ଓଡିଆନ୍ ନ୍ୟୁଜ

166

ହରିଗୋବିନ୍ଦଙ୍କ ହରିରଥ, ଓଡ଼ିଆ କାରିଗରୀର ନିପୂଣ କଳା ।

Team Odian News |

ହରିଗୋବିନ୍ଦଙ୍କ ହରିରଥ, ଓଡ଼ିଆ କାରିଗରୀର ନିପୂଣ କଳା  ।
ସରସିନୀ ସୁବୁଦ୍ଧିଙ୍କ ସ୍ୱତନ୍ତ୍ର ରିପୋର୍ଟ
ଭୁବନେଶ୍ୱର,୨୯ା୬( ଓଡ଼ିଆନ୍‍ ନ୍ୟୁଜ୍‍ ):ଭାବର ଠାକୁର ଜଗନ୍ନାଥ । ତାଙ୍କୁ କିଏ ଫୁଲ ଫଳ ଆଉ ପତର ଦେଇତ କିଏ ଖୁଦଭଜା ଅର୍ପଣ କରି ମନବାଞ୍ଚା ପୂରଣ କରିଥାଏ  । ଆଉ ପୁଣି କିଏ  ବାଲି ରଥ ତିଆରି କରି ଭକ୍ତି ଭାବରେ ରଥ ଟାଣିଥାଏ । ଆଉ ସେ ଭକ୍ତଙ୍କ ସହ ସବୁବେଳେ ଭାବ ବିନୋଦିଆ  । ଜଗନ୍ନାଥଙ୍କ ୧୨ ମାସରେ ୧୩ ଜାତ । ସବୁ ଯାତ ମଧ୍ୟରୁ ଘୋଷଯାତ୍ରା ବା ରଥ ଯାତ୍ରା ବିଶ୍ୱ ପ୍ରସିଦ୍ଧ । ଆଉ କିଛିଦିନ ପରେ ଏହି ଯାତ ଅନୁଷ୍ଠିତ ହେବ, ଏଥିପାଇଁ ଶ୍ରୀକ୍ଷେତ୍ର ଚଳଚଞ୍ଚଳ ହୋଇ ପଡ଼ିଲାଣି । ସ୍ନାନପୂର୍ଣ୍ଣିମା ନୀତି ପରେ ତିନି ଠାକୁର ଏବେ ଅଣସର ଘରେ  । ଆଉ ଅଲାରନାଥଙ୍କ ସହିତ ବଡ ଦେଉଳରେ ପଟ୍ଟ ଦିଆଁଙ୍କ ଦର୍ଶନ କରି ଆଶୀର୍ବାଦ ପ୍ରାପ୍ତ ହେଉଛନ୍ତି ଜଗନ୍ନାଥ ପ୍ରେମୀ  ।  ସେପଟେ ଠାକୁରଙ୍କ ରଥଯାତ୍ରା ପାଇଁ ବଡ଼ ଦାଣ୍ଡରେ ରଥଗଢା କାମ ଆଗେଇ ଚାଲିଛି । ଜଗନ୍ନାଥଙ୍କ ରଥଯାତ୍ରାକୁ ନେଇ କେବଳ ପୁରୀ ନୁହେଁ ସାରା ରାଜ୍ୟ ଉକ୍ରଣ୍ଠିତ ଥିବା ବେଳେ ଏକ ଅଭିନବ ଢଙ୍ଗରେ ରଥ ଯାତ୍ରାର ବହୁ ଆଗରୁ ବ୍ରହ୍ମପୁର ଶ୍ରୀରାମ ନଗର ଅଞ୍ଚଳର ହରିଗୋବିନ୍ଦ ମହାରଣା (ଅରବିନ୍ଦ) ଖାଦ୍ୟ ଦ୍ରବ୍ୟରେ ଗଢିଛନ୍ତି ଏକ ନିଆରା ରଥ ।  ଶହଶହ ଭକ୍ତମାନଙ୍କ ମନରେ ଏହି ନିଆର ରଥ ଏବେ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି    । 
ସାଙ୍ଗଙ୍କ କଟାକ୍ଷ ବାଟ ଦେଖାଇଲା
