ଓଡିଆନ୍ ନ୍ୟୁଜ

177

କଂଗ୍ରେସକୁ ନୂଆ ରୂପ ଦେଲେ ରାହୁଲ ସିଡବ୍ଲ୍ୟୁସି ଭାଙ୍ଗି ଗଠନ କଲେ ଷ୍ଟିୟରିଂ କମିଟି

Team Odian News |

କଂଗ୍ରେସକୁ ନୂଆ ରୂପ ଦେଲେ ରାହୁଲ
ସିଡବ୍ଲ୍ୟୁସି ଭାଙ୍ଗି ଗଠନ କଲେ ଷ୍ଟିୟରିଂ କମିଟି

ନୂଆଦିଲ୍ଲୀ,୧୭/୨( ଓଡ଼ିଆନ୍‍ ନ୍ୟୁଜ୍‍ ): କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଦଳକୁ ଏକ ନୂଆ ରୂପ ଦେଇଛନ୍ତି। ଦୀର୍ଘ ବର୍ଷ ଧରି ଦଳୀୟ କାର୍ୟ୍ୟକୁ ପରିଚାଳନା କରିଆସୁଥିବା କଂଗ୍ରେସ କାର୍ୟ୍ୟକାରିଣୀ କମିଟି (ସିଡବ୍ଲ୍ୟୁସି)କୁ ରାହୁଲ ଭାଙ୍ଗି ଦେଇଛନ୍ତି। ସିଡବ୍ଲ୍ୟୁସି ବଦଳରେ ଏକ ଷ୍ଟିୟରିଂ କମିଟି ଗଠନ କରାଯାଇଛି। ଆଗାମୀ ଦିନରେ ହେବାକୁ ଥିବା କଂଗ୍ରେସର ପୂର୍ଣ୍ଣ ଅଧିବେଶନ ପାଇଁ ଏହି ଷ୍ଟିୟରିଂ କମିଟି ଗଠନ କରାଯାଇଥିବା ଦଳର ସାଧାରଣ ସମ୍ପାଦକ ଜନାର୍ଦ୍ଦନ ଦ୍ୱିବେଦୀ କହିଛନ୍ତି। ୩୪ଜଣିଆ ଏହି ଷ୍ଟିୟରିଂ କମିଟିରେ ରାହୁଲଙ୍କ ସମେତ ୟୁପିଏ ଅଧ୍ୟକ୍ଷା ସୋନିଆ ଗାନ୍ଧି, ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ଓ ଦଳର ସାଧାରଣ ସମ୍ପାଦକମାନେ ସଦସ୍ୟ ରହିଛନ୍ତି। ଶନିବାର ଏହି ଷ୍ଟିୟରିଂ କମିଟିର ପ୍ରଥମ ବୈଠକ ହେବ। ଷ୍ଟିୟରିଂ କମିଟିରେ ଥିବା ଅନ୍ୟ ସଦସ୍ୟମାନେ ହେଲେ ଏକେ ଆଣ୍ଟୋନୀ, ଅହମ୍ମଦ ପଟେଲ, ଦିଗବିଜୟ ସିଂହ, ଗୁଲାମ ନବୀ ଆଜାଦ, ଅମ୍ବିକା ସୋନି, ଜନାର୍ଦ୍ଦନ ଦ୍ୱିବେଦୀ, ଅଶୋକ ଗେହଲଟ, ସୁଶୀଲ କୁମାର ସିନ୍ଦେ, ପି ଚିଦମ୍ବରମ୍‌, ଓସ୍କାର ପର୍ଣ୍ଣାଡିସ୍‌, ଆନନ୍ଦ ଶର୍ମା ଓ ରଣଦୀପ ସୁରଜୱାଲା। ମାର୍ଚ୍ଚ ୫ରେ କଂଗ୍ରେସର ପୂର୍ଣ୍ଣ ଅଧିବେଶନ ଅନୁଷ୍ଠିତ ହେବ। ପୂର୍ଣ୍ଣ ଅଧିବେଶନରେ ରାହୁଲଙ୍କ ଅଧ୍ୟକ୍ଷ ନିର୍ବାଚନକୁ ଅନୁମୋଦନ କରାଯିବ। ଦଳୀୟ ସମ୍ବିଧାନ ଧାରା ୧୫(୭) (ଖ) ଅନୁଯାୟୀ ରାହୁଲ ଏହି ଷ୍ଟିୟରିଂ କମିଟି ଗଠନ କରିଛନ୍ତି। ଡିସେମ୍ବର ୧୬, ୨୦୧୭ରେ ରାହୁଲ କଂଗ୍ରେସ ଦଳର ଅଧ୍ୟକ୍ଷ ଦାୟିତ୍ୱ ଗ୍ରହଣ କରିଥିଲେ।