ଓଡିଆନ୍ ନ୍ୟୁଜ

270

ସହିଦ୍‍ ଦିବସରେ ମନେପଡ଼ିଲେନି ଗାନ୍ଧୀସେବକ ରଘୁ ନାୟକ

Team Odian News |

ସହିଦ୍‍ ଦିବସରେ ମନେପଡ଼ିଲେନି ଗାନ୍ଧୀସେବକ ରଘୁ ନାୟକ  । 
ରାଜକନିକା,୩୧/୧( ଓଡ଼ିଆନ୍‍ ନ୍ୟୁଜ୍‍ ): ସହିଦ୍‍ ଦିବସରେ ଗାନ୍ଧୀସେବକ ରଘୁନାୟକଙ୍କ ବୀରତ୍ୱ କଥାକୁ  କେନ୍ଦ୍ରାପଡ଼ା ଜିଲା ପ୍ରଶାସନ ପକ୍ଷରୁ ସ୍ମୃତିଚାରଣ ସହିତ ତାଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରାନଯିବା ଘଟଣାକୁ ନେଇ ବୁଦ୍ଧିଜୀବୀ ମହଲରେ ତୀବ୍ର ଅସନ୍ତୋଷ ଦେଖାଦେଇଛି  । ମହାତ୍ମାଗାନ୍ଧୀଙ୍କ ମୃତ୍ୟୁକୁ ୭୦ ବର୍ଷ ବିତିଯାଇଛି । ଆତତାୟୀ ନାଥୁରାମର ବନ୍ଧୁକ ଗୁଳିରେ ଟଳିପଡ଼ିଥିଲେ ଗାନ୍ଧୀ । ଆଉ ସେହି ସମୟରେ ବିରଳାଭବନର ମାଳି ଓଡ଼ିଆ ପୁଅ ରଘୁ ନାୟକ ବୀରତ୍ୱର ସହିତ ନାଥୁରାମଙ୍କୁ କାବୁ କରି ପୋଲିସର ଜିମା ଦେଇଥିଲେ । ଗାନ୍ଧିଜୀଙ୍କୁ ତକ୍ରାଳ କୋଳକୁ ଟେକିନେଇଥିଲେ, ରଘୁ । ଗାନ୍ଧୀ ସେବକ ରଘୁ ନାୟକଙ୍କ କୋଳରେ ମଥା ରଖି ‘ହେ-ରାମ’କହି ଏ ଜାତିର ଚିର ନମସ୍ୟ ମହାତ୍ମା ଗାନ୍ଧୀ ତ୍ୟାଗ କରିଥିଲେ ଶେଷ ନିଃଶ୍ୱାସ । ରଘୁଙ୍କ ବୀରତ୍ୱ ଓ ସାହାସିକତା ପାଇଁ ତକ୍ରାଳୀନ ରାଷ୍ଟ୍ରପତି ଡ଼ଃ ରାଜେନ୍ଦ୍ର ପ୍ରସାଦଙ୍କ ଠାରୁ ମିଳିଥିଲା ୫୦୦ଟଙ୍କାର ପୁରସ୍କାର ସହିତ ଏକ ସନନ୍ଦପତ୍ର । ଏହା ଭିତରେ ବିତିଯାଇଥିଲା ଅନେକ ବର୍ଷ । ସେ ବିରଳା ଭବନର ମାଳି ଥିଲେ  । ପ୍ରତିଦିନ ଗାନ୍ଧୀଙ୍କ ସେବା ସହିତ  ଛେଳି କ୍ଷୀର ପିଇବାକୁ ଦେଇଥିଲେ । ରଘୁଙ୍କ ସଂପର୍କରେ ଗାନ୍ଧୀଙ୍କ ବ୍ୟକ୍ତିଗତ ସହାୟକ ପ୍ୟାରେଲାଲ୍‍ ନିଜ ଆତ୍ମଜୀବନିରେ ମାତ୍ର ଗୋଟିଏ ଧାଡ଼ି ଲେଖିଥିଲେ । ଏହା ଜଣାପଡ଼ିବା ପରେ ଓଡ଼ିଶାରେ ଚର୍ଚ୍ଚା ହୋଇଥିଲା । ହେଲେ ରଘୁ ନାଥଙ୍କୁ ଜୀବିତ ଅବସ୍ଥାରେ ଓଡ଼ିଆ ଜାତି ଦେଇପାରିଲାନି ସମ୍ମାନ । ଆର୍ଥିକ ଅନଟନ ମଧ୍ୟରେ ୧୩ ଅଗଷ୍ଟ ୧୯୮୩ ମସିହାରେ ୭୨ ବର୍ଷ ବୟସରେ ରୋଗଶର୍ୟ୍ୟାରେ ପଡ଼ି ପଡ଼ି ତାଙ୍କର ମୃତ୍ୟୁହୋଇଥିଲା । ୨୦୦୫ ମସିହାରେ ଏକ ଖବର କାଗଜରେ ଅବହେଳିତ ରଘୁଙ୍କ ସଂପର୍କରେ  ପାଠ କରି ଜର୍ମାନୀର ଏକ ଅଟୋମୋବାଇଲ କମ୍ପାନୀ ଡ଼ାମଲରଖ୍ରୀସଲରର ମୁଖ୍ୟ ବର୍ଣ୍ଣ ଆଡ୍‍ଲର ରଘୁଙ୍କ ଜନ୍ମସ୍ଥାନ ଓଡ଼ିଶାର କେନ୍ଦ୍ରାପଡ଼ା ଜିଲା ରାଜକନିକା ବ୍ଲକ୍‍ର ଜାଗୁଳାଇପଡ଼ା ଗ୍ରାମରେ ପହଞ୍ଚିଥିଲେ । ବିଦେଶୀ ଗାନ୍ଧୀପ୍ରେମୀ ଜାଗୁଳାଇପଡ଼ା