ଓଡିଆନ୍ ନ୍ୟୁଜ

148

କୃଷକଙ୍କ ଆୟ ୨ଗୁଣ କରିବାକୁ ସରକାର ପ୍ରତିଶ୍ରୁତିବଦ୍ଧ : ଧର୍ମେନ୍ଦ୍ର,‘ଏଗ୍ରି ବିକାଶ-୨୦୧୮’ ଉଦ୍‌ଘାଟିତ

Team Odian News |

କୃଷକଙ୍କ ଆୟ ୨ଗୁଣ କରିବାକୁ ସରକାର ପ୍ରତିଶ୍ରୁତିବଦ୍ଧ : ଧର୍ମେନ୍ଦ୍ର,‘ଏଗ୍ରି ବିକାଶ-୨୦୧୮’ ଉଦ୍‌ଘାଟିତ
ଭୁବନେଶ୍ୱର ୩୦/୬( ଓଡ଼ିଆନ୍‍ ନ୍ୟୁଜ୍‍ ): ଓଡିଶାର କୃଷିଜାତ ଦ୍ରବ୍ୟକୁ ଅନ୍ୟ ରାଜ୍ୟ ତଥା ବିଦେଶୀ ବଜାର ସହ ସଠିକ ଭାବେ ସଂଯୋଗ କରିପାରିଲେ କୃଷକଙ୍କର ନୁହେଁ ଓଡିଶାର ଅର୍ଥନୀତିରେ ପରିବର୍ତ୍ତନ ଆସିପାରିବ। ଦେଶରେ ଖାଦ୍ୟ ଶସ୍ୟର ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍‌ଏସ୍‌ପି)ରେ ବୃଦ୍ଧି ଘଟାଇବା ପାଇଁ ସରକାର ଆସନ୍ତା କିମ୍ବା ପରବର୍ତ୍ତୀ କେନ୍ଦ୍ର କ୍ୟାବିନେଟରେ ନିଷ୍ପତ୍ତିି ନେବେ। ଦେଶରେ କୃଷକଙ୍କ ଆୟ ୨ଗୁଣ କରିବା ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରଖିଥିବା ସ୍ୱପ୍ନ ସାକାର କରିବା ପାଇଁ କେନ୍ଦ୍ର ସରକାର ପ୍ରତିଶ୍ରୁତିବଦ୍ଧ। ‘ଏଗ୍ରି ବିକାଶ–୨୦୧୮’ ଏ ଦିଗରେ ସହାୟକ ହେବ ବୋଲି କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ବାଷ୍ପ ଏବଂ ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ।
ଶୁକ୍ରବାର ସୋଆ ବିଶ୍ୱବିଦ୍ୟାଳୟରେ ଏଗ୍ରି ବିକାଶ–୨୦୧୮’ର ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶ୍ରୀ ପ୍ରଧାନ କହିଛନ୍ତି ଯେ,ସ୍ୱାଧୀନତା ପରେ ଓଡିଶାରେ ବିଭିନ୍ନ କୃଷିଜାତ ଦ୍ରବ୍ୟର ଉତ୍ପାଦନରେ ବୃଦ୍ଧି ଘଟିଥିବାବେଳେ ଏବେ ବି ଆଳୁ, ମାଛ ଓ ଅଣ୍ଡା ଭଳି ଅନେକ ଦ୍ରବ୍ୟ ପାଇଁ ବାହାର ରାଜ୍ୟ ଉପରେ ନିର୍ଭରଶୀଳ ହେବାକୁ ପଡୁଛି। ଓଡିଶାରେ ଉତ୍ପାଦିତ ବଳକା କୃଷିଜାତ ଦ୍ରବ୍ୟର ବଜାର ସଂଯୋଗୀକରଣ ଏକ ବଡ ଆହ୍ୱାନ ଭାବେ ମୁଣ୍ଡ ଟେକିଛି। କନ୍ଧମାଳ ହଳଦୀ ପାଇଁ ପ୍ରସିଦ୍ଧ। ଆମେରିକାରେ ଜୈବିକ ଉପାୟରେ ଏହି ହଳଦୀରୁ କାଲକୁମିନ ବାହାର କରାଯାଇ କ୍ୟାନସର ପାଇଁ ଔଷଧ ପ୍ରସ୍ତୁତ କରାଯାଉଛି। ବିଶ୍ୱ ବଜାରରେ ଓଡିଶାର କୃଷିଜାତ ଦ୍ରବ୍ୟ ପାଇଁ ସୃଷ୍ଟି ହୋଇଥିବା ସୁଯୋଗ ବୁଝି ଏହାର ସଦୁପଯୋଗ କରାଯାଇପାରିଲେ ଓଡିଶା ଲାଭବାନ ହୋଇପାରିବ। କୁଚିଣ୍ଡା ଲଙ୍କା, କୋରାପୁଟ ଅଦା, ମୟୂରଭଞ୍ଜ ପଶୁସମ୍ପଦ ଓ ଉପକୂଳ ଓଡ଼ିଶାର ମତ୍ସ୍ୟ ସମ୍ପଦର ଉପଯୁକ୍ତ ମୂଲ୍ୟ ସଂଯୋଗୀକରଣର ଆବଶ୍ୟକତା ରହିଥିବା ସେ କହିଛନ୍ତି।