ଓଡିଆନ୍ ନ୍ୟୁଜ

147

ଶ୍ରୀକ୍ଷେତ୍ରରେ ସ୍ନାନ ଯାତ୍ରା

Team Odian News |

ଶ୍ରୀକ୍ଷେତ୍ରରେ ସ୍ନାନ ଯାତ୍ରା
ପୁରୀ,୨୮/୬( ଓଡ଼ିଆନ୍‍ ନ୍ୟୁଜ୍‍ ): ରଥଯାତ୍ରାର ଆଦ୍ୟପର୍ବ  ଭାବେ ଶ୍ରୀଜୀଉମାନଙ୍କର ପ୍ରସିଦ୍ଧ ସ୍ନାନଯାତ୍ରା ଗୁରୁବାର ଜ୍ୟେଷ୍ଠ ପୂର୍ଣ୍ଣିମା ତିଥିରେ  ସଂପନ୍ନ ହୋଇଛି। ୧୦୮ ଗରା ଜଳରେ ସ୍ନାନ ସାରି ମହାପ୍ରଭୁ  ସ୍ନାନ ମଣ୍ଡପରେ ହାତୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି। ଗୁରୁବାର ସକାଳୁ ନିର୍ଘଣ୍ଟ ମୁତାବକ ସମସ୍ତ ନୀତି ଶେଷ ହୋଇଛି।  ଅପରାହ୍ନ  ପ୍ରାୟ ସାଢ଼େ ଗୋଟାଏ ବେଳେ ଶ୍ରୀଜୀଉମାନଙ୍କୁ ସ୍ନାନ କରାଯାଇଥିଲା। ଏହାପରେ ଗଜପତି ମହାରାଜା ଛେରା ପହଁରା ସଂପନ୍ନ କରିଥିଲେ। ଛେରାପହଁରା ପରେ ଶ୍ରୀଜିଉଙ୍କୁ ହାତୀବେଶ କରାଯାଇଥିଲା। ଭକ୍ତଙ୍କ ପାଇଁ ରାତି ସାଢ଼େ ୭ରୁ ସାଢ଼େ ୯ଟା ଯାଏ ସାହାଣମେଲା ଦର୍ଶନ ବ୍ୟବସ୍ଥା କରାଯାଇଛି।

ପ୍ରବଳ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ସମାଗମକୁ ଦୃଷ୍ଟିରେ ରଖି ପୁରୀରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ  କରାଯାଇଛି।

ଶ୍ରୀକ୍ଷେତ୍ରରେ ସ୍ନାନ ଯାତ୍ରା ସଂପର୍କରେ କିଛି କଥାଟ୍ଟ.

ଜ୍ୟେଷ୍ଠୀ ସ୍ନାନୋତ୍ସବଂ ଚାଦୌ କଥୟାମି ସମାସତଃ
ତମାକର୍ଣ୍ଣୟ ରାଜର୍ଷେ ଶୃଣତାଂ ପାପ ନାଶନମ ଜ୍ଝଜ୍ଝ
ଜ୍ୟେଷ୍ଠେ ମାସି ସୀତେ ପକ୍ଷେ ଚତୁର୍ଦଶ୍ୟା ନୂପୋତ୍ତମ
ମଧ୍ୟାହ୍ନ ସମୟଂ ପ୍ରାପ୍ୟ ତ୍ରିକାଳାର୍ଚ୍ଚାସମାପନମ ଜ୍ଝଜ୍ଝ

ପ୍ରଥମ ନୀତି..

ଭୂମି ଦୀପଂ ଫଳଂ ଦୁବ ପୁଷ୍ପଂଗୋରଚନା ତଥା
ଆଜ୍ୟଂ ଦଧି ତିର୍ଥଟକଂ ଆସନଂ ଦର୍ପଣଂ ଭୂଷଣଂ
କଳାହାଟ ଦ୍ୱାର ଠାରେ ବୀର କାହାଳୀ ବାଜି ଉଠିବା ମାତ୍ରେ  ମହାପ୍ରଭୁ ମାନଙ୍କୁ ଡୋର ଲାଗି ନୀତି ଅନୁଷ୍ଠିତ ହୋଇଥାଏ।

ପହଣ୍ଡି ବିଜେ..

