ଓଡିଆନ୍ ନ୍ୟୁଜ

137

ସ୍କୁଲରୁ ଯାଇପାରିଲେନି ଘରକୁ କାଳ ସାଜିଲା ଟ୍ରକ

Team Odian News |

ସ୍କୁଲରୁ ଯାଇପାରିଲେନି ଘରକୁ କାଳ ସାଜିଲା ଟ୍ରକ ଭଦ୍ରକ,୧୯/୭(ଓଡ଼ିଆନ ନ୍ୟୁଜ୍) ଆଜି ଅପରାହ୍ନରେ ଭଦ୍ରକ ଜିଲ୍ଲା ରାହାଞ୍ଜ ନିକଟରେ ଘଟିଥିବା ମର୍ମନ୍ତୁଦ ଦୁର୍ଘଟଣା ସ୍ଥାନୀୟ ଲୋକଙ୍କର ହୃଦୟ ଥରେଇ ଦେଇଛି । ସ୍ଥାନୀୟ ରାଣୀତାଲ ହାଇସ୍କୁଲର ଛାତ୍ରଛାତ୍ରୀମାନେ ସ୍କୁଲ ଛୁଟି ପରେ ଘରକୁ ଫେରୁଥିଲେ । ୧୦ ଜଣ ଛାତ୍ରଛାତ୍ରୀ ଏକାଠି ହୋଇ ୧୬ ନଂ ଜାତୀୟ ରାଜପଥ ପାର୍ ହେଉଥିଲେ । ଆଉ ଏତିକିବେଳେ ଏକ ଦଶଚକିଆ ଟ୍ରକ ସେମାନଙ୍କ ଉପରେ ସିଧା ଚଢ଼ିଗଲା । ଘଟଣାସ୍ଥଳରେ ହିଁ ୫ ଜଣ ଛାତ୍ରଛାତ୍ରୀଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଛାତ୍ରଙ୍କୁ ସଙ୍କଟାପନ୍ନ ଅବସ୍ଥାରେ କଟକ ବଡ଼ ମେଡ଼ିକାଲରେ ଭର୍ତ୍ତି କରାଯାଇଛି । ମୃତକମାନେ ଅସୁରାଳି ଗାଁର ବୋଲି ଜଣାପଡ଼ିଛି । ଦୁର୍ଘଟଣା ପରେ ସ୍ଥାନୀୟ ଲୋକେ ଦୁର୍ଘଟଣା ଘଟାଇଥିବା ଟ୍ରକ୍ ରେ ନିଆଁ ଲଗାଇଦେଇଛନ୍ତି । ଡ୍ରାଇଭର ଘଟଣାସ୍ଥଳରୁ ଦୌଡି ପଳାଉଥିବା ବେଳେ ଲୋକମାନେ ତାକୁ କାବୁ କରିନେଇ ନିର୍ଧୂମ ପିଟିଛନ୍ତି । ଡ୍ରାଇଭରଙ୍କ ବେପରୁଆ ଗାଡ଼ିଚାଳନାରୁ ଏଭଳି ମର୍ମନ୍ତୁଦ ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଉତ୍ତେଜନା ସୃଷ୍ଟି ହୋଇଛି । ମୁଖ୍ୟମନ୍ତ୍ରୀ ଏହି ଦୁର୍ଘଟଣାକୁ ନେଇ ଗଭୀର ଦୁଃଖ ପ୍ରକାଶ କରିବା ସହ ମୃତକଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି । ପ୍ରତି ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କାର ଅନୁକମ୍ପା ସହାୟତା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ଆହତ ଛାତ୍ରଛାତ୍ରୀଙ୍କୁ ମାଗଣାରେ ଚିକିତ୍ସା କରାଇବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।