ଓଡିଆନ୍ ନ୍ୟୁଜ

151

ପକ୍ଷୀ ଆଣେ ଋତୁର ଖବର ।

Team Odian News |

 ପକ୍ଷୀ ଆଣେ ଋତୁର ଖବର  । 
ଯାଜପୁର,୨୫/୯(ଓଡ଼ିଆନ୍ ନ୍ୟୁଜ୍):ଦିନକୁ ଦିନ ବିଜ୍ଞାନ କ୍ଷେତ୍ରରେ ଉନ୍ନତି ଘଟିବା ସହ ସୂଚନା ପାଇବା ପାଇଁ ବିଭିନ୍ନ ପନ୍ଥା ବାହାରି ଲାଣି ତଥାପି ଏମିତି କେତେକ ସ୍ଥାନ ରହିଛି ଯେଉଁଠି ପଶୁ ପକ୍ଷୀଙ୍କ ହାବଭାବରୁ ପ୍ରକୃତିର ପରିବର୍ତନ ବିଷୟରେ ଜାଣି ହୁଏ । ସେମିତି ଏକ ଗାଁ ହେଉଛି ଯାଜପୁର ଜିଲ୍ଲା ବରୀ ବ୍ଲକ ବାଲିଆପାଳ । ଏହି ଗାଁର ଛକ ପାଖରେ କାହିଁ କେତେକାଳରୁ ରହିଆସିଛି ଝାମ୍ପୁଲା  ବରଗଛଟିଏ । ଜୁନମାସର ଆରମ୍ଭରୁ ଶହ ଶହ ବଗଙ୍କ ବାସସ୍ଥାନ ପାଲଟି ଯାଏ ଏହି ବରଗଛଟି  । ପ୍ରାୟ ଚାରି ମାସର ରହଣି ପରେ ବଗଗୁଡ଼ିକ  ଶୀତ ଆରମ୍ଭରୁ ପୁଣି ଫେରିଯାଆନ୍ତି  । ତେଣୁ  ସ୍ଥାନୀୟଲୋକ ଧାରଣା ରହିଛି ଯେ ପକ୍ଷୀ ଆସିଲେ ମୌସୁମୀ ଓଡ଼ିଶାକୁ ଆସେ ଓ ପକ୍ଷୀମାନେ ଗଛ ଛାଡ଼ି ଉଡ଼ିଗଲେ ଶୀତ ଋତୁ ଆସିଯାଏ । ଜୁନମାସରେ ବଗମାନେ ବସାବାନ୍ଧି ରହିବା ସହ ଅଣ୍ଡା ଦେଇଥାନ୍ତି ସେଥିରୁ ସାବକ ବାହାରିବା ପରେ ସେମାନଙ୍କୁ ମା’ ବଗମାନେ ଉଡ଼ା ଶିଖାଇବାର ଦୃଶ୍ୟ ଅତ୍ୟନ୍ତ ମନୋହର । ଛୋଟ ବଗଗୁଡ଼ିକ ଧିରେ ଧିରେ ବଡ଼ ହେବା ସହ ଉଡ଼ା ଶିଖିବା ପରେ ଶୀତ ଆରମ୍ଭରୁ ସେମାନଙ୍କୁ ନେଇ ମା’ ବଗମାନେ ଉଡ଼ିଯାଇଥାନ୍ତି । କୁନି କୁନି ବଗ ଛୁଆଙ୍କର କିଚିରି ମିଚିରି ଶବ୍ଦ ସେହି ଅଂଚଳଟିକୁ କୋଳାହଳରେ ଭରି ଦେବାସହ ଗଛଟି ବଗଙ୍କ ପାଇଁ ସମ୍ପୁର୍ଣ୍ଣ ଧଳା ହୋଇଯାଇଥାଏ  । ଏହି ବରଗଛଟିର ପରିଚୟ ମଧ୍ୟ ବଗ ଗଛ ହୋଇଯାଇଛି । ପ୍ରତି ବର୍ଷ ଏଠାକୁ ଶହ ଶହ ବଗ ଆସୁଥିବା ବେଳେ ସ୍ଥାନୀୟ ଲୋକେ ସେମାନଙ୍କୁ ଅତିଥି ଭଳି ଭାବିଥାନ୍ତି ଆଉ ଯେପରି ସେମାନଙ୍କର କିଛି ଅସୁବିଧା ନହୁଏ ସେଥି ପ୍ରତି ଦୃଷ୍ଟି ଦେଇଥାନ୍ତି । ହେଲେ ପ୍ରତିବର୍ଷ ବଗଗୁଡ଼ିକ ଫେରିଗଲା ପରେ ସ୍ଥାନୀୟ ଲୋକଙ୍କ ମନ ମଧ୍ୟରେ ଦୁଃଖ ରହିଥାଏ  । କେହି କେହି ଛକରେ ଖଟି କଲାବେଳେ ବା ସେହିବାଟ ଦେଇ ଗଲାବେଳେ କହି ପକାନ୍ତି ଆରେ ପକ୍ଷୀଗୁଡ଼ାକା ପଳେଇଗଲେ ଯେ ଜାଗାଟା ଜମା ଭଲ ଲାଗୁନି ଖାଲି ଖାଲି ଲାଗୁଛି । ହେଲେ ପକ୍ଷୀମାନଙ୍କ ଆଗମାନ ସ୍ଥାନୀୟ ଲୋକଙ୍କୁ ବର୍ଷା ଓ ଶୀତର ଆଗମନ ଖବର ଦେଇଥାଆନ୍ତି ଯେମିତି   ।