ହରିଗୋବିନ୍ଦ ପେଶାରେ ଜଣେ ଗାଡ଼ିମୋଟର ମେକାନିକ  । ସକାଳୁ ସନ୍ଧ୍ୟା ଯାଏଁ ଗ୍ୟାରଜରେ କାମ  ।  ଘରକୁ ଫେରି ମୋବାଇଲରେ  ମନୋରଞ୍ଜନ କରନ୍ତି ନହେଲେ ଟିଭି ଦେଖନ୍ତି । ଘରେ ପିଲାମାନେ ପଢାପଢି କରୁଥିବାରୁ  ଟିଭି ଦେଖିବା ସମସ୍ୟା ହେଲା  । ଦିନେ ହରିଗୋବିନ୍ଦଙ୍କ ପୁଅ ବାପାଙ୍କ ନିକଟରେ ଅଭିଯୋଗ କହିଥିଲେ ଯେ ବାପା ଟିଭି ପାଇଁ ମୋତେ ପଢିବାକୁ ଅସୁବିଧା ହେଉଛି । ଏହାପର ଠାରୁ ସେ ଅନୁଭବ କରିଥିଲେ ଅନୁଭବ କରିଥିଲେ ଟିଭି ଏବଂ ମୋବାଇଲ ପଛରେ ପଡ଼ି ସମୟ ନଷ୍ଟ କରିବା ଅପେକ୍ଷା କିଛି ନୂଆକାମ କରିବା ଭଲ । ଏହାପରେ ପ୍ରଥମେ ସେ ଏକ ଫିଟିକିରି ଖଣ୍ଡକୁ ମାଠୁମାଠୁ ସେଥିରୁ ବାଲକୃର୍ଷ୍ଣ ମୂର୍ତ୍ତି ତିଆରି କରିପାରିଥିଲେ ।  ଏହାପରେ ସେ ସାବୁନରେ ବିଭିନ୍ନ ପ୍ରକାର ଜିନିଷ ଗଢିଥିଲେ । ନିଜ ହାତତିଆରି ଜିନିଷ ଦେଖି ତାଙ୍କୁ ବହୁତ ଖୁସି ଲାଗିଥିଲା ଆଉ ସେ ତାଙ୍କ ହାତ ତିଆରି କାରୁକାର୍ଯ୍ୟକୁ ସାଙ୍ଗମାନଙ୍କୁ ମଧ୍ୟ ଦେଖାଉଥିଲେ  । କେତେକ ସାଙ୍ଗ ତାଙ୍କ କାମକୁ ପ୍ରସଂଶା କରିଥିବା ବେଳେ ଆଉ କେତେକ ସାଙ୍ଗ କଟାକ୍ଷ କରି କହିଥିଲେ ‘ଏଭଳି କେତେ ଲୋକ କରୁଛନ୍ତି ତୁ ଏମିତି  କଣ ଗୋଟେ କରିଛୁ ଯେ କହିବୁଲୁଛୁ, ଯଦି କରୁଛୁ କିଛି ନୂଆ କରି ଦେଖା’  । ଏହି କଥାଟା ତାଙ୍କୁ କଷ୍ଟ ଦେଇଥିଲେ ମଧ୍ୟ  ନୂଆକିଛି କରିବା ପାଇଁ ପ୍ରେରଣା ଦେଇଥିଲା । 
ବ୍ୟବହାର ହୋଇଛି ୪୫ ପ୍ରକାର ଖାଦ୍ୟ ଦ୍ରବ୍ୟ 
ଏହାପରେ ତାଙ୍କୁ ଖାଦ୍ୟ ଦ୍ରବ୍ୟରେ ନିଆର ରଥ ତିଆରି ପାଇଁ ଚିନ୍ତାଧାରା ଆସିଥିଲା । କାଳବିଳମ୍ବ ନକରି ଗ୍ୟାରେଜ କାମସାରି ଘରକୁ ଫେରିବା ପରେ ଲାଗି ପଡ଼ୁଥିଲେ ରଥ ତିଆରି କାମରେ  । ଅନେକ ଜିନିଷ କିଣିକରି ଆଣିଥିଲେ କିଛି କିଛି ନିଜ ଘରୁ ଓ ବନ୍ଧୁଙ୍କ ପାଖରୁ ସଂଗ୍ରହ କରିଥିଲେ ।  ପ୍ରାୟ ୬ମାସରୁ ଅଧିକ ସମୟ ଲାଗିଗଲା  ।  ୩୧ ଇଞ୍ଚ ଉଚ୍ଚତା ଓ ୧୬  ଇଞ୍ଚି ଚଉଡ଼ାର ରଥଟେ ତିଆରି କରିବାକୁ ସକ୍ଷମ ହୋଇଛନ୍ତି ହରିଗୋବିନ୍ଦ   । ଏଥିପାଇଁ  ୪୫ ପ୍ରକାରର ଖାଦ୍ୟ ଦ୍ରବ୍ୟ ସେ ବ୍ୟବହାର କରିଛନ୍ତି  । ରଥଟିର ଓଜନ ପ୍ରାୟ ୩କିଲୋରୁ ଅଧିକ ରହିଛି ।
ଚନ୍ଦୁରୁ କାଇଁଚ ସବୁ ଲାଗିଛି ରଥ ତିଆରିରେ
