ଓଡିଆନ୍ ନ୍ୟୁଜ

142

ରଥ ଖଳା ଚଳଚଞ୍ଚଳ: ଆଉ ୧୫ ଦିନ ରହିଲା ଘୋଷଯାତ୍ରା

Team Odian News |

ରଥ ଖଳା ଚଳଚଞ୍ଚଳ: ଆଉ ୧୫ ଦିନ ରହିଲା ଘୋଷଯାତ୍ରା 
ଅକ୍ଷୟ ସ୍ୱାଇଁଙ୍କ  ରିପୋର୍ଟ
ପୁରୀ,୩୦ା୬( ଓଡ଼ିଆନ୍‍ ନ୍ୟୁଜ୍‍ )
ଆସନ୍ତା ୧୪ ତାରିଖରେ ମହାପ୍ରଭୁଙ୍କର ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରା ଅନୁଷ୍ଠିତହେବ । ସେଥିପାଇଁ ରଥଖଳା ଚଳଚଞ୍ଚଳ ହୋଇପଡ଼ିଛି । ରଥଖଳାରେ ତିନି ରଥକାର୍ଯ୍ୟ ଜୋରଦାର ଆଗେଇ ଚାଲିଛି । ତିନିରଥର ସିଂହାସନ କାର୍ଯ୍ୟ ସରିଥିବା ବେଳେ ଏବେ ପ୍ରଭା ନିର୍ମାଣ ଚାଲିଛି । ରଥ ଉପର ସଂଯୋଗ ପାଇଁ ଦୁଆର ବେଣ୍ଟ, ପରସ୍ତ ପୋଟଳ କଳସ, ହଂସପଟ, କନ୍ୟାପଟା, ନାଟ ଗୋଡ଼, ସଖୀ, ଶିଖର ଡ଼ମରୁ, ଓଡଲଟ ସୁଆ ଓ ତିନି ରଥର ରଙ୍ଗ କାର୍ଯ୍ୟ ଚାଲିଛି । ରଥରେ ଲାଗିବାକୁ ଥିବା ଲାଗିଲୁଗା ସିଲେଇ କାର୍ଯ୍ୟ ଚାଲିଛି । ନେତ୍ରଉତ୍ସବ ପୂର୍ବରୁ ସମସ୍ତ କାର୍ଯ୍ୟ ସମାପନ ହେବ । ୧୩ ତାରିଖ ଦିନ ତିନି ରଥର ପୂର୍ତ୍ତବିଭାଗ ଫିଟିନେସ୍‍ ଦେବାପରେ ଶ୍ରୀମନ୍ଦିରରୁ ମହାପ୍ରଭୁଙ୍କ ଠାରୁ ଆଜ୍ଞାମାଳ ଆସିଲା ପରେ ସିଂହଦ୍ୱାରକୁ ରଥ ଯିବ । ରଥଯାତ୍ରା କିଭଳି ଶୃଙ୍ଖଳିତ ହେବ ସେଥିପାଇଁ ୩ ତାରିଖ ଦିନ ମୁଖ୍ୟମନ୍ତ୍ରୀ  ନବୀନ ପଟ୍ଟନାୟକ ରଥଯାତ୍ରାର ସମୀକ୍ଷା କରିବେ । ଅଣସର ଘରେ ମହାପ୍ରଭୁ ଥିବାରୁ ଶ୍ରୀମନ୍ଦିରକୁ ଭକ୍ତମାନେ ଯିବାଆସିବା କମିଯାଇଥିବା ଦେଖା ଯାଉଛି । ଅଣସରଘରେ ସେବାୟତମାନେ ମହାପ୍ରଭୁଙ୍କୁ ଗୁପ୍ତ ସେବା ସହିତ ଫଳମୂଳ ଭୋଗ କରୁଛନ୍ତି ।  ରଥଯାତ୍ରା ପାଖେଇ ଆସିଥିବାରୁ ସମସ୍ତ ଅଫିସର ଓ କର୍ମଚାରୀମାନେ ବ୍ୟସ୍ତ ହୋଇପଡ଼ିଥିବା ଦେଖାଯାଇଅଛି । ରଥଯାତ୍ରା କିଭଳି ଶୃଙ୍ଖଳିତ ଭାବରେ ସରିବ ସେଥିପାଇଁ ଚିନ୍ତିତ ହୋଇପଡ଼ିଛନ୍ତି ଜିଲା ପ୍ରଶାସନ ସହିତ ଶ୍ରୀମନ୍ଦିର ପ୍ରଶାସନ ।