ଓଡିଆନ୍ ନ୍ୟୁଜ

187

ଡାଭୋସରେ ମୋଦି ମନ୍ତ୍ର ଜଳବାୟୁ ପରିବର୍ତ୍ତନ ସବୁଠୁ ବଡ଼ ଆହ୍ୱାନ

Team Odian News |

ଡାଭୋସରେ ମୋଦି ମନ୍ତ୍ର
ଜଳବାୟୁ ପରିବର୍ତ୍ତନ ସବୁଠୁ ବଡ଼ ଆହ୍ୱାନ
 ଡାଭୋସ ,୨୩ା୧( ଓଡ଼ିଆନ୍‍ ନ୍ୟୁଜ୍‍ ): ସୁଇଜରଲାଣ୍ଡର ଡାଭୋସଠାରେ ବିଶ୍ୱ ଅର୍ଥନୈତିକ ମଞ୍ଚ (ଡବ୍ଲ୍ୟୁଇଏଫ)ର ଉଦ୍‌ଘାଟନୀ ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାରା ବିଶ୍ୱକୁ ଶାନ୍ତି ଓ ପ୍ରଗତିର ମନ୍ତ୍ର ଦେଇଛନ୍ତି । ଏହି ସମାରୋହରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ହିନ୍ଦିରେ ନିଜ ଅଭିଭାଷଣ ରଖିଥିଲେ । ମୋଦି କହିଥିଲେ ଯେ ଡବ୍ଲ୍ୟୁଇଏଫର ୪୮ତମ ବୈଠକରେଯୋଗଦେଇ ବହୁତ ଖୁସୀ ଅନୁଭବ କରୁଛି । ଡବ୍ଲ୍ୟୁଇଏଫରେ ୧୯୯୭ରେ ଭାରତର ପ୍ରବେଶ ହୋଇଥିଲା । ସେହି ସମୟରେ ତକ୍ରାଳୀନ ପ୍ରଧାନମନ୍ତ୍ରୀ ଏଚ୍‌ଡ଼ି ଦେବଗୌଡ଼ା ଡାଭୋସରେ ପହଞ୍ଚିଥିଲେ । ସେବେଠାରୁ ଭାରତ ବହୁତ ଅଗ୍ରଗତି କରିଛି । ସେ ସମୟ ତୁଳନାରେ ଏବେକାର ଭାରତର ଜିଡ଼ିପିରେ ୬ ଗୁଣା ବୃଦ୍ଧି ପାଇଛି । ସେ ସମୟରେ କେହି ଲାଦେନ କି ହ୍ୟାରି ପୋଟର ବିଷୟରେ ଜାଣିନଥିଲେ । ସେ ସମୟରେ ଗୁଗଲ କି ଆମାଜାନ ପୋର୍ଟାଲ ସାମ୍ନାକୁ ଆସିନଥିଲା । ସେ ସମୟରେ ପକ୍ଷୀ ଟ୍ୱିଟ୍‌ କରୁଥିଲା, ଆଉ ଏବେ ମନୁଷ୍ୟ ଟ୍ୱିଟ୍‌ କରୁଛି । ସାମାଜିକ ଗଣମାଧ୍ୟମ ବୈଷୟିକ ଜ୍ଞାନକୁ ଯୋଡ଼ିବା, ଭାଙ୍ଗିବା ପୁଣି ଗଢିବାର ଉଦାହରଣ ସାଜିଛି । ଏବେ ତଥ୍ୟ ଉପରେ ନିୟନ୍ତ୍ରଣ ରଖିବା ସବୁଠୁ ବଡ଼ ଆହ୍ୱାନ । ଯିଏ ନିଜ ତଥ୍ୟକୁ ସଂରକ୍ଷିତ ଓ ସୁରକ୍ଷିତ ରଖିପାରିବ ସେ ବିଶ୍ୱରେ ନିଜ ଶକ୍ତି କାଏମ ରଖିବ । ସଂପ୍ରତି ଶାନ୍ତି ଓ ସ୍ଥିରତାର ସୁରକ୍ଷା ଗୁରୁତର ଆହ୍ୱାନ ହୋଇ ରହିଛି । ଏବେ ଆମ ଆଗରେ କେତେକ ପ୍ରଶ୍ନ ଅଛି, ଯାହା ମାନବିକତା ଏବଂ ଆଗାମୀ ପିଢିଙ୍କ ପାଇଁ ଏକ ସାମୂହିକ ଉତ୍ତର ମାଗୁଛି । ଏହି ଅବସରରେ ପ୍ରଧାନମନ୍ତ୍ରୀ ଜଳବାୟୁ ପରିବର୍ତ୍ତନକୁ ବିଶ୍ୱର ସବୁଠୁ ବଡ଼ ସମସ୍ୟା ଓ ବଡ ଆହ୍ୱାନ ବୋଲି କହିଥିଲେ । କେତେକ ଦ୍ୱୀପ ଜଳରେ ବୁଡିଯାଉଛନ୍ତି । ବହୁତ ଗରମ ଓ ବହୁତ ଥଣ୍ଡା, ପ୍ରବଳ ବର୍ଷା, ଅନାବୃଷ୍ଟିର ପ୍ରଭାବ ଦିନକୁ ଦିନ ବଢିବାରେ ଲାଗିଛି । ଆଣ୍ଟାର୍କଟିକା ବରଫ ତରଳିବାରେ ଲାଗିଛି । ଏହାସହ ମୋଦି ଭଗବାନ ଗୌତମ ବୁଦ୍ଧ ଏବଂ ମହାତ୍ମା ଗାନ୍ଧିଙ୍କ ଟିପ୍ପଣୀକୁ ଉଲ୍ଲେଖ କରି କହିଥିଲେ ଯେ ତ୍ୟାଗ ପୂର୍ବକ ଭୋଗ କର ଏବଂ ଅନ୍ୟର ସମ୍ପତି ପ୍ରତି ଲୋଭନକର । ଆତଙ୍କବାଦ ସମ୍ପର୍କରେ ଉଲ୍ଲେଖ କରି ମୋଦି କହିଥିଲେ ଯେ ଭଲ ଆତଙ୍କବାଦୀ ଏବଂ ଖରାପ ଆତଙ୍କବାଦୀ ରୂପ ଦିଆଯିବ ସବୁଠୁ ବଡ଼ ବିପଦର ବିଷୟ । ଗଣତନ୍ତ୍ର ଏକ ରାଜନୈତିକ ବ୍ୟବସ୍ଥା ନୁହଁ ବରଂ ଏକ ଜୀବନ ଶୈଳୀ । ଏହି ବୈଠକରେ ବିଶ୍ୱ ବ୍ୟାଙ୍କ, ଡବ୍ଲ୍ୟୁଟିଓ, ଆଇଏମ୍‌ଏଫ ସେମତ ୩୮ଟି ସଂଗଠନର ମୁଖ୍ୟ ଏହି ସମ୍ମିଳନୀରେ ଯୋଗଦେଇଛନ୍ତି । ୨,୦୦୦ କମ୍ପାନୀର ସିଇଓ ଏହି ବୈଠକରେ ସାମଲ ହୋଇଛନ୍ତି । ଡବ୍ଲ୍ୟୁଇଏଫର ୫ ଦିନିଆ ସମ୍ମିଳନୀରେ ୪୦୦ଟି ଅଧିବେଶନ ହେବ । ଏଥିରେ ୭୦ଟି ଦେଶର ମୁଖ୍ୟଙ୍କ ସହ ୩୫୦ ନେତା ଭାଗ ନେବେ ।