ଓଡିଆନ୍ ନ୍ୟୁଜ

149

କୋହଲି : ଆଇସିସି କ୍ରିକେଟର ଅଫ୍‌ ଦ ଇୟର

Team Odian News |

କୋହଲି : ଆଇସିସି କ୍ରିକେଟର ଅଫ୍‌ ଦ ଇୟର
ନୂଆଦିଲ୍ଲୀ,୧୮/୧( ଓଡ଼ିଆନ୍‍ ନ୍ୟୁଜ୍‍ ): ଦକ୍ଷିଣ ଆଫ୍ରିକା ବିରୁଦ୍ଧରେ ଭାରତର ଲଗାତାର ୨ଟି ଟେଷ୍ଟରେ ପରାଜୟ କ୍ରିକେଟ ପ୍ରେମୀଙ୍କ ମନରେ ଦୁଃଖ ଆଣିଦେଇଥିବା ବେଳେ ଏବେ ଅଧିନାୟକ ବିରାଟ କୋହଲି ଆଇସିସି କ୍ରିକେଟର ଅଫ ଦ ଇୟର ସମେତ ଏକାଧିକ ପୁରସ୍କାର ପାଇଁ ମନୋନିତ ହେବା ସମସ୍ତଙ୍କ ମନରେ ଖୁସି ଓ ଆନନ୍ଦ ଆଣି ଦେଇଛି । ଟିମ୍‌ ଇଣ୍ଡିଆର ଅଧିନାୟକ ବିରାଟ କୋହଲି ଆଇସିସି କ୍ରିକେଟର ଅଫ ଦ ଇୟର-୨୦୧୭ ପୁରସ୍କାର ପାଇଁ ମନୋନିତ ହୋଇଛନ୍ତି । ବିଗତ ବର୍ଷ କୋହଲି ଯେପରି ସବୁ ଦେଶର ବୋଲରଙ୍କ ଉପରେ ନିଜର ପ୍ରଧାନ୍ୟ ବିସ୍ତାର ସ୍କୋର କରିଥିଲେ ସେହିପରି ପୁରସ୍କାର ପାଇଁ ଚୟନ ସମୟରେ ମଧ୍ୟ ସମସ୍ତଙ୍କୁ ପଛରେ ପକାଇ ପ୍ଲେୟାର ଅଫ ଦ ଇୟର ପୁରସ୍କାର ପାଇଁ ମନୋନିତ ହୋଇଛନ୍ତି ।


ସେହିପରି କୋହଲି ୨୦୧୭ ପାଇଁ ଆଇସିସି ଶ୍ରେଷ୍ଠ ଦିନିକିଆ କ୍ରିକେଟର ଅଫ ଦ ଇୟର ପୁରସ୍କାର ପାଇଁ ମଧ୍ୟ ମନୋନିତ ହୋଇଛନ୍ତି । ଏହା ବ୍ୟତୀତ କୋହଲିଙ୍କୁ ଆଇସିସି ଟେଷ୍ଟ ଓ ଦିନିକିଆ ଦଳର ଅଧିନାୟକ ଭାବେ ଚୟନ କରାଯାଇଛି । 
ଆଇସିସି ପକ୍ଷରୁ ୨୧ ଡିସେମ୍ବର ୨୦୧୬ରୁ ୩୧ ଡିସେମ୍ବର ୨୦୧୭ ମଧ୍ୟରେ ତାଙ୍କର ପ୍ରଦର୍ଶନକୁ ବିଚାରକୁ ନିଆଯାଇ ଏହି ପୁରସ୍କାର ପାଇଁ ମନୋନିତ କରାଯାଇଛି ।


ଏହି ସମୟସୀମା ମଧ୍ୟରେ ବିରାଟ ଟେଷ୍ଟ କ୍ରିକେଟରେ  ୧୮ଟି ମ୍ୟାଚ ଖେଳି ୭୭.୮୦ ହାରରେ ୨୦୧୩ ରନ୍‌ କରିଥିଲେ ଯେଉଁଥିରେ ୮ଟି ଶତକ ରହିଛି । ଦିଲ୍ଲୀର ଫିରୋଜଶାହା କୋଟଲା ଗ୍ରାଉଣ୍ଡରେ ଶ୍ରୀଲଙ୍କା ବିପକ୍ଷରେ ଖେଳା ଯାଇଥିବା ଟେଷ୍ଟ ମ୍ୟାଚର ପ୍ରଥମ ଇନିଂସରେ ୨୪୩ ରନ୍‌ କରିଥିଲେ । ଯାହାକୁ ପୁରସ୍କାର ପାଇଁ ମାନଦଣ୍ଡ ଭାବେ ବିଚାରକୁ ନିଆଯାଇଥିଲା। 

ସେହିପରି ଏହି ସମୟ ମଧ୍ୟରେ କୋହଲି ଏକ ଦିବସୀୟ କ୍ରିକେଟରେ ୭୬.୮୪ ହାରରେ ୬ଟି ଶତକ ହାସଲ କରିଥିଲେ । ନ୍ୟୁଜିଲାଣ୍ଡ ବିପକ୍ଷରେ ମୋହାଲିରେ ନିଜ କ୍ୟାରିୟରର ସର୍ବଶେଷ୍ଠ ପ୍ରଦର୍ଶନ କରି ଅପରାଜିତ ୧୫୪ ରନ କରିଥିଲେ ।ଯାହାକୁ ମଧ୍ୟ ପୁରସ୍କାର ପାଇଁ ମାନଦଣ୍ଡ ଭାବେ ବିଚାରକୁ ନିଆଯାଇଥିଲା।  ଆଇସିସି ପକ୍ଷରୁ ନିର୍ଦ୍ଧାରିତ ସମୟ ସୀମା ମଧ୍ୟରେ କୋହଲି ୩୧ଟି ଏକଦିବସୀୟ ମ୍ୟାଚ ଖେଳି ୮୨.୬୩ ହାରରେ୧୮୧୮ ରନ କରିଛନ୍ତି ଯେଉଁଥିରେ ୬ଟି ଶତକ ରହିଛି ଓ ସର୍ବାଧିକ ବ୍ୟକ୍ତିଗତ ସ୍କୋର ଅପରାଜିତ ୧୫୪ ରନ୍‌ ରହିଛି ।


ଅଧିନାୟକ ଭାବେ କୋହଲି ପ୍ରାରମ୍ଭରେ ୨୦୧୬ ଅକ୍ଟୋବରରେ ନ୍ୟୁଜିଲାଣ୍ଡ ବିପକ୍ଷରେ ୨୧୧ ରନର ପାଳି ଖେଳିଥିଲେ । ପରେ ନିର୍ଦ୍ଧାରିତ ସମୟ ସୀମା ମଧ୍ୟରେ ୫ଟି ଦ୍ୱିଶତକ ହାସଲ କରିଛନ୍ତି । ଅଧିନାୟକ ଭାବେ ୫ଟି ଟେଷ୍ଟ ଦ୍ୱିଶତକ ହାସଲ କରିବାରେ ସେ ହେଉଛନ୍ତି ବିଶ୍ୱର ଏକମାତ୍ର ଅଧିନାୟକ । କିନ୍ତୁ ସେ ମୋଟ ୬ଟି ଟେଷ୍ଟ ଦ୍ୱିଶତକ ହାସଲ କରିବାର ଗୌରବ ଅର୍ଜନ କରିଛନ୍ତି ।