ଗ୍ରାମରେ ଗାନ୍ଧୀ-ରଘୁଙ୍କ ମିଳିତ ପ୍ରତିମୂର୍ତ୍ତ ପ୍ରତିଷ୍ଠା ସହିତ ଶୁଭ୍ରାଂଶୁ ସୂତାରଙ୍କ ଲିଖିତ ରଘୁମାଳିଙ୍କ ଜୀବନୀ ଇଂରାଜୀ ପୁସ୍ତକ ‘ଦ ଉଇଟନେସ୍‍’କୁ ମଧ୍ୟ ପ୍ରକାଶ କରିଥିଲେ । ଏ ବାବଦରେ ସେମାନେ ଏକ ଲକ୍ଷ  ଟଙ୍କା ଖର୍ଚ୍ଚ କରିଥିଲେ । ଏହା ମଧ୍ୟରେ ୧୩ ବର୍ଷ ବିତିଯାଇଛି । ହେଲେ ବିଦେଶୀମାନଙ୍କ ଦ୍ୱାରା ଅବହେଳିତ ରଘୁ ସ୍ମୃତି ଉଜ୍ଜୀବିତ ହୋଇଥିବା ବେଳେ ଆମ ଦେଶ ଓ ରାଜ୍ୟ ରେ ଆଜିବି ଅବହେଳିତ ହୋଇ ରହିଛନ୍ତି ଗାନ୍ଧୀ-ରଘୁଙ୍କ ସ୍ମୃତି  । ଆଜି ସାରା ରାଜ୍ୟରେ ପାଳିତ ହୋଇଛି ସହିଦ୍‍ ଦିବସ  । ହେଲେ କେନ୍ଦ୍ରାପଡ଼ା ଜିଲା ଜାଗୁଳାଇପଡ଼ାରେ ରହିଥିବା ଗାନ୍ଧୀ ଏବଂ ରଘୁଙ୍କ ମିଳିତ ପ୍ରତିମୂର୍ତ୍ତିରେ  ଜିଲା ପ୍ରଶାସନ ପକ୍ଷରୁ ସମ୍ମାନ ଟିକକ ପ୍ରଦାନ କରିବାରେ ଅବହେଳା ପ୍ରଦର୍ଶନ କରାଯାଇଛି  । କେବଳ ଗାନ୍ଧୀରଘୁ ସ୍ମୃତି କମିଟି, ଗ୍ରାମବାସୀ ଏବଂ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ତାଙ୍କୁ ମନେପକାଇଛନ୍ତି  । ଗାନ୍ଧୀ ଓ ରଘୁଙ୍କ ମିଳିତ ପ୍ରତିମୂର୍ତ୍ତିରେ ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନଙ୍କ ସହିତ ଅତିଥିମାନେ ପୁଷ୍ଫମାଲ୍ୟ ଅର୍ପଣ କରିଥିଲେ । ଗାନ୍ଧିଜୀଙ୍କ ପ୍ରିୟ ଭଜନ ରଘୁପତି ରାଘବ ରାଜା ରାମକୁ ଛାତ୍ର ଛାତ୍ରୀମାନେ ଗାନକରି ଗ୍ରାମପରିକ୍ରମା କରିଥିଲେ । ଶିକ୍ଷାବିତ୍‍ ରାମଚନ୍ଦ୍ର ଦାଶଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଶହୀଦ ଦିବସରେ ଜାଏମାଳବ ନୋଡ଼ାଲ ବିଦ୍ୟାଳୟର ପ୍ରଧାନଶିକ୍ଷକ କୈଳାସ ଚନ୍ଦ୍ର ସାହୁ,ଶିକ୍ଷୟତ୍ରୀ ସ୍ନିଗ୍ଧାମୟୀ ନାୟକ, ସେଫାଳୀ କୁମାରୀ ନାୟକ, ଦିପାରାଣୀ ସେଠୀ, ମମତା ଦାସ, ସାମ୍ବାଦିକ ବ୍ରଜକିଶୋର ସିଂ, ସାମ୍ବାଦିକ ପ୍ରବୀଣ ବଳ, ୱାଡ଼ ସଭ୍ୟା ବନଳତା ଜେନା, ମଧୁସୂଦନ ସାହୁ ଏବଂ ସିଆସିସି ନିର୍ମଳ ସାହୁ   ଯୋଗଦେଇ ଗାନ୍ଧୀ ଏବଂ ରଘୁଙ୍କ ଜୀବନାଦର୍ଶ ସଂପର୍କରେ ଆଲୋକପାତ୍‍ କରିଥିଲେ । ଗାନ୍ଧୀ-ରଘୁ ସ୍ମୃତି କମିଟୀର ସଂପାଦକ ଶୁଭ୍ରାଂଶୁ ଭୂଷଣ ସୂତାର  ଗାନ୍ଧୀ ଓ ରଘୁଙ୍କ ସଂପର୍କ ସହିତ ଗାନ୍ଧୀହତ୍ୟାର ଏକମାତ୍ର ସାକ୍ଷୀ ରଘୁଙ୍କ ସ୍ମୃତିପୀଠ ଅବହେଳିତ ହୋଇପଡ଼ିଥିବା ନେଇ ଉଦ୍‍ବେଗ ପ୍ରକାଶ କରିଥିଲେ । ଏ ଦିଗରେ ରାଜ୍ୟ ସରକାର ଭୁଲିଯାଇଥିବାରୁ କ୍ଷୋଭ ପ୍ରକାଶ କରିଥିଲେ ।