ଆଖୁଠୁ ଆରମ୍ଭ କରି କାଇଁଚ ପର୍ଯ୍ୟନ୍ତ ସବୁକିଛି ଏଥିରେ ରହିଛି । ରଥର ୧୬ଟି ଚକ ମକାମଞ୍ଜିରେ, ୮ଟି ଅଖ ଆଖୁ ଦଣ୍ଡାରେ । ପ୍ରଥମ ଓ ଦ୍ୱିତୀୟ ପୀଠ ୬୦୦ରୁ ଅଧିକ ହଳଦୀ ଖଣ୍ଡରେ । ଧଳାଘୋଡ଼ା ପୋସ୍ତରେ ଓ କଳାଘୋଡ଼ା କଳା ଜିରାରେ ଆବୃତ କରିଥିବା ବେଳେ ସାରଥି କାଠ ଝୁଣାରେ,ପୀଠ ବେରଣୀ ପିମ୍ପଳି, ରଥ କଣ୍ଟା ଲବଙ୍ଗରେ । ଠାକୁରଙ୍କ ନିମ୍ନ ପୀଠ ରକ୍ତ ଚନ୍ଦନରେ ତିଆରି କରିଛନ୍ତି । ସେହିପରି ସମ୍ମୁଖ ପାଶ୍ୱର୍ ପିସ୍ତାବାଦାମ, କାଇଁଚ, ଅଳେଇଚ, ଋଦ୍ରାକ୍ଷ, ସାଗୁ, ଅନାସୀ ଫୁଲ, ଉତ୍ତର ପାଶ୍ୱ ପିସ୍ତାବାଦାମ, ଧଳା ସୋରିଶ, ମୁଗ, ଗୋଲମରିଚ, ମସୁରଡ଼ାଲି, ଅନାସୀ ଫୁଲ, ମେଥି ଲଗାଇଥିବା ବେଳେ ଦକ୍ଷିଣ ପାଶ୍ୱର୍ ବିରି ଡ଼ାଲି, କୋଳଥ,ଧଳାଜିରା, ରାଜମା ମଞ୍ଜି, ଶୁଆଁ, ମାଣ୍ଡିଆ ଦେଇ ତିଆରି କରିଛନ୍ତି । ସେହିଭଳି ପଛ ପାଖ ପିସ୍ତାବାଦାମ, ଝୁଡ଼ଙ୍ଗ, କାଜୁରେ ସ୍ୱସ୍ତିକ, କାନ୍ଦୁଲ ଡ଼ାଲି, ଧନିଆ, କଳାଜିରା, ପାନମହୁରୀ ଓ ଗହମରେ ତିଆରି କରିଛନ୍ତି । ଏହାସହ ଦଧି ନଉତି ସମ୍ପୂର୍ଣ୍ଣ ଧାନରେ, ପତିତ ପାବନ ତୁଳସୀ କାଠରେ, ବାନା ନୀମ୍ବ ପତ୍ରରେ, ଦୁଇଟି ଓଲଟ ଓ ଶୁଆ ପାନମହୂରୀ ଓ ଶୁଖିଲା ଲଙ୍କାରେ ତିଆରି ରାମାନୁଜ ଚିହ୍ନ କୋରରେ ତିଆରି ହୋଇଛି । ଏ ନେଇ ହରିଗୋବିନ୍ଦ କୁହନ୍ତି ‘କିଛି ନିଆରା କରିବାର ଇଛା ଥିଲା ପ୍ରଭୁ ଜଗନ୍ନାଥଙ୍କ କୃପାରୁ ମୁଁ ଏଭଳି କାରୁକାର୍ଯ୍ୟ କରିପାରିଛି’ । ଆଉ ମୋ ପରିବାର, ପଡ଼ୋଶୀ ଓ ବନ୍ଧୁମାନେ ମଧ୍ୟ ମୋତେ ଉତ୍ସାହିତ ଓ ସାହାଯ୍ୟ କରିଥିବାରୁ ରଥ ସଂପୂର୍ଣ୍ଣ ହୋଇଛି  । ହରିଗୋବିନ୍ଦଙ୍କ ନିଆରା ରଥକୁ ଦର୍ଶନ ନିମେନ୍ତ ତାଙ୍କ ଘରେ ସାଇପଡ଼ିଶା, ବନ୍ଧୁବାନ୍ଧବଙ୍କ ସହିତ ଜଗନ୍ନାଥପ୍ରେମୀଙ୍କ ଭିଡ଼ ଲାଗିରହିଛି  । ରହିଙ୍କ ନିଆରା ରଥ ନିର୍ମାଣ କରି ସତେ ଯେମିତି ହରିଗୋବିନ୍ଦ ନିଜ ନାମକୁ ସାର୍ଥକ କରିଛନ୍ତି  । ତାଙ୍କ ହାତର ଯାଦୁକାରୀ କଳାର ନିପୂଣତା ବିଶ୍ୱ ଦରକାରରେ ବନ୍ଦନୀୟ ହେଉ, ଏହାହିଁ କାମନା  ।