ଓଡିଆନ୍ ନ୍ୟୁଜ

222

ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନରେ କନିକା ରାଜାଙ୍କ ଅବଦାନକୁ ଭୁଲିହେବ ନାହିଁ ।’

Team Odian News |

ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନରେ କନିକା ରାଜାଙ୍କ ଅବଦାନକୁ ଭୁଲିହେବ ନାହିଁ  ।’
ରାଜକନିକା,୨/୪( ଓଡ଼ିଆନ୍‍ ନ୍ୟୁଜ୍‍ ):  ଉକ୍ରଳ ସମ୍ମିଳନୀରେ ମୁଖ୍ୟକର୍ତ୍ତା ଭାବେ  କନିକା ରାଜା ସାର୍‍ ରାଜେନ୍ଦ୍ର ନାରାୟଣ ଭଞ୍ଜଦେଓଙ୍କ ଅନେକ ସହଯୋଗ ରହିଥିଲା  । ‘କନିକା କୋଠି’ ହିଁ ଥିଲା ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର ଅନ୍ତୁଡ଼ିଶାଳ  ।  ଇଂରେଜ ମାନଙ୍କ ସହିତ ଯୋଗସୂତ୍ର ରକ୍ଷା କରି ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ପାଇଁ କନିକା ରାଜା ପଥ ପରିଷ୍କାର କରିପାରିଥିଲେ  ।  ଉକ୍ରଳ ଗୌରବ ମଧୁସୂଦନ ଦାସ ଏବଂ ପଣ୍ଡିତ୍‍ ଗୋପବନ୍ଧୁ ଦାସଙ୍କ ସ୍ୱପ୍ନର ଓଡ଼ିଶା ଗଠନ ନିମିତ୍ତ ତାଙ୍କର ରହିଥିଲା ଅନେକ ପ୍ରଚେଷ୍ଠା  । ହେଲେ ଆଜି ଓଡ଼ିଶା ଦିବସରେ ତାଙ୍କ ଅବଦାନକୁ ଭୁଲିହେବ ନାହିଁ ବୋଲି  କନିକା ରାଜପ୍ରାସାଦ ପରିସରରେ ଅନୁଷ୍ଠିତ ୮୩ ତମ ଉକ୍ରଳ ଦିବସ ସମାରୋହରେ ଅତିଥିମାନେ ମତବ୍ୟକ୍ତ କରିଛନ୍ତି  । ଯୁବଲେଖକ ଶୁଭ୍ରାଂଶୁ ଭୂଷଣ ସୂତାରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସମାରୋହରେ ମୁଖ୍ୟ ଅତିଥିଭାବେ ଉକ୍ରଳ ସମ୍ମିଳନୀର ଜିଲା ସଭାପତି  ପ୍ରଫେସର ନନ୍ଦକିଶୋର ପରିଡ଼ା ଯୋଗଦେଇ କନିକାରାଜା ଜଣେ ବିଚକ୍ଷଣ ପ୍ରତିଭାର ଅଧିକାରୀ ବୋଲି କହିଥିଲେ  । ମୁଖ୍ୟବକ୍ତାଭାବେ ଓଡ଼ିଶା ସାହିତ୍ୟ ଏକାଡ଼େମୀର ସଦସ୍ୟ ଗବେଷକ ଡ଼କ୍ଟର ବାସୁଦେବ ଦାସ କହିଥିଲେଯେ, କନିକାରାଜା ଜଣେ ଭାଷାପ୍ରେମୀ, ମାଟି ଦରଦୀ ରାଜା  । ବ୍ରିଟିଶ ସରକାରଙ୍କ ପ୍ରତ୍ୟେକ କମିଟିରେ ତାଙ୍କର ରହିଥିଲା ବ୍ୟକ୍ତିଗତ ସଂପର୍କ, ଯାହାକୁ ସେ ଉକ୍ରଳ ପ୍ରଦେଶ ଗଠନରେ ବ୍ୟବହାର କରିଥିଲେ  । ଓଡ଼ିଆ ଭାଷା, ସାହିତ୍ୟ ଏବଂ ରାଜ୍ୟ ଉନ୍ନୟନରେ ତାଙ୍କର ରହିଥିଲା ଅନେକ ସମୟଉପଯୋଗୀ କାର୍ଯ୍ୟାବଳୀ  ।  ସ୍ୱତନ୍ତ୍ର ଅତିଥି ଭାବେ କନିକାରାଜା ଶିବେନ୍ଦ୍ର ନାରାୟଣ ଭଞ୍ଜଦେବ ପୂର୍ବସୂରୀ ମାନଙ୍କ ଭୂମିକାକୁ ନେଇ ଗର୍ବ କରିବା ସହିତ ଆଗାମୀ ଦିନରେ ଓଡ଼ିଶା ଉନ୍ନତିରେ ଭାଗିଦାରୀ ହେବା ପାଇଁ କହିଥିଲେ  ଏବଂ ସମ୍ମାନିତ ଅତିଥି ଭାବେ ଏସ୍‍ଏନ୍‍ କଲେଜର ଅଧ୍ୟକ୍ଷ ବୈକୁଣ୍ଠନାଥ ପରିଡ଼ା ଯୋଗଦେଇ କନିକାରାଜାଙ୍କ ଅବଦାନ ସଂପର୍କରେ ଆଲୋକପାତ୍‍ କରିବା ସହିତ  ତାଙ୍କ ସ୍ମୃତିରକ୍ଷା କରିବା ପାଇଁ  ରାଜାଙ୍କ ପ୍ରତିମୂର୍ତ୍ତି ସ୍ଥାପନ ସହିତ ସରକାରୀ ଭାବେ ଦିବସ ପାଳନ କରିବା ନେଇ ଦାବି କରିଥିଲେ  । ପ୍ରାରମ୍ଭରେ  ଉକ୍ରଳଗୌରବ ମଧୂସୁଦନ ଦାସ ଏବଂ କନିକାରାଜା ରାଜେନ୍ଦ୍ର ନାରାୟଣ ଭଞ୍ଜଦେଓଙ୍କ ଫଟୋଚିତ୍ରରେ ଅତିଥିମାନେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାସୁମନ ଜଣାଇଥିଲେ  । ଏହି ଅବସରରେ ସଙ୍ଗୀତ ନିର୍ଦ୍ଦେଶକ ଦିନେଶ ମଲ୍ଲିକଙ୍କ ସଂଯୋଜନାରେ ଏସ୍ଏନ୍ କଲେଜର ଲକ୍ଷ୍ମୀବାଈ ଛାତ୍ରୀନିବାସର ଛାତ୍ରୀମାନେ ସ୍ୱାଗତ ସଙ୍ଗୀତ ସହିତ ବନ୍ଦେ ଉକ୍ରଳ ଜନନୀ ଗାନ କରିଥିଲେ  । ଶେଷରେ ଅଧ୍ୟାପକ ମିର୍ଜା ଉବ୍ରାହିମ୍ ବେଗ୍ ଧନ୍ୟବାଦ୍ ଅର୍ପଣ କରିଥିଲେ  । ଏହି ସମାରୋହରେ ଭଦ୍ରକ, କେନ୍ଦ୍ରାପଡ଼ା ଏବଂ ଯାଜପୁର ଜିଲାର ବହୁ ବୁଦ୍ଧିଜୀବୀମାନେ ଯୋଗଦେଇଥିଲେ  ।