ଓଡିଆନ୍ ନ୍ୟୁଜ

232

ବୁଡିଯାଉଛି ଢୁମ୍ପା

Team Odian News |

ବୁଡିଯାଉଛି ଢୁମ୍ପା
ସରସିନୀ ସୁବୁଦ୍ଧିଙ୍କ ସ୍ୱତନ୍ତ୍ର ରିପୋର୍ଟ
ଭୁବନେଶ୍ୱର,୭/୭( ଓଡ଼ିଆନ୍‍ ନ୍ୟୁଜ୍‍ ):
ଗୋଟିଏ ସଭ୍ୟତା ସଂସ୍କୃତିର ପରିଚୟ ହେଉଛି ଲୋକକଳା ଓ ଲୋକସଙ୍ଗୀତ । କେବଳ ସେତିକି ନୁହେଁ ଏହା ମଧ୍ୟ ଲୋକମାନଙ୍କୁ ମନୋରଞ୍ଜନର ଖୋରାକ ଯୋଗାଇଥାଏ । ଏଥିରେ ଗୋଟିଏ ଅଞ୍ଚଳର ଲୋକମାନେ ପ୍ରତ୍ୟକ୍ଷଭାବେ ଜଡ଼ିତ ଥାନ୍ତି  । ସେମାନେ ଏକାଠି ହୋଇ ଏହାକୁ ପରିବେଶିତ କରିଥାନ୍ତି ତେଣୁ ଏହାକୁ ଲୋକକଳା ବା ସଙ୍ଗୀତ କୁହାଯାଏ । ଏହି ଲୋକକଳା ଓ ସଙ୍ଗୀତ ହିଁ ଗୋଟିଏ ଅଞ୍ଚଳର ଲୋକଙ୍କ ଚାଲିଚଳଣୀ, ଜୀବନଶୈଳୀ, ଭାଷା, ପର୍ବପର୍ବାଣୀକୁ ସମସ୍ତଙ୍କ ଆଗରେ ପରିଚିତ କରିଥାଏ  । ହେଲେ ସମୟ କର ଲେଉଟାଇବା ସହ ସମାଜ ଅଧୁନିକତା ଆଡ଼କୁ ଦଉଡ଼ିବା ଭିତରେ ଅନେକ ସଂସ୍କୃତି, ପରମ୍ପରା, ସଭ୍ୟତା ସହ ଲୋକକଳା ଓ ଲୋକସଙ୍ଗୀତ ମଧ୍ୟ ଲୋପ ପାଇଯାଇଥାଏ ।  ଏହିଭଳି ଅବସ୍ଥା ହେବାକୁ ଯାଉଛି ନୟାଗଡ଼ ଜିଲ୍ଲାର ଖଣ୍ଡପଡ଼ାରେ କାହିଁ କେତେ କାଳରୁ ପ୍ରଚଳିତ ଲୋକସଙ୍ଗୀତ “ଢୁମ୍ପାସଙ୍ଗୀତ”ର । ଖଣ୍ଡପଡ଼ା ହେଉଛି ଏକ ଗଡ଼ଜାତ ଅଞ୍ଚଳ  । ଏହି ଅଞ୍ଚଳଟି ରାଜବାଟି, ପଠାଣୀ ସାମନ୍ତ ଓ ଢୁମ୍ପା ସଙ୍ଗୀତ ପାଇଁ ପରିଚିତ  । ଓଡ଼ିଶାର ଗଞ୍ଜାମ ଅଞ୍ଚଳରେ ଢୁମ୍ପାସଙ୍ଗୀତ ଥିଲେ ମଧ୍ୟ ଖଣ୍ଡପଡ଼ାକୁ ଢୁମ୍ପାସଙ୍ଗୀତର ଜନ୍ମ ମାଟି ବୋଲି କୁହାଯାଏ । ଏହି ଗଡ଼ଜାତ ଅଞ୍ଚଳରେ ଢୁମ୍ପା ଥିଲା  ଏକ ପ୍ରତିଷ୍ଠିତ ଲୋକସଙ୍ଗୀତ  । ରାଜବାଟିଠାରୁ ଆରମ୍ଭ କରି ଗାଁ ପର୍ଯ୍ୟନ୍ତ ସବୁଠି ଶୁଣିବାକୁ ମିଳୁଥିଲା ଢୁମ୍ପାସଙ୍ଗୀତ ।  ହେଲେ ଏବେ ଏହି ଲୋକ ସଙ୍ଗୀତର ଅସ୍ତିତ୍ୱ ହଜାଇବା ସହ ବୁଡ଼ିବାକୁ ବସିଲାଣି । କ’ଣ ପାଇଁ ଏ ପରସ୍ଥିତି ହୋଇଛି ? କ’ଣ ରହିଛି  ଅସୁବିଧା ?  ଏହି ସବୁ ଜାଣିବା ପାଇଁ  ଆମ ପ୍ରତିନିଧି ପହଞ୍ଚିଥିଲା ଖଣ୍ଡପଡ଼ାର ଢୁମ୍ପା କଳାକାରଙ୍କ ପାଖରେ  ।  ଆଉ ସେମାନଙ୍କ ସହ କଥା ହେବା ପରେ ଜାଣିବାକୁ ପାଇଥିଲୁଯେ ଗଛର ଅଭାବ , ଭିତି ଭୂମିରଅଭାବ, କଳାକାରଙ୍କ ଅଭାବ, ଯୁବପିଢିଙ୍କ ଅନାଗ୍ରହ କାରଣରୁ ଏହି ଲୋକ ସଙ୍ଗୀତ ବୁଡ଼ିବାକୁ ବସିଛି ।

ବର୍ଷା ପାଇଁ ଢୁମ୍ପା
ଭେଣ୍ଡିଆ ମରଦନ(ଏକ ପ୍ରକାରର ଗଛ), ମଇ ବା ସିମିଳୀ ଗଛରୁ ସିଲିଣ୍ଡର ଆକୃତିର କାଟି ଢୁମ୍ପା ତିଆରି କରାଯାଏ ।   ଏହାର ଗୋଟିଏ ପାଶ୍ୱର୍ରେ ଜଣେ ପେଟାଲୋକ ଢୁମ୍ପାକୁ ପେଟରେ ଦେଇ ବସିଥାନ୍ତି ତାଙ୍କୁ ଢୁମ୍ପାଳି କୁହାଯାଏ । ତାଙ୍କ ହାତରେ ମଧ୍ୟ ଗୋଟିଏ କାଠି ଥାଏ  । ସେ ପେଟ ଓ କାଠି ସାହାର୍ଯ୍ୟରେ ସ୍ୱର ସୃଷ୍ଟି କରିଥାନ୍ତି । ଅନ୍ୟ ପାଶ୍ୱର୍ଟି ସେମିତି ଖୋଲା ରହିଥାଏ  । ମଝିରେ  ୪ଜଣ ଦୁଇ ଦୁଇଟି ବାଡ଼ି ଧରି ବଜାଉଥାନ୍ତି ସେମାନଙ୍କୁ କାଠିଆ କୁହାଯାଏ । ମୁଖ୍ୟତ ଢୁମ୍ପାର ଦୈର୍ଘ୍ୟକୁ ଦେଖି କାଠିଆ ସାମିଲ୍ କରାଯାଇଥାଏ । ୩ ବା ୪ଜଣ କାଠିଆ ସାମିଲ ହୋଇଥାନ୍ତି । ସମୁଦାୟ ୫ଜଣ କଳାକାର ସାମିଲ୍ ହୋଇଥାନ୍ତି । ଏହାସହ କିଛି ଲୋକ  ହାରମୋନିୟମ, ମାଦଳ, ଡ଼ୁବିତବଲା ସେମାନଙ୍କୁ ସହଯୋଗ କରିଥାନ୍ତି ।  ଢୁମ୍ପାର ପ୍ରକୃତ ସାଥି ଭାବେ ଡ଼ୁବିତବଲାକୁ ନିଆଯାଏ । ଏହାର ଗୀତ ସାମନ୍ତ ଚନ୍ଦ୍ର ଶେଖରଙ୍କ  ମଝିଆ ପୁଅ ଗଦାଧର ସିଂ ସାମନ୍ତଙ୍କ ରଚନାରୁ ବୋଲାଯାଇଥାଏ । ପ୍ରାୟତଃ ଗୀତଗୁଡ଼ିକ ରାଧାକୃଷ୍ଣ ପ୍ରେମ ସମ୍ବଳିତ । ଢୁମ୍ପାଟି ବର୍ଷାଦିନରେ ଭଲ ବାହାରୁଥିବାରୁ ବର୍ଷା ଦିନେହିଁ ଢୁମ୍ପାସଙ୍ଗୀତ ପରିବେଷଣ କରାଯାଇଥାଏ । ଅନ୍ୟ ଦିନରେ ଭଲ ଢୁମ୍ପା ବାହାରି ନଥାଏ ତାହାସହ ବ୍ୟୟ ସାପେକ୍ଷ ହୋଇଥାଏ । ଜୁଲାଇରୁ ଜାନୁୟାରୀ ହେଉଛି ଢୁମ୍ପା ବାହାରିବାର ଓ ପରିବେଷଣର ଉପଯୁକ୍ତ ସମୟ । କହିବାକୁ ଗଲେ ବର୍ଷା ଉପରେ ଢୁମ୍ପା ସମ୍ପୁର୍ଣ୍ଣ ଭାବେ ନିର୍ଭରଶୀଳ । ବର୍ଷା ଭଲ ନହେଲେ ଢୁମ୍ପା ମଧ୍ୟ ଭଲରେ ହୋଇ ପାରିବନି ।
ମିଳୁନି ଗଛ
ହେଲେ ଏବେ ଏହି ଢୁମ୍ପାସଙ୍ଗୀତ କ୍ଷେତ୍ରରେ ଅନେକ ସମସ୍ୟା ଦେଖାଯାଉଛି । ସେଥି ମଧ୍ୟରୁ  ଗଛର ଅଭାବ ଏକ ମୁଖ୍ୟ ସମସ୍ୟା ପାଲଟିଛି  । ପ୍ରଥମେ ଭେଣ୍ଡିଆ ମରଦନ ଗଛରେ କରାଯାଉଥିଲା ତାପରେ ମଇ ଏବେ ସିମିଳୀ ଗଛରୁ ଢୁମ୍ପା ବାହାର କରାଯାଉଛି । ହେଲେ ଏବେ ଏହି ଗଛଗୁଡ଼ିକ ମିଳିବା କଷ୍ଟକର ହୋଇପଡ଼ୁଛି । ଏହିଗଛ ଗୁଡ଼ିକ ମଧ୍ୟ ଖୋଜିବା ପାଇଁ ବହୁ ଦୁରଦୁର ଯିବାକୁ ପଡ଼ୁଛି ଓ ବହୁ କଷ୍ଟରେ ଢୁମ୍ପାପାଇଁ ପ୍ରଯୁଜ୍ୟ ଗଛ ମିଳୁଛି । ଢୁମ୍ପାପାଇଁ ପ୍ରଯୁଜ୍ୟ ଗଛଟି ସିଧା ହେବା ଦରକାର ଓ ତାହାପାଣି ଯାଗାରେ ଥିଲେ ଭଲଭାବରେ ବାହାରି ପାରିବ । ଏହି ସବୁ ପରେ ଗଛରୁ ନିକ୍ଷୁଣ ଭାବେ ଢୁମ୍ପା ବାହାର କରିବା ପାଇଁ ଅଭିଜ୍ଞ ଲୋକଙ୍କ ଆବଶ୍ୟକ ଥାଏ ନଚେତ ଢୁମ୍ପା ବାହାର କରିହେବନି । ଯାହାକି କଳାକାର ମାନଙ୍କ ପାଇଁ ମୁଖ୍ୟ ସମସ୍ୟା ହୋଇ ରହୁଛି । ଏହାସହ ଗୋଟିଏ ଗଛରୁ ବାହାରିଥିବା ଢୁମ୍ପାରେ  ୪୦ରୁ୫୦ଟି ଗୀତ ପରିବେଷଣ ପରେ ନଷ୍ଟ ହୋଇଯାଏ  । କହିବାକୁ ଗଲେ ଗୋଟିଏ ଗଛ ଅତିବେସିରେ ୨ରୁ୩ଦିନ ଯାଇଥାଏ  । ଏହାପରେ ପୁଣି ଆଉ ଗୋଟିଏ ଗଛ କଳାକାରମାନଙ୍କୁ ଖୋଜିବାକୁ ପଡି଼ଥାଏ । ଜଙ୍ଗଲ ନଷ୍ଟ ହେବାରୁ ଗଛମିଳିବା କଷ୍ଟକର ହେଇଯାଉଛି । ଏବେ  କୋସକା ଜଙ୍ଗଲରୁ ଗଛ ଆଣୁଛନ୍ତି କଳାକାରମାନେ । ଗଛର ସମସ୍ୟାକୁ ପ୍ଲାଷ୍ଟିକ ନଳୀ ଦ୍ୱାରା କିଛିମାତ୍ରାରେ ସମାଧାନ କରିହେବ ହେଲେ ସେଥିରୁ ମୂଳ ଢୁମ୍ପାର ସ୍ୱର ବାହାରିବନି ବୋଲି କୁହନ୍ତି କଳାକାର କିଶୋର ରଥ । ଏହାସହ ସେ କୁହନ୍ତି ଆମେ କେବଳ ପିଲାଙ୍କ ଅଭ୍ୟାସ କରିବା ପାଇଁ ପ୍ଲାଷ୍ଟିକ ପାଇପର ବ୍ୟବହାର କରିଥାଉ ।
କମିଛି ରାଗ 
କଳାକାରଙ୍କ ଅଭାବ ମଧ୍ୟ ଢୁମ୍ପା ସଙ୍ଗୀତ ପାଇଁ ଏକ ସମସ୍ୟା ହୋଇଛି । ବର୍ତମାନ ମାତ୍ର ୧୦ରୁ୧୫ ଜଣ କଳାକର ଅଛନ୍ତି । ଢୁମ୍ପା ସଙ୍ଗୀତର ଗୁରୁ କାଳନ୍ଦି ଚରଣ ରଥ, ଲିଙ୍ଗରାଜ ରଥ, ସୁରେସ ମହାପାତ୍ର,ତ୍ରିଲୋଚନ ମିଶ୍ର, ଗଙ୍ଗାଧାର ଦାସ, ଦିନବନ୍ଧୁ ସାହୁ ,ଦେବାଶିଷ ରଥ, ଭିକାରୀ ମହମଦ  ଗିରିଧାରୀ ବାରିକ ପ୍ରମୁଖ ବୁଢା ହୋଇଗଲେଣି  । ତାଙ୍କ ପରକୁ ତାଙ୍କ ପରପିଢିବା ତାଙ୍କ ପୁଅମାନେ ମଧ୍ୟ ମଧ୍ୟବୟସରେ ପହଛନ୍ତି । ହେଲେ ଏବେ ୧୮/୧୯ ବର୍ଷତଳକୁ ଆଉ କଳାକାର ବାହାରୁ ନାହାଁନ୍ତି । ଏପରିବି ବର୍ତମାନର ସମସ୍ତ କଳାକାର କାର୍ଯ୍ୟବ୍ୟସ୍ତତା ପାଇଁ ବା ଉଚ୍ଚଶିକ୍ଷା ପାଇଁ ଢୁମ୍ପାସଙ୍ଗୀତକୁ ଅଧିକ ସମୟ ଦେଇ ପାରୁନାହାନ୍ତି । ଏ ନେଇ କଳାକାର ସଚିଦାନନ୍ଦ ମହାପାତ୍ର କୁହନ୍ତି ‘ଗଛ ସମସ୍ୟା ଅପେକ୍ଷା ଆମ ପାଇଁ    କଳାକାର ସମସ୍ୟା ବେଶି ରହୁଛି । ଯେଉଁ ବୟସ୍କମାନେ ଅଛନ୍ତି ସେମାନେ ଯୁବକମାନଙ୍କୁ ଏହି ଢୁମ୍ପା ସଙ୍ଗୀତ ଶିକ୍ଷାଉଛନ୍ତି । ହେଲେ ଉଚ୍ଚଶିକ୍ଷା ଓ  ଏଥିରୁ କିଛି ଅର୍ଥମିଳୁନଥିବାରୁ ଯୁବପିଢି ରାଜି ହେଉନାହାଁନ୍ତି । ଆଉ ମୋଭଳି କେତେକ କଳାକାର ମଧ୍ୟ ଚାକିରି କାରଣରୁ ବାହାରେ ରହୁଛନ୍ତି କେବେ କେବେ ସିଜିନି ସମୟରେ ବା ବର୍ଷା ଦିନେ ଆସି ଢୁମ୍ପା ସଙ୍ଗୀତ କରୁଛନ୍ତି । ଏହାସହ ବର୍ତମାନର ଯୁବପିଢି ମଧ୍ୟ ଏହି ତାଳକୁ ଧରିପାରୁ ନାହାଁନ୍ତି  । ଏବେ ମାତ୍ର ଦୁଇଟି ତାଳ ଯଥା ଖେମତା ତାଳ ଓ ଚାଲିରେ ଢୁମ୍ପାପରିବେଶିତ ହେଉଥିବା ବେଳେ ୩୦/୪୦ରାଗରୁ ୧୦/୧୨ଟି ରାଗରେ ଢୁମ୍ପା ପରିବେଶିତ ହେଉଛି’ । 
