଦର ସର୍ବୋଚ୍ଚସ୍ତରରେ ପହଞ୍ଚିଛି । ଆନ୍ତର୍ଜାତିକ ବଜାରରେ ଅଶୋଧିତ ତୈଳ ଦର ବୃଦ୍ଧିର ପ୍ରଭାବ ଭାରତର ତୈଳ ବଜାର ଉପରେ ପଡିଛି । ଫଳରେ ଏବେ ପେଟ୍ରୋଲ ଓ ଡିଜେଲ ଦର ଆକାଶ ଛୁଆଁ ହୋଇଛି । ଦେଶର କେତେକ ରାଜ୍ୟରେ ଡିଜେଲ ଦର ଲିଟର ପିଛା ୬୭ ଟଙ୍କା ଉପରେ ବିକ୍ରି ହେଉଥିବାବେଳେ ପେଟ୍ରୋଲ ଦର ଲିଟର ପିଛା ୮୦ ଟଙ୍କା ନିକଟରେ ପହଞ୍ଚିଛି । ହାଇଦରାବାଦରେ ସୋମବାର ଡିଜେଲ ଲିଟର ପିଛା ୬୭.୦୮ ଟଙ୍କାରେ ବିକ୍ରି ହେଉଥିବାବେଳେ କେରଳର ତ୍ରିବେନ୍ଦ୍ରମରେ ଡିଜେଲ ଲିଟର ପିଛା ୬୭.୦୫ ଟଙ୍କାରେ ବିକ୍ରି ହେଉଛି । ସେହିପରି ମୁମ୍ବଇରେ ପେଟ୍ରୋଲ ଲିଟର ପିଛା ୭୯.୦୬ ଟଙ୍କାରେ ବିକ୍ରି ହେଉଥିବାବେଳେ ଦିଲ୍ଲୀରେ ଲିଟର ପିଛା ୭୧.୦୬ ଟଙ୍କାରେ ବିକ୍ରି ହେଉଛି । ଆନ୍ତର୍ଜାତିକ ବଜାରରେ ଅଶୋଧିତ ତୈଳ ଦର ବୃଦ୍ଧି ପାଉଥିବାରୁ ଆଗାମୀ କିଛି ଦିନ ପର୍ୟ୍ୟନ୍ତ ପେଟ୍ରୋଲ ଓ ଡିଜେଲ ଦର ହ୍ରାସ ପାଇବାର ସମ୍ଭାବନା ନାହିଁ । ପେଟ୍ରୋଲ ଏବଂ ଡିଜେଲ ଲିଟର ପିଛା ୮୦ ଟଙ୍କା ପାଖରେ ପହଞ୍ଚିବା ପରେ କେନ୍ଦ୍ର ସରକାର ସୀମାଶୁଳ୍କରେ ହ୍ରାସ କରିଥିଲେ । ଏହାପରେ ବି ତୈଳ ଦରରେ ସେପରି ଆଖିଦୃଷ୍ଟିଆ ହ୍ରାସ ଘଟିନାହିଁ । ପେଟ୍ରୋଲ ଓ ଡିଜେଲକୁ ଜିଏସ୍‌ଟି ପରିସରରଭୁକ୍ତ କରାଗଲେ ଆକାଶ ଛୁଆଁ ଦରକୁ ରୋକାଯାଇପାରିବ ବୋଲି ଆଶା କରାଯାଉଛି । ଜାନୁଆରୀ ୧୮ରେ ଜିଏସ୍‌ଟି ପରିଷଦର ବୈଠକ ହେବାକୁ ଥିବାବେଳେ ଏଥିରେ ପେଟ୍ରୋଲ ଓ ଡିଜେଲ ସମ୍ପର୍କରେ ଆଲୋଚନା ହେଉଛି କି ନାହିଁ ତାହା ଦେଖିବାକୁ ସମସ୍ତେ ଅପେକ୍ଷା କରି ରହିଛନ୍ତି ।