ଓଡିଆନ୍ ନ୍ୟୁଜ

182

ଭିନ୍ନକ୍ଷମ ହୋଇବି ସେବାରେ ନାହିଁ କାର୍ପଣ୍ୟ

Team Odian News |

ଭିନ୍ନକ୍ଷମ ହୋଇବି ସେବାରେ ନାହିଁ କାର୍ପଣ୍ୟ
ରାଜକନିକା,୨୫/ ( ଓଡ଼ିଆନ୍‍ ନ୍ୟୁଜ୍‍ ):  ରାଜକନିକା ବ୍ଲକ୍‍ କାଟଣାବଣିଆଁ ଗ୍ରାମପଞ୍ଚାୟତର ବାଜପୁର ଗ୍ରାମର ବଳରାମ ବାରିକ ଏବଂ ମା’ ଶାନ୍ତିଲତା ବାରିକଙ୍କ ଝିଅ ମୀନତି  । ବୟସ ୨୮ । ନିଜେ ଚାଲି ପାରୁ ନାହାନ୍ତି । ପୋଲିଓରେ ଆକ୍ରାନ୍ତ କାରଣରୁ ଜନ୍ମର ଦଶ ମାସରୁ ସେ ଭିନ୍ନକ୍ଷମ ପାଲଟି ଯାଇଛନ୍ତି  । ହେଲେ ଅଦମ୍ୟ ଇଛାଶକ୍ତି ଆଉ ନିଜର ପ୍ରଚେଷ୍ଠା ଜାରି ରଖିଥିବାରୁ ଆଜି ସେ ଜଣେ ଲୋକପ୍ରିୟ ଜନପ୍ରତିନିଧି  । କାଟଣାବଣିଆଁ ଗ୍ରାମପଞ୍ଚାୟତର ୧୧ ନମ୍ବର ୱାଡ଼ର ଜଣେ ୱାଡ଼ ସଭ୍ୟା  । ତିନି ଚକିଆ ଭିନ୍ନକ୍ଷମ ଗାଡ଼ିରେ ହାତରେ ଚକ ବୁଲାଇ ବୁଲାଇ ସେ ଘର ଘର ବୁଲି ଲୋକମାନଙ୍କ ସମସ୍ୟା ସବୁ ବୁଝୁଛନ୍ତି । କାହାର ଭତା ତ ଆଉ କାହାର ରାସନ କାର୍ଡ଼ ଏମିତି ଅନେକ ଗରିବଙ୍କ କଥା ସେ ବୁଝୁଛନ୍ତି ପ୍ରତିଦିନ  । କେଉଁଠି ପାଣି ନାହିଁତ ଆଉ କେଉଁଠି ନିଶା ବିରୁଦ୍ଧରେ ଠିଆ ହେଉ ସଚେତନ କରୁଛନ୍ତି  । ନିଜ ଘରୁ  ତିନି କିଲୋମିଟର ଦୂର ପଞ୍ଚାୟତ କାର୍ଯ୍ୟାଳୟରେ ପହଞ୍ଚି ଗାଁର ଉନ୍ନତି ଆଉ ଗରିବଙ୍କ ସମସ୍ୟା କଥା ମଧ୍ୟ ବୁଝୁଛନ୍ତି । ଏମିତିକି ରାଜ୍ୟ ସରକାରଙ୍କ ବହୁ ଜନହିତକର ଯୋଜନାକୁ କାର୍ଯ୍ୟକାରୀ କରିବାକୁ ସକାଳୁ ସଞ୍ଜ ଯାଏଁ ଲାଗିରହୁଛନ୍ତି ୱାଡ଼ ସଭ୍ୟା ମିନତୀ । 
ପରିବାରର ଗରିବ ପଣିଆ ତାଙ୍କୁ କେବେ ଲୋକମାନଙ୍କ ସମସ୍ୟା ବୁଝିବାରେ ପ୍ରତିବନ୍ଧକ ହୋଇପାରି ନାହିଁ  । ବହୁ କଷ୍ଟରେ ବିଦ୍ୟାଳୟ ଯାଇ ପାଠ ପଢ଼ୁଥିଲେ  । ହେଲେ ଅନେକ ସମୟ ଦେହ ଖରାପ ରହୁଥିବାରୁ  ବିଦ୍ୟାଳୟକୁ ଯାଇପାରିନଥିଲେ  । ଏହି କାରଣରୁ ସେ ମାଟ୍ରିକ୍‍ ପାସ୍‍ କରି ପାରିନାହଁନ୍ତି  । ହେଲେ ଗତ ପଞ୍ଚାୟତ ନିର୍ବାଚନରେ ସେ ଜଣେ ୱାଡ଼ ସଭ୍ୟା ଭାବେ ନିର୍ବାଚନ ମଇଦାନରେ ପ୍ରାର୍ଥୀ ହୋଇଥିଲେ  । ତାଙ୍କର ନିକଟତମ ପ୍ରତିଦ୍ୱନ୍ଦୀ ଗୋଲେଖ ପରିଡ଼ାଙ୍କୁ ୯ ଖଣ୍ଡ ଭୋଟରେ ପରାସ୍ତ କରି ବିଜୟୀ ହୋଇଛନ୍ତି  । ରାଜ୍ୟସରକାର ବିଶେଷ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ  ଆମ ଗାଁ ଆମ ବିକାଶ ଯୋଜନାରେ ଗାଁର ଉନ୍ନତି ସହିତ ମହିଳା, ଭିନ୍ନକ୍ଷମ ଏବଂ ଲୋକପ୍ରତିନିଧି ମାନଙ୍କ ହାତରେ ଅନେକ କ୍ଷମତା ଅର୍ପଣ କରୁଛନ୍ତି  । ଲୋକମାନଙ୍କୁ ପଞ୍ଚାୟତରେ ନିଜର ବହୁବିଧ ସମସ୍ୟାକୁ ସମାଧାନ ସହିତ ସମସ୍ତ ସୁବିଧାସୁଯୋଗ ବ୍ୟବସ୍ଥା କରିଛନ୍ତି  । ଏଦିଗରେ ଭିନ୍ନକ୍ଷମ ଝିଅ ମିନତୀଙ୍କ କାର୍ଯ୍ୟଧାରା ନିଶ୍ଚିନ୍ତ ଭାବେ ପ୍ରଶଂସାଯୋଗ୍ୟ  । ହେଲେ ନିଜେ ଚାଲିପାରୁ ନଥିବା ବେଳେ ଘରର ଆର୍ଥିକ ଅନଟନ ପାଲଟିଛି ଅନେକ ପ୍ରତିବନ୍ଧକ  । ବାପା ବଳରାମ ଜଣେ ଶ୍ରବଣଶକ୍ତି ବାଧିତ ହୋଇଥିବା ବେଳେ ମା’ ଶାନ୍ତିଲତା ଜଣେ ଦୃଷ୍ଟିହୀନ  । ବାପ ମୂଲ ଲାଗିଲେ ଘରେ ଚୁଲି ଜଳେ  । ହେଲେ ଏଭଳି ସମସ୍ୟାରେ କେବେ ସେ ବ୍ୟଥିତ ହୋଇନାହାଁନ୍ତି  । ହେଲେ ଲୋକମାନଙ୍କ କଥା ବୁଝିବା ପାଇଁ ସେ ବହୁ ହଇରାଣ ହେଉଛନ୍ତି  । ସହଜେତ ଭିନ୍ନକ୍ଷମ  । ଏଥିରେ ତିନି ଚକିଆ ସାଇକେଲ ଅନେକ ସମୟରେ ଖରାପ ରହୁଛି  । ହାତରେ ଚକ ବୁଲାଇବାରେ ଭାରି କଷ୍ଟ ଲାଗୁଛି  । ଉଠାଣ ପକାଣ ଗାଁ ରାସ୍ତାରେ ଯାତାୟତରେ ସେ ନାହିଁ ନଥିବା ହିନସ୍ତା ଭୋଗ କରୁଛନ୍ତି  । ମୁଁ ଆଶା କରୁଛି କେହି ବଦାନ୍ୟ ମୋତେ ଗୋଟେ ତିନି ଚକିଆ ସ୍କୁଟି ଦିଅନ୍ତେ କି ? ମୁଁ ସହଜରେ ଅନେକ କାର୍ଯ୍ୟ କରିପାରନ୍ତି ବୋଲି ଦୁଃଖ ଆଉ ଅବେଗରେ କହନ୍ତି ମିନତୀ  । ରାଜ୍ୟ ସରକାର କିମ୍ବା ମୁଖ୍ୟମନ୍ତ୍ରୀ  ଏବଂ ବଦାନ୍ୟ ବ୍ୟକ୍ତି ବିଶେଷଙ୍କ ସହଯୋଗରେ ତିନି ଚକିଆ ଗାଡ଼ି ମିଳିଗଲେ ମିନତୀଙ୍କ ସ୍ୱପ୍ନ ସତରେ ପୂରଣ ହୋଇଯିବ  । ସ୍ୱପ୍ନ ପୂରଣ ହେଲେ  ଆଗାମୀ ଦିନମାନଙ୍କରେ ମିନତୀଙ୍କ ଜନସେବାର ଆଶା ଆଉ ଆକାଂକ୍ଷା ନିଶ୍ଚିନ୍ତ ଦ୍ୱିଗୁଣିତ ହେବାରେ ସହାୟକ ହେବ  ।