ପ୍ରଥମେ ସୁଦର୍ଶନ,ପରେ ବଳଭଦ୍ର, ସୁଭଦ୍ରା, ଶେଷରେ ଜଗନ୍ନାଥ ଧାଡ଼ି ପହଣ୍ଡି କରି ବାଦ୍ୟ ନାଦ ସହ ବିଜେ କରନ୍ତି। ମହାଜନ ସେବକ ମାନେ ମଦନ ମୋହନ କୁ ବିଜେ କରାଇଥାନ୍ତି ।  ଖୁଣ୍ଟିଆ ସେବକ ମାନଙ୍କ ମଣିମା ମଣିମା ଡାକ ରେ ଦିବ୍ୟ ମୟ ହୋଇଯାଏ ସ୍ନାନ ମଣ୍ଡପ।

ଅଦ୍ୟ ଜନ୍ମଦିନଂ ନାଥ ପାବନଂ ଜାୟତେ ତବ ଜ୍ଝ
ତସ୍ମାତ୍ତଂ ତୀର୍ଥ ପାନୀୟୈଃ କୌପୈଃ ପୁଣ୍ୟ ବିବର୍ଦ୍ଧନୈଃ ଜ୍ଝଜ୍ଝ
ଆଦୌ ସୁଦର୍ଶନଂ କୃତ୍ଵା ସିରପାଣିଂ ତତଃ ପରମ ଜ୍ଝ
ତତୋ ଭଦ୍ରାଂ ଭଗବତୀଂ ଭଗବନ୍ତଂ ହରିଂ ତତଃ ଜ୍ଝଜ୍ଝ
ଚାରୁଚାମର ବୃନ୍ଦାନାଂ ବ୍ୟଜନାନଂ ସମନ୍ତତଃ ଜ୍ଝ
ଚାଳନ ରଚୟେତ୍ତତ୍ର ପଥି ସର୍ବସୁଖପ୍ରଦେ ଜ୍ଝଜ୍ଝ

 

ମହାପ୍ରଭୁଙ୍କ ବିଜେ ସମୟରେ ସାତ ପାହାଚ ଠାରେ ରାଘବ ଦାସ ମଠ ରୁ ଆସିଥିବା ଟାହିଆ ଓ ଚୂଳ ଲାଗି ହୁଅନ୍ତି।
ଘଣ୍ଟୁଆ ସେବକ ଛତାର ସେବକ କାହାଳୀଆ ସେବକ ମାନେ ସୁନା ଗୋସେଇଁ ନିକଟକୁ ଯାଆନ୍ତି। ମୁଦିରସ୍ତଙ୍କ ଉପସ୍ଥିତିରେ ସୁନା ଗୋସାଇଁ ସୁନା କୂଅ ରୁ ୧୦୮ ଗରା ଜଳ ଅଧିବାସ ଗୃହ ରେ ରଖନ୍ତି(ସର ଘର) ଘଟୁଆରୀ ଘର ଠାରେ କର୍ପୁର କେଶର ଚୁଆ ଏକତ୍ର କରାଯାଏ। ତଡଉ କରଣ ଭଣ୍ଡାର ମେକାପକୁ ସାଙ୍ଗ ରେ ନେଇ ଘଟୁଆରୀ ଘରକୁ ଯାଆନ୍ତି। ଘଟୁଆରୀ ଘରୁ ଚନ୍ଦନ କର୍ପୂର କେଶର ଚୁଆ ଘଟୁଆରୀ ପରଖ ରେ ଧରି ତଡଉ କରଣ ଭଣ୍ଡାର ମେକାପଙ୍କୁ ଜଳ ଅଧିବାସ ସ୍ଥାନକୁ ଯାଆନ୍ତି। ଏହି ଚନ୍ଦନ ୧୦୮ ଗରା ଜଳରେ ସମାନ ଭାଗ ରେ ମିଶା ହୁଏ। ଗରାବଡୁ ମାନେ ଜଳ କୁମ୍ଭ ଉପରେ ନଡ଼ିଆ କରିଆ ରଖନ୍ତି ।
ଏ ପଟେ ଦିଅଁ ମାନଙ୍କୁ ରୁନ୍ଧା କାଯ୍ୟକ୍ରମ ବଢେ। ଦୈନଦିନ ନୀତି ପାଇଁ ମଙ୍ଗଳ ଆଳତି. ମୁଖ ଧୋ ପଖାଳ, ତଡ଼ପ ଉତ୍ତରୀ ଲାଗି,ଅବକାଶ ନୀତି ପାଇଁ ପ୍ରସ୍ତୁତି ଆରମ୍ଭ ହୁଏ। ଅବକାଶ ନୀତି ବଢିଲା ପରେ ବୋଇରାଣୀ ଲୁଗା ସଜ ୩ ବାଡରେ ଲାଗି ହୋଇ ମାଳ ଚୂଳ ରେ ବେଶ ହୁଅନ୍ତି। ଠାକୁର ମାନଙ୍କ ର ଅବକାଶ ଓ ବେଶ ହେଉଥିବା ସମୟରେ ରୋଷ ଧୋ ପଖାଳ ହୋଇଥାଏ।  ସୂର୍ୟ୍ୟ  ପୂଜା ଓ ଦ୍ଵାରପାଳ ପୂଜା ଅନୁଷ୍ଠିତ ହେବା ପରେ ପାଳିଆ ପ୍ରତିହାରୀ ସ୍ନାନ ମଣ୍ଡପ ଚାରି ପଟେ ପୋତା ହୋଇଥିବା ଲୁହା ଖମ୍ବ ମାନଙ୍କ ରେ ଟେରା ବାନ୍ଧିଥାନ୍ତି।  ସୁଆର ବଡୁ ପାଣି ପକାଇ ଧୋ ପଖାଳ କରନ୍ତି। ପରେ ପତ୍ରୀ ବଡୁ ଜଳ ଛେକ ସକାଶେ ପୂଜା ଠା କରନ୍ତି। ପାଳିଆ ପଢ଼ିଆରୀ ଜଳ ଅଧିବାସ ସ୍ଥାନ କୁ ଜଳ ଛେକ ଆସିବା ସକାଶେ ଡାକିଯିବା ପରେ ଗରାବଡୁ ସେବକମାନେ ମୁହଁ ରେ ମୁହାଁ ବାନ୍ଧି ଜଳ ଛେକ କୁ ହାତ ରେ ଧରି ଚାଲନ୍ତି। ଆଗରେ ତଳିଚ୍ଛ ମହାପାତ୍ର ପ୍ରଧାନୀ ସହ ହାତ ପୈଠ ହୋଇ ଚାଲନ୍ତି। ଘଣ୍ଟା କାହାଳୀ ଓ ବାଜା ବାଜୁ ସହିତ ଛତାର ସେବକ ଛତା ଧରି ଯାଆନ୍ତି। ଏହିପରି ଚାରି ବାଡ଼ ରେ ୪ ଥର ଜଳ ଛେକ ବିଜେ ହୋଇଥାଏ। ମୁଦିରସ୍ତ ଗଦି ପ୍ରସାଦ ଲାଗି କରନ୍ତି।   ୩ ଜଣ ପୂଜାପଣ୍ଡା ପୂଜା ରେ ବସନ୍ତି। ଷୋଡ଼ଷ ଉପଚାରରେ ପୂଜା ବଢିଲା ପରେ ଗରାବଡୁ ମାନେ ଚନ୍ଦନ ମିଶ୍ରିତ ଜଳ ଗରା ମାନ ହାତରେ ଧରି ୩ ଜଣ ମେକାପ ଧରିଥିବା ରୂପା ପିଙ୍ଗଣରେ ଜଳ ଦିଅନ୍ତି। ପୂଜାପଣ୍ଡା ମାନେ ମେକାପ ମାନଙ୍କ ଠାରୁ ଏହି ପିଙ୍ଗଣ ମାନ ନେଇ ତିନି ବାଡ଼ ରେ ଜଳ ଲାଗି କରନ୍ତି। ଗରାବଡୁ ମାନେ ପ୍ରତ୍ୟେକ ବାଡ଼ ସକାଶେ ଆଣିଥିବା ଜଳ ଗଡୁ ମାନ ମେକାପ ଧରିଥିବା ରୂପା ପିଙ୍ଗଣରେ ଢାଳନ୍ତି। ମେକାପ ଠାରୁ ପୂଜାପଣ୍ଡା ମାନେ ଜଳ ନେଇ ମହାପ୍ରଭୁଙ୍କୁ  ମାନଙ୍କୁ ଜଳ ଲାଗି କରନ୍ତି। ଜଳ ଲାଗି ସମୟରେ ଘଣ୍ଟା କାହାଳୀ ଓ ବାଜା ବାଜୁଥାଏ।
ଶ୍ରୀ  ଜଗନ୍ନାଥ ୩୫, ବଡ଼ ଭାଇ ବଳଭଦ୍ର ୩୩, ଦେବୀ ସୁଭଦ୍ରା ୨୨ ଓ ସୁଦର୍ଶନଙ୍କୁ ୧୮ ଗରା ସମେତ ମୋଟ ୧୦୮ ଗରା ଜଳ ଲାଗି ହୁଏ।