ଓଡିଆନ୍ ନ୍ୟୁଜ

106

ହଜ୍ ରିହାତି ବନ୍ଦ କଲେ କେନ୍ଦ୍ର ସରକାର

Team Odian News |

ହଜ୍ ରିହାତି ବନ୍ଦ କଲେ କେନ୍ଦ୍ର ସରକାର
ନୂଆଦିଲ୍ଲୀ,୧୬/୧( ଓଡ଼ିଆନ୍‍ ନ୍ୟୁଜ୍‍ ) : ହଜ୍ ଯାତ୍ରା ପାଇଁ ପ୍ରଦାନ କରାଯାଉଥିବା ରିହାତି (ସବସିଡି) ସମ୍ପୂର୍ଣ୍ଣ ବନ୍ଦ କରିବାକୁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି । ଚଳିତ ବର୍ଷଠାରୁ ହଜ୍ ଯାତ୍ରା ପାଇଁ ଆଉ ରିହାତି ମିଳିବ ନାହିଁ । ସନ୍ତୁଷ୍ଟିକରଣବିନା ସଂଖ୍ୟାଲଘୁ ଗୋଷ୍ଠୀଙ୍କ ସଶକ୍ତିକରଣ କାର୍ୟ୍ୟସୂଚୀର ଅଂଶ ଭାବେ ସରକାର ଏହି ନିଷ୍ପତ୍ତି ନେଇଛନ୍ତି । ସୁପ୍ରିମକୋର୍ଟଙ୍କ ନିର୍ଦେଶ କ୍ରମେ ହଜ ରିହାତି ବନ୍ଦ କରିବା ପାଇଁ ଏକ ନୀତି ଖସଡ଼ା ପ୍ରସ୍ତୁତ କରାଯାଇଥିଲା । ୨୦୧୨ରେ ସୁପ୍ରିମକୋର୍ଟ ନିର୍ଦେଶ ଦେଇଥିଲେ ଯେ ପ୍ରର୍ୟ୍ୟାୟ କ୍ରମେ ୨୦୨୨ ସୁଦ୍ଧା ହଜ୍ ରିହାତି ବନ୍ଦ କରାଯାଉ । ଏହି କ୍ରମରେ ଚଳିତ ବର୍ଷଠାରୁ ହଜ୍ ଯାତ୍ରା ପାଇଁ ରିହାତି ପ୍ରଦାନ ବନ୍ଦ କରାଗଲା ବୋଲି କେନ୍ଦ୍ର ସଂଖ୍ୟାଲଘୁ ଗୋଷ୍ଠୀ ମନ୍ତ୍ରୀ ମୁକ୍ତାର ଆବାସ ନକଭି ସୂଚନା ଦେଇଛନ୍ତି । ଫଳରେ ଚଳିତ ବର୍ଷ ୧.୭୫ ଲକ୍ଷ ମୁସଲମାନ ବିନା ସବସିଡରେ ହଜ୍ ତୀର୍ଥଯାତ୍ରା କରିବେ । ତେବେ ହଜ୍ ତୀର୍ଥଯାତ୍ରୀଙ୍କୁ ଜଳ ଓ ଅକାଶ ପଥରେ ଯାତ୍ରା କରିବାର ସୁବିଧା ଦିଆଯିବ । ହଜ୍ ଯାତ୍ରାରୁ କାଟ ରିହାତି ଅର୍ଥ ମୁସଲମାନଙ୍କ କଲ୍ୟାଣ, ଶିକ୍ଷାର ସଶକ୍ତିକରଣ ପାଇଁ ଖର୍ଚ୍ଚ କରାଯିବ ବୋଲି କେନ୍ଦ୍ର ମନ୍ତ୍ରୀ ସୂଚନା ଦେଇଛନ୍ତି । ହଜ୍ ଯାତ୍ରା ପାଇଁ ଦିଆଯାଉଥିବା ସବସିଡିର ଫାଇଦା ଟ୍ରାଭେଲ ଏଜେନ୍ସୀ ନେଉଥିଲେ । ତେଣୁ ହଜ୍ ସବସିଡି ବନ୍ଦ କରାଗଲା ବୋଲି ମନ୍ତ୍ରୀ ମୁକ୍ତାର ନକଭି ଆବାସ କହିଛନ୍ତି । ଚଳିତ ବର୍ଷ ସାଉଦି ଆରବ ଭାରତର ହଜ୍ ତୀର୍ଥଯାତ୍ରୀ କୋଟାକୁ ୫,୦୦୦ ପର୍ୟ୍ୟନ୍ତ ବୃଦ୍ଧି କରିଥିବାରୁ ଏବର୍ଷ ଭାରତରୁ ସର୍ବାଧିକ ହଜ ତୀର୍ଥଯାତ୍ରୀ ସାଉଦି ଆରବ ଯିବେ । ଏହି ବର୍ଷଠାରୁ ୧.୭୫ ଲକ୍ଷ ହଜ ତୀର୍ଥଯାତ୍ରୀ ସାଉଦି ଆରବ ଯାଇପାରିବେ । ସେମାନଙ୍କ ମଧ୍ୟରୁ ୧,୩୦୦ ମହିଳା ମେହରମ ବିନା (ପୁରୁଷ ଅଭିଭାବକ ବିନା) ହଜ ତୀର୍ଥଯାତ୍ରା କରିପାରିବେ ।