ଓଡିଆନ୍ ନ୍ୟୁଜ

119

ବିଜେଡି ମୁଖପାତ୍ର ପ୍ରତାପଙ୍କ ନିର୍ବାଚନ ମଣ୍ଡଳୀରେ ବୈଜୟନ୍ତ । ଉଦ୍ଘାଟନ କଲେ ପାଣିଟାଙ୍କି, ଦେଖାଦେଲେନି ବିଜେଡ଼ି ନେତା କି କର୍ମୀ ।

Team Odian News |

ବିଜେଡି ମୁଖପାତ୍ର ପ୍ରତାପଙ୍କ ନିର୍ବାଚନ ମଣ୍ଡଳୀରେ ବୈଜୟନ୍ତ  । 
ଉଦ୍ଘାଟନ କଲେ ପାଣିଟାଙ୍କି, ଦେଖାଦେଲେନି ବିଜେଡ଼ି ନେତା କି କର୍ମୀ  । 
ରାଜକନିକା,୧୨ା୨( ଓଡ଼ିଆନ୍‍ ନ୍ୟୁଜ୍‍ ):: ରାଜକନିକା ବ୍ଲକ୍ ଅନ୍ତର୍ଗତ ନମତରା ଠାରେ ସୋମବାର ବିଜେଡ଼ି ଦଳରୁ ନିଲମ୍ବିତ କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡା ଏକ  ପାଣିଟାଙ୍କିକୁ ଉଦ୍ଘାଟନ କରିଛନ୍ତି  । ଏହି ଉଦ୍ଘାଟନ ଉତ୍ସବରେ କୌଣସି ବିଜେଡ଼ି ନେତା କି କର୍ମୀଙ୍କର ଦେଖାଦର୍ଶନ ମିଳିନଥିଲା  । ହେଲେ ସାମ୍ଭାବ୍ୟ ଗଣ୍ଡଗୋଳ ଆଶଙ୍କାରେ ବ୍ୟାପକ ପୁଲିସ ବ୍ୟବସ୍ଥା ଗ୍ରହଣ କରାଯାଇଥିଲା  । ସାଂସଦ ଶ୍ରୀପଣ୍ଡା ପ୍ରାୟ ଦିନ ୧୧ଟା ସମୟରେ ନିଜ ହେଲିକେପ୍ଟର ଯୋଗେ ନମତରା ଠାରେ ଅବତରଣ କରିବା ପରେ ଶତାଧିକ ସ୍ଥାନୀୟ ଜନସାଧାରଣ ତାଙ୍କୁ ଉଦ୍ଘାଟନସ୍ଥଳୀକୁ ପାଛୋଟି ଆଣିଥିଲେ  । ଏହା ସହିତ ତାଙ୍କର  ସମର୍ଥକମାନେ ବୈଜୟନ୍ତ ପଣ୍ଡା ଜିନ୍ଦାବାଦ୍ ଧ୍ୱନି ଦେଇ ସ୍ୱାଗତ କରିଥିଲେ  । ଫଳକରେ ରାଜ୍ୟସଭା ସାଂସଦ ପ୍ରତାପ କେଶରୀ ଦେବଙ୍କ ସହିତ ସ୍ଥାନୀୟ ସରପଞ୍ଚ, ଅଧ୍ୟକ୍ଷ, ଉପାଧ୍ୟକ୍ଷ ଏବଂ ଜିଲାପରିଷଦ ସଭ୍ୟଙ୍କ ନାମ ଉଲ୍ଲେକ ରହିଥିଲା  । ହେଲେ ସେମାନଙ୍କର ଦେଖାଦର୍ଶନ ମିଳିପାରିନଥିଲା  । ସାଂସଦ ଶ୍ରୀପଣ୍ଡା ଜଣେ ଛୋଟ ଝିଅ ବର୍ଷାରାଣୀ ମଲ୍ଲିକକୁ ମଞ୍ଚକୁ ଆଣି ପାଣିଟାଙ୍କିକୁ ଉଦ୍ଘାଟନ କରିଥିଲେ   । ନମତରା ଗ୍ରାମର ଜଣେ ସମାଜସେବୀ ବୀରକିଶୋର ପତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉଦ୍ଘାଟନ ଉତ୍ସବରେ ବୈଜୟନ୍ତଙ୍କ ସମର୍ଥକ ନିରାକାର ସାମଲ, ସତ୍ୟପ୍ରକାଶ ଜଗତୀ, ଅକ୍ଷୟ କୁମାର ନାଥ ଏବଂ ଏନ୍.ସି କର ପ୍ରମୁଖ ଏହି  ବକ୍ତବ୍ୟ ରଖିଥିଲେ  । ସାଂସଦ ଶ୍ରୀପଣ୍ଡା ଆଳି କନିକା ଅଞ୍ଚଳର ବିକାଶ ଏବଂ କେନ୍ଦ୍ରାପଡ଼ା ସହିତ ଓଡ଼ିଶାର ଉନ୍ନତି ପାଇଁ କାର୍ଯ୍ୟ କରିବା ପାଇଁ ସଙ୍କଳ୍ପବଦ୍ଧ ବୋଲି କହିଥିଲେ  । କେନ୍ଦ୍ରାପଡ଼ାକୁ ରେଳ ଯୋଗାଯୋଗ ତାଙ୍କର ପ୍ରମୁଖ କାର୍ଯ୍ୟ, ଯାହାକି ଏବେ ତ୍ୱରାନିତ ହେଉଛି  । ନମତରା ଅଞ୍ଚଳର ପାନୀୟଜଳ ସମସ୍ୟାକୁ ଦୂର କରିବା ପାଇଁ ଏହି ପାଣିଟାଙ୍କି ବହୁ କାମରେ ଆସିବ ବୋଲି କହିଥିଲେ  । ଲୋକମାନଙ୍କ ସହିତ ଅଛନ୍ତି, ଆଗକୁ ମଧ୍ୟ ଲୋକମାନଙ୍କ ପାଇଁ କାମ କରିବେ ବୋଲି କହିଥିଲେ  । ୨୮ଲକ୍ଷ ୪୦ ହଜାର ଟଙ୍କା ବ୍ୟୟ ଅଟକଳରେ ଏହି ପାଣିଟାଙ୍କି ନିର୍ମାଣ କରାଯାଇଛି  ।