ଓଡିଆନ୍ ନ୍ୟୁଜ

226

ଭଦ୍ରକର ଲୋକନାଟକ ମୋଗଲ ତାମସା

Team Odian News |

ଭଦ୍ରକର ଲୋକନାଟକ ମୋଗଲ ତାମସା (ଭୁବନେଶ୍ୱରରୁ ସରସିନୀ ସୁବୁଦ୍ଧି) ଭଦ୍ରକର ପାଳୁଅ ଲଡୁ, ମା’ଭଦ୍ରକାଳୀ ଓ ବୁଢାଗଣେଶଙ୍କ ସହିତ ମୋଗଲ ତାମସା ଭଦ୍ରକକୁ ଏକ ଭିନ୍ନ ପରିଚୟ ଦେଇଛି ପାରିଛି । କିନ୍ତୁ ଏବେର ପରିବର୍ତ୍ତନୀୟ ସମାଜରେ ଏହାର ପ୍ରଚାର ପ୍ରସାର ଓ ଭବିଷ୍ୟତକୁ ନେଇ ଅନେକ ଆଶା ଓ ଆଶଙ୍କା ଉପୁଜିଛି । ବିଭିନ୍ନ ବାଧା-ବିଘ୍ନ ସତ୍ତେ୍ୱ ଏହାର କଳାକାରମାନେ ଏହି କଳାକୁ ବଞ୍ଚାଇ ରଖିବା ଓ ଏହାର ପ୍ରଚାର ପ୍ରସାର ପାଇଁ ଉଦ୍ୟମ ଜାରି ରଖିଛନ୍ତି । ଏହି ମୋଗଲ ତାମସାର ବର୍ତମାନ ସ୍ଥିତି ଜାଣିବା ପାଇଁ ଭଦ୍ରକର କିଛି କଳାକାରମାନଙ୍କୁ ଭେଟିଥିଲା ‘ମୋ ସହର ସଂପର୍କ’ । ଅଷ୍ଟାଦଶ ଶତାବ୍ଦୀର ଲୋକକଳା ଅଷ୍ଟାଦଶ ଶତାବ୍ଦୀ ତଥା ୧୭୨୮ ମସିହାରୁ ମୋଗଲ ତାମସାର ଅଭ୍ୟୁଦୟ ବୋଲି କୁହାଯାଏ । କବି ବଂଶୀବଲ୍ଲଭ ଗୋସ୍ୱାମୀଙ୍କ ଦ୍ୱାରା ଏହାର କାହାଣୀ ରଚନା ହୋଇଛି । ଦିଲ୍ଲୀରେ ଶାସନ କରୁଥିବା ମୋଗଲ ସମ୍ରାଟମାନେ ଭଦ୍ରକ ଭ୍ରମଣରେ ଆସିବା ସମୟରେ ତାଙ୍କୁ ଖୁସି କରାଇବା ପାଇଁ, ତାଙ୍କ ଭଲ ଗୁଣକୁ ପ୍ରଶଂସା ଓ ଖରାପ ଗୁଣକୁ ହାସ୍ୟ-ରସାତ୍ମକ ତଥା ତାତ୍ସଲ୍ୟ ଭାବରେ ବର୍ଣ୍ଣନା କରାଯାଉଥିଲା ତାମସା ମାଧ୍ୟମରେ । ଏହାକୁ ହିଁ ମୋଗଲ ତାମସା ବୋଲି କୁହାଯାଉଛି । ଏବେ କିନ୍ତୁ ସେ କାଳର ମୋଗଲ ଶାସନ ନାହିଁ କି ମୋଗଲ ସମ୍ରାଟମାନେ ମଧ୍ୟ ଏଠାକୁ ଭ୍ରମଣରେ ଆସୁ ନାହାଁନ୍ତି, ହେଲେ ଠିକ୍ ସେହି ପାରମ୍ପରିକ ଶୈଳୀରେ ପରିବେଷିତ ହେଉଛି ମୋଗଲ ତାମସା । ଏହାର ମୂଳ କାହାଣୀ ତଥା କବି ବଂଶୀବଲ୍ଲଭଙ୍କ ରଚନାନୁଯାୟୀ ଏଥିରେ ମୀର୍ଜା ସାହେବ, ଚୋପଦାର, ଝାଡୁବାଲା, ଫରାମ, ଭେସ୍ତି , ଚୌକିଦାର, ଚଟ୍ଟଣିବାଲା, ଚପରାସୀ, ଜମିଦାର, ଗୁମାସ୍ତା, ନାଇ, ହୁକାବାଲା, ଫକୀର, ଚେଲା , ଗଉଡ , ଗଉଡୁଣୀ, ଚଢେୟା ଆଦି ଚରିତ୍ରମାନେ ଅଭିନୟ କରୁଛନ୍ତି । ଏହା ସାଧାରଣତଃ ଦୁଇ ଭାଗରେ ବିଭକ୍ତ ଯଥା – ବାଦଶାହୀ ତାମସା ଓ ସୌଦାଗରୀ ତାମସା । ଏଥିରେ ସମସ୍ତ ପ୍ରକାର କଳାକାର ଓ ସହ-କଳାକାରଙ୍କୁ ମିଶାଇ୨୫ରୁ ୩୦ଜଣ ତାମସାରେ ଭାଗ ନିଅନ୍ତି । ପ୍ରାୟ ୪୫ମିନିଟରୁ ଦେଢ ଘଣ୍ଟା ପର୍ଯ୍ୟନ୍ତ ଏହା ପରିବେଷିତ ହୋଇଥାଏ । ୧୫ ବର୍ଷରୁ ୭୫ବର୍ଷ ବୟସ୍କ କଳାକାରମାନେ ଏହି ତାମସାରେ ଅଭିନୟ କରିଥାନ୍ତି ମଞ୍ଚ ଉପରେ । ଏବେ ମହିଳା କଳାକାରମାନେ ମଧ୍ୟ ଏହି ମୋଗଲ ତାମସାରେ ଅଭିନୟ କରୁଛନ୍ତି, ଏପରିକି ତାମସାରେ ଗୀତ ପରିବେଷଣ କରୁଛନ୍ତି । ଅଭିନୟରେ ଭରି ରହିଛି ଭାଇଚାରାର ଝଲକ ବର୍ତ୍ତମାନ ଭଦ୍ରକରେ ସଙ୍କେତ ନାଟ୍ୟ ସଂସ୍ଥା, ଏରେଇଁ ମୋଗଲ ତାମସା କମିଟି ଓ ମନମୋହନ ସଙ୍ଗୀତ ପରିଷଦ ପରି କଳା ଅନୁଷ୍ଠାନ ଦ୍ୱାରା ମୋଗଲ ତାମସା ଅନୁଷ୍ଠିତ ହେଉଛି । ଏହା ବ୍ୟତୀତ ରାଜ୍ୟର ଅନ୍ୟ ଅଞ୍ଚଳର କେତେକ ନାଟ୍ୟ ସଂସ୍ଥା ଏବେ ମୋଗଲ ତାମସା ପରିବେଷଣ କରୁଛନ୍ତି । ଏମାନଙ୍କ ମଧ୍ୟରୁ ଭଦ୍ରକର ‘ସଙ୍କେତ ନାଟ୍ୟ ସଂସ୍ଥା’ ବହୁ ପୁରାତନ ଅଟେ । ଏହାର କଳାକାରମାନେ ସେମାନଙ୍କ ଅଭିନୟ ଓ ଉଦ୍ୟମ ବଳରେ ମୋଗଲ ତାମସାକୁ ଜାତୀୟ ସ୍ତରରେ ପରିଚିତ କରାଇ ପାରିଛନ୍ତି । ପ୍ରାୟ ପାଞ୍ଚ ପ୍ରକାର ଭାଷା ତଥା ପାର୍ସୀ, ଉର୍ଦ୍ଦୁ, ହିନ୍ଦୀ, ବଙ୍ଗଳା ଏବଂ ଓଡ଼ିଆ ଭାଷାର ସମ୍ମିଶ୍ରଣରେ ଏହାର ସଂଳାପ ଓ ଗୀତ ଗୁଡ଼ିକ ରଚନା କରାଯାଇଛି । ଏହାସହ ଏଥିରେ ବିଭିନ୍ନ ଧର୍ମ ବିଶେଷତଃ ହିନ୍ଦୁ ଓ ମୁସଲମାନଙ୍କ ମଧ୍ୟରେ ଅଭିନ୍ନତା ପ୍ରତିଫଳିତ ହେଉଥିବା ବେଳେ ଏହା ଭାଇଚାରା ବଢାଇବାର ଅନ୍ୟ ଏକ ମାଧ୍ୟମ ବୋଲି ଏହାର କଳାକାରମାନେ କହନ୍ତି । କେବଳ ସେତିକି ନୁହେଁ, ଏଥିରେ ସେତେବେଳର ଜମିଦାରୀ ପ୍ରଥାର ସାମାଜିକ ଛବି ରହିଛି । ଯେଉଁଥିରେ ଶାସକ ଗୋଷ୍ଠୀଙ୍କ ବିଳାସ-ବ୍ୟସନ, ଜମିଦାରମାନଙ୍କର ପ୍ରଜା-ଶୋଷଣ ଓ ଅକ୍ଷମତା, କର୍ମଚାରୀମାନେ ଦରମା ନ ପାଇ ବେଠି ଖଟିବା ପରି କାମ କରିବା ଏବଂ ସେମାନେ ତାଡି, ଗଞ୍ଜେଇ ପରି ମାଦକ ଦ୍ରବ୍ୟ ସେବନ କରି ନିଶାସକ୍ତ ଥିବାର ଏକ ସୁନ୍ଦର ବ୍ୟଙ୍ଗାତ୍ମକ ଶୈ÷ଳୀ ରହିଛି । ଆବଶ୍ୟକତା ମେଣ୍ଟାଇ ପାରୁନି କମ୍ ପାରିଶ୍ରମିକ ଗତ କିଛି ବର୍ଷ ଅପେକ୍ଷା ମୋଗଲ ତାମସାର ପ୍ରଚାର ପ୍ରସାର ବେଶ୍ ବଢିଥିବା ଲକ୍ଷ୍ୟ କରାଯାଉଛି । କଳାକାରଙ୍କ ବଳିଷ୍ଠ ଅଭିନୟ ପାଇଁ ଏହା ଅଧିକ ଜନାଦୃତ ହେବାରେ ଲାଗିଛି । ଏହା ବର୍ତ୍ତମାନ ରାଜ୍ୟର କିଛି ନିର୍ଦ୍ଧିଷ୍ଟ ଅଞ୍ଚଳ ମଧ୍ୟରେ ସୀମିତ ନ’ରହି ରାଜ୍ୟ ବାହାରର ବିଭିନ୍ନ ବଡ଼-ବଡ଼ କାର୍ଯ୍ୟକ୍ରମରେ ସାମିଲ ହୋଇ ପାରିଛି । ସମୟାନୁସାରେ ଓ ଲୋକଙ୍କ ଚାହିଦା ଅନୁଯାୟୀ କଛିଟା କଳାତ୍ମକ ପରିବର୍ତ୍ତନ ଆଣିବା ସହ କିଛି ନୂତନତାକୁ ସାମିଲ କରିଛନ୍ତି ନାଟ୍ୟସଂସ୍ଥା ଗୁଡିକ । ବର୍ତ୍ତମାନ କଳାକାରଙ୍କୁ କାମର ଅଭାବ ହେଉନି କିନ୍ତୁ ଉପଯୁକ୍ତ ପାରିଶ୍ରମିକ ବି ମିଳୁନାହିଁ । ଏଥିରୁ ଯାହା ପାରିଶ୍ରମିକ ମିଳେ ସେଥିରେ ଆଜିର ମହଙ୍ଗା ଯୁଗରେ ପରିବାର ଚଳାଇବା ପ୍ରକୃତରେ କଷ୍ଟକର ହୋଇ ପଡ଼ୁଛି । ବର୍ତ୍ତମାନ ଏହି ମୋଗଲ ତାମସାରେ କଳାକାରଙ୍କ ପାଇଁ ଅର୍ଥ ଏକ ବଡ଼ ସମସ୍ୟା ହୋଇ ଛିଡ଼ା ହୋଇଛି । ଏଥିରେ ଅଭିନୟ କରୁଥିବା କଳାକାରମାନଙ୍କ ସଂଖ୍ୟା ପ୍ରାୟ୧୫ ରୁ ୧୮ ଜଣ ହୋଇଥିବାବେଳେ ବାଦ୍ୟକାର, ଗୀତ ବୋଲିବା ଲାଗି ଗାୟକ ଏବଂ ଅନ୍ୟାନ୍ୟ ସହଯୋଗୀ କଳାକାରଙ୍କୁ ମିଶାଇ ଏଥିରେ ପ୍ରାୟ ୩୦ ଜଣ ବ୍ୟକ୍ତି ସାମିଲ ରହନ୍ତି । ଏ ନେଇ କଳାକାର ରବିନ୍ଦ୍ର ପାତ୍ର କହନ୍ତି, “ମୁଁ ୩୪ ବର୍ଷ ହେବ ଏଥିରେ ଅଭିନୟ କରି ଆସୁଛି । ଆଜି ମୋଗଲ ତାମସା ବହୁତ ଜନାଦୃତି ଲାଭ କରି ପାରିଛି, ତଥା ଲୋକକଳାରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି । ଏଥିପାଇଁ ଆମ କଳାକାରମାନଙ୍କୁ ଅନେକ କଷ୍ଟ ତଥା ଶ୍ରମ ସ୍ୱୀକାର କରିବାକୁ ପଡ଼ିଛି । ଆମର ଚେଷ୍ଟା ଓ ଉଦ୍ୟମ ପାଇଁ ମୋଗଲ ତାମସା ଜାତୀୟସ୍ତରରେ ପହଞ୍ଚି ପାରିଛି । ହଁ, ସରକାରଙ୍କ ତରଫରୁ ଆମକୁ ଏବେ ଅଧିକ କାର୍ଯ୍ୟକ୍ରମ ଅଭିନୟ କରିବାