ଓଡିଆନ୍ ନ୍ୟୁଜ

233

‘କଥିତ ଓଡ଼ିଆ ଶବ୍ଦକୋଷ’ ପାଇଁ ଶୁଭ୍ରାଂଶୁ ସୂତାର ସମ୍ମାନିତ ।

Team Odian News |

‘କଥିତ ଓଡ଼ିଆ ଶବ୍ଦକୋଷ’ ପାଇଁ ଶୁଭ୍ରାଂଶୁ ସୂତାର ସମ୍ମାନିତ  ।
କେନ୍ଦ୍ରାପଡ଼ା,୧୩ା୩( ଓଡ଼ିଆନ୍‍ ନ୍ୟୁଜ୍‍ ): ଓଡ଼ିଆ ଭାଷା, ସାହିତ୍ୟ ଏବଂ ସଂସ୍କୃତି ବିଭାଗ, ଓଡ଼ିଶା ସରକାରଙ୍କ ‘ଓଡ଼ିଆ ଭାଷା ପ୍ରତିଷ୍ଠାନ’  ପକ୍ଷରୁ ରାଜ୍ୟ ସଂଗ୍ରାହାଳୟ ସମ୍ମିଳନୀ କକ୍ଷ, ଭୁବନେଶ୍ୱର ଠାରେ ଗତ ୧୧ ମାର୍ଚ୍ଚ ୨୦୧୮ରେ ଆୟୋଜିତ  ଶାସ୍ତ୍ରୀୟ ଓଡ଼ିଆ ଭାଷା ଦିବସ ପାଳିତ ହୋଇଯାଇଛି  । ଏହି ଉତ୍ସବରେ  ‘କଥିତ ଓଡ଼ିଆ ଶବ୍ଦକୋଷ’କୁ ସଂସ୍କୃତି ସଚିବ, ମନୋରଞ୍ଜନ ପାଣିଗ୍ରାହୀ, ରାଜେନ୍ଦ୍ର ପ୍ରସାଦ କୃଷି ବିଶ୍ୱବିଦ୍ୟାଳୟର କୂଳାଧିପତି ପ୍ରଫୁଲ୍ଲ କୁମାର ମିଶ୍ର, ସଂସ୍କୃତି ବିଭାଗର ନିର୍ଦ୍ଦେଶକ ବିଜୟ ନାୟକ, ଆଇଆଇଟି କାନପୁରର ପ୍ରାକ୍ତନ ପ୍ରଫେସର ଭାଷାବିଜ୍ଞାନୀ ବିବୁଧେନ୍ଦ୍ର ନାରାୟଣ ପଟ୍ଟନାୟକ, ଉକ୍ରଳ ସଂସ୍କୃତି ବିଶ୍ୱବିଦ୍ୟାଳୟର ପ୍ରାକ୍ତନ କୂଳପତି ପ୍ରଫେସର ଅମୀୟ କୁମାର ପଟ୍ଟନାୟକ ଏବଂ ଭାଷା ପ୍ରତିଷ୍ଠାନର ନିର୍ଦ୍ଦେଶିକା ତମସାଦାସ ମହାପାତ୍ର ପ୍ରମୁଖ ଯୋଗଦେଇ ଉନ୍ମୋଚନ କରିଛନ୍ତି  । ଏହି ଅବସରରେ ଭାଷା ସଂଗ୍ରହ କରିଥିବା କେନ୍ଦ୍ରାପଡ଼ା ଜିଲାର ଯୁବ ସାହିତ୍ୟିକ ଶୁଭ୍ରାଂଶୁ ସୂତାରଙ୍କୁ ସଂସ୍କୃତି ସଚିବ, ମନୋରଞ୍ଜନ ପାଣିଗ୍ରାହୀ ସମ୍ମାନିତ କରିଛନ୍ତି  । ୨୦୦୬ ମସିହାରେ ରାଜ୍ୟ ସରକାରଙ୍କ ପକ୍ଷରୁ ଓଡ଼ିଆ ଭାଷା ପ୍ରତିଷ୍ଠାନର ‘ଚଳନ୍ତି ଶବ୍ଦ ଚୟନ’ରେ ଭାଷା ବିଶେଷଜ୍ଞ ଭାବେ କେନ୍ଦ୍ରାପଡ଼ା ଜିଲା ପାଇଁ ମନୋନିତ ହୋଇଥିଲେ  । ଡ଼କଟର ରତ୍ନାକର ଚଇନିଙ୍କ ତତ୍ୱାବଧାନରେ ଶ୍ରୀସୂତାର ଦୀର୍ଘ ୧୨ ବର୍ଷର ଧରି ବହୁ ପରିଶ୍ରମ କରି ଗାଁକୁ ଗାଁ ବୁଲି  ଦିନକୁ ଦିନ ହଜିଯାଉଥିବା କଥିତ ଭାଷା ସବୁକୁ ସଂଗ୍ରହ କରିଥିଲେ  ।  ୩୦ ହଜାର ଶବ୍ଦର ୧୧ ହଜାର ପୃଷ୍ଠାର ‘କଥିତ ଓଡ଼ିଆ ଶବ୍ଦକୋଷ’  ପ୍ରକାଶିତ ହୋଇଛି   । ସରକାରଙ୍କ ପକ୍ଷରୁ ଏହି ଶବ୍ଦକୋଷ ଓଡ଼ିଆ ବାଣୀଭଣ୍ଡାରକୁୁ ସମୃଦ୍ଧ କରିବ  । ରାଜ୍ୟ ସଂସ୍କୃତି ବିଭାଗ ପକ୍ଷରୁ ସମ୍ମାନିତ ହୋଇଥିବା ଶ୍ରୀସୂତାରଙ୍କୁ ବହୁ  ସାହିତ୍ୟକ ଏବଂ ଲେଖକମାନେ ଶୁଭେଚ୍ଛା ଜଣାଇଛନ୍ତି  ।