ଅଭ୍ୟାସ ପାଇଁ ଘର ନାହିଁ
ଏହାପାଇଁ  ଅନ୍ୟଏକ ସମସ୍ୟା ହେଉଛି ଆଖଡ଼ାଶାଳର ଅଭ୍ୟାସ । ଆଗରୁ ଗାଁ ଗୁଡ଼ିକରେ ଥିବା ଆଖଡ଼ା ଶାଳ ବା ଭାଗବତ ଘରେ ଅଭ୍ୟାସ କରାଯାଉଥିଲା ହେଲେ ଏବେ ସେଭଳି ସୁବିଧା ନାହିଁ ଆଖଡ଼ା ଘରଗୁଡ଼ିକ ଭାଙ୍ଗିଗଲାଣି । ସୋତନ୍ତ୍ର ଘରଟିଏ  ଅଭ୍ୟାସ  ପାଇଁ  ଆବଶ୍ୟକ ପଡ଼ୁଛି । ସରକାରଙ୍କ ତରଫରୁ ଆଗରୁ ସହାୟତା ମିଳୁଥିଲେ ମଧ୍ୟ ଏବେ ମିଳୁନାହିଁ  । ଯଦି ସରକାରଙ୍କତରଫରୁ ସହାୟତା ମିଳନ୍ତା ଏହା ଆଗକୁ ନେଇ ହୁଅନ୍ତା ବୋଲି ଅନେକ କଳାକାର କହିଥିଲେ ।  ଏହାସହ ବର୍ତମାନ ଟିଭି ଓ ଅନ୍ୟାନ ମନୋରଞ୍ଜନ ଧର୍ମୀ ମାଧ୍ୟମ ବର୍ତମାନ ଢୁମ୍ପା ସଙ୍ଗୀତ ଉପରେ ପ୍ରଭାବ ପକାଉଛି । ଲୋକଙ୍କ ଆଗ୍ରହ ଏଥି ପ୍ରତି କମି କମି ଆସୁଛି । ଏହାର ପ୍ରସାରପ୍ରଚାର ମଧ୍ୟ ଭଲ ଭାବରେ ହୋଇପାରି ନାହିଁ  । କାରଣ ଏହା ସାଧାରଣ ବର୍ଷା ଦିନରେ ହେଉଥିବା ବାରୁ ବହୁତ କମ ଆନୁଷ୍ଠାନିକ କାର୍ଯ୍ୟକ୍ରମ ହୋଇଥାଏ ଯାହା ପଳରେ ଏହାର ପରିବେଶଣ ପାଇଁ କମ୍ ସୁଯୋଗ ମିଳିଥାଏ । ଏହାସହ ଗାଁ ରେ  ଅଧିକ ପରିବେଶିଣ କରାଯାଉଥିବା ବେଳେ ବାହାରକୁ ବହୁତ କମ୍ ଆସନ୍ତି କାହାର ନିମନ୍ତ୍ରଣ ପାଇ । ବର୍ତମାନ ଢୁମ୍ପାକଳାକାର ମାନଙ୍କୁ ନେଇ ତିଆରି ହୋଇଥିବା ଗଦାଧର ଢୁମ୍ପା ପରିଷଦ ଏହି ଲୋକ ସଂଙ୍ଗୀତକୁ ଆଗକୁ ନେବା ପାଇଁ ଉଦ୍ୟମ କରି ଆସୁଛି । ଏହି ପରିଷଦ ଦ୍ୱାରା ଆଗ୍ରହି ଯୁବକମାନଙ୍କୁ ଢୁମ୍ପା ଶିଖାଯାଉଥିବା ବେଳେ ବାହାରକୁ ବିଭିନ୍ନ କାର୍ଯ୍ୟକ୍ରମକୁ ଯାଉଛନ୍ତି କଳାକାର ମାନେ ପରିବେଷଣ ପାଇଁ ।