ଓଡିଆନ୍ ନ୍ୟୁଜ

131

ନାହିଁ ନାହିଁରେ ଚାଲିଛି ରାଉରକେଲା ସରକାରୀ ଚିକିତ୍ସାଳୟରେ ରୋଗୀ ସେବା

Team Odian News |

ନାହିଁ ନାହିଁରେ ଚାଲିଛି ରାଉରକେଲା ସରକାରୀ ଚିକିତ୍ସାଳୟରେ ରୋଗୀ ସେବା
ରାଉରକେଲା,୨୫/୯(ଓଡ଼ିଆନ୍ ନ୍ୟୁଜ୍): ଇସ୍ପାତ ସହର ରାଉରକେଲା, ଏଠାରେ କାହିଁ କେତେ ଆଡ଼ୁ ଲୋକ ନିଜ ଜୀବିକା ଆସାରେ ବାସକରିଛନ୍ତି । ସେମାନଙ୍କ ମଧ୍ୟରୁ ଅଧିକାଂଶ ସ୍ୱାସ୍ଥ୍ୟ ସେବା ପାଇଁ ଏଠାରେ ରହିଥ ସରକାରୀ ଚିକିତ୍ସାଳୟ ଉପରେ ନିର୍ଭର କରନ୍ତି । ସାଧାରଣ ଲୋଙ୍କ ସ୍ୱାସ୍ଥ୍ୟ ସେବାର ସାହାଭରସା ପାଲଟି ଥିବା ଏହି ଚିକିତ୍ସାଳୟର  ଭିତ୍ତିଭୂମି ବିକାଶ ପାଇଁ ମଧ୍ୟ ଲକ୍ଷଲକ୍ଷ ଟଙ୍କା ଖର୍ଚ୍ଚ ହୋଇ ଏକ ନୂଆ ରୂପ ଦିଆଯାଇଛି । ଟ୍ରମା ସେଣ୍ଟରରୁ ଆରମ୍ଭ କରି ଶିଶୁବିଭାଗ, ଜରୁରୀକାଳୀନ ଚିକିତ୍ସା ବିଭାଗ ଭଳି ବହୁ ଗୁରୁତ୍ୱ ପୂର୍ଣ୍ଣ ବିଭାଗ ଏଠାରେ କାମକରୁଛି । ଅତ୍ୟାଧୁନିକ ରକ୍ତ ଭଣ୍ଡାର ସାଙ୍ଗକୁ ନୂତନ୍ନଧରଣର ଜନ୍ତ୍ରପାତି ଲାଗିଛି । ଏହି ସବୁପରେ ବି ମାନବସମ୍ବଳ ଅଭାବରୁ ଏଠାରେ ରୋଗୀମାନେ ଉପଯୁକ୍ତ ଚିକିତ୍ସା ପାଇବାରୁ ବଞ୍ଚିତ ହେଉଛନ୍ତି । ଏଠାରେ ସରକାରୀ ମଞ୍ଜୁରିପ୍ରାପ୍ତ ୧୨୮ଟି ସଯ୍ୟା ରହିଥିଲେ  ମଧ୍ୟ ଏଠାରେ ପାଖାପାଖି ୩୦୦ ସଯ୍ୟାରେ ରୋଗୀ ରହୁଛନ୍ତି । ରୋଗୀଙ୍କ ସଂଖ୍ୟା ଏଠାରେ ଦିନକୁ ଦିନ ଯେଉଁ ଅନୁପାତରେ ବଢୁଛି ସେହି ଅନୁପାତରେ ଚିକିତ୍ସକ କି ନର୍ସ ନାହାନ୍ତି । ରୋଗୀଙ୍କ ସଯ୍ୟା ଅନୁସାରେ ନର୍ସଙ୍କ ସଂଖ୍ୟା ବହୁତ କମ୍ ରହିଛି । ବର୍ତ୍ତମାନ ଏଠାରେ ସ୍ଥାୟି ନର୍ସ ୧୯ଜଣ ରହିଥିବା ବେଳେ ଠିକା ବା ଚୁକ୍ତି ଭିତିକ ନର୍ସ ୪୨ଜଣ ରହିଛନ୍ତି । ହେଲେ ସମସ୍ତ ବିଭାଗର ରୋଗୀ ସେବା ପାଇଁ  ଆହୁରି ୮୯ଜଣ  ନର୍ସଙ୍କର ଆବଶ୍ୟକତା ରହୁଛି । କେବଳ ନର୍ସ ନୁହନ୍ତି  ଚିକିତ୍ସାଳୟର ଆଉ ଏକ ସମସ୍ୟା ହେଉଛି ଡ଼ାକ୍ତରଙ୍କ ଅଭାବ । ଏଠାରେ ରହିଥିବା ଅନେକ ବିଭାଗରେ ଡ଼ାକ୍ତରଙ୍କ ସଂଖ୍ୟା ବହୁତ କମ୍ ରହିଥିବା ବେଳେ ଅନେକ ବିଭାଗ ଖାଲିପଡ଼ିଛି । ଭେଷଜ ବିଭାଗରେ ୫ଜଣ ଡ଼ାକ୍ତରଙ୍କ ଆବଶ୍ୟକତା ରହିଥିବା ବେଳେ ସେଥିରେ ମାତ୍ର ଜଣେ ଡ଼ାକ୍ତର ରହିଛନ୍ତି । ସେହିଭଳି ଏହି ଚିକିତ୍ସାଳୟରେ ଥିବା ଟ୍ରମାସେଣ୍ଟରେ ୩ଟି ଡ଼କ୍ତର ପଦବି ଖାଲି ପଡ଼ିଛି । ଆୟୁସୁ ପାଇଁ ମଧ୍ୟ ମେଡ଼ିକାଲ ଅଫିସର ନାହାନ୍ତି ତାଙ୍କ ପଦବି ଖାଲିପଡ଼ିଛି । ସେହିଭଳି ଆଉଟ ଡ଼ୋର ସମ୍ଭାଳିବା ପାଇଁ ଡ଼ାକ୍ତର ନଥିବା ବେଳେ ବିଷେଶଜ୍ଞମାନଙ୍କୁ ସେହି କାମକରିବାକୁ ପଡ଼ୁଛି । ସେହିଭଳି ଚିକିତ୍ସାଳୟରେ ରହିଥିବା ଅଲଟ୍ରାସାଉଣ୍ଡ ମେସିନ୍ କାମକୁ ଆସୁନି । କେବଳ ଗର୍ଭବତି ମହିଳାଙ୍କ ପାଇଁ ସ୍ତ୍ରୀ ଓ ମହିଳାରୋଗ ବିଶେଷଜ୍ଞଙ୍କ ଦ୍ୱାରା ଅଲଟ୍ରା ସାଉଣ୍ଡ କରାଯାଇଥିବାର ଚିକିତ୍ସାଳୟ କତୃପକ୍ଷ କହୁଥିବା ବେଳେ ଅନ୍ୟମାନଙ୍କୁ ଏହି ସେବା ମିଳିପାରୁ ନାହିଁ କାରଣ ମେସିନ୍ ଚଳାଇବା ପାଇଁ ରେଡ଼ିଓଲୋଜିଷ୍ଟି ନାହାନ୍ତି । ଚିକିତ୍ସାଳୟରେ ଅଲଟ୍ରା ସାଉଣ୍ଡକଲେ ଲୋକଙ୍କୁ ୧୦୦ରୁ୨୦୦ ଟଙ୍କା ପଡ଼ୁଥିବା ବେଳେ ଲୋକମାନେ ଏହି ସେବାରୁ ବଞ୍ଚିତ ରହୁଛନ୍ତିୁ ବାଧ୍ୟ ହୋଇ ବାହାରେ ୭୦୦ରୁ୧୦୦୦ଟଙ୍କା ଦେଇ ଅଲଟ୍ରା ସାଉଣ୍ଡ କରୁଛନ୍ତି । ଏହାସହ ଦିନକୁ ଦିନ ଶିଶୁ ଓ ଜରୁରୀ ବିଭାଗରେ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ  । ଏଠାରେ ଉପୁଜୁଥିବା ସମସ୍ୟାର ସମାଧାନ କରାଗଲେ ଭଲ ହୁଅନ୍ତା ବୋଲି ଆସୁଥିବା ରୋଗୀମାନେ କୁହନ୍ତି । ତେବେ ଚିକିତ୍ସାଳୟ ପରିସରରେ ତିଆରି ହେଉଥିବା ମାତୃ ଶିଶୁ ବିଭାଗର ୧୦୦ ସଯ୍ୟାବିଶିଷ୍ଟ କୋଠା କାର୍ଯ୍ୟକ୍ଷମ ହେଲେ ଏହି ସମସ୍ୟା ଦୁର ହୋଇଯିବ ବୋଲି ଆଶା କରାଯାଉଛି । ହେଲେ ଏହି କୋଠାକୁ ଏପର୍ଯ୍ୟନ୍ତ ବିଦ୍ୟୁତ ସଞ୍ଜୋଗ ହୋଇ ପାରି ନାହିଁକି ଅଗ୍ନି ନିୟନ୍ତ୍ରଣ ପାଇଁ କିଛି ବ୍ରବସ୍ଥା ହୋଇ ପାରି ନାହିଁ । ଘରୋଇ ଚିକିତ୍ସାଳୟ ଯାଇ ଅଧିକା ଅର୍ଥଖର୍ଚ କରିବାର ସମ୍ବଳ ନଥିବାରୁ ଗରିବ ଲୋକମାନେ ଏହି ସରକାରୀ ଚିକତ୍ସାଳୟ ଆସିଥାନ୍ତି । ହେଲେ ଏଠାରେ ସେମାନଙ୍କୁ ଉପଯୁକ୍ତ ସେବା ମିଳିପାରେ ନାହିଁ  । କେହି କେହି ନିଜକରମକୁ ଆଦରି ସେଠାରେ ଚିକିତ୍ସିତ ହେଉଥିବା ବେଳେ ଆଉ କେତେକ ରୋଗୀ ଘରୋ ଚିକିତ୍ସାଳୟକୁ ଯାଆନ୍ତି ଏଠାରୁ ନିରାସ ହୋଇ । ଏହି ଚିକିତ୍ସାଳୟରେ ରହିଥିବା ସମସ୍ୟା ଦୁର ପାଇଁ ବିଭିନ୍ନ ସମୟରେ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଆନ୍ଦୋଳନ ମାନ ମଧ୍ୟ ହୋଇଛି । ଏପରିବି ପୂର୍ବତନ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ରାଉରକେଲା ଗସ୍ତ ସମୟରେ ଚିକିତ୍ସାଳୟର ନାନାବିଧ ସମସ୍ୟା ବିଷୟରେ ଦୃଷ୍ଟି ଆକର୍ଷଣ କରାଯାଇଥିଲା । ଏହି ଚିକିତ୍ସାଳୟ ଉପରେ ସୂନ୍ଦରଗଡ଼ ଜିଲ୍ଲା, ରାଉରକେଲା ସହର ଲୋକଙ୍କ ବ୍ୟତିତ ପଡ଼ୋସୀ ରାଜ୍ୟ ଝାଡ଼ଖଣ୍ଡ ଓ ଛତିଶଗଡ଼ର ରୋଗୀ ନିର୍ଭର କରନ୍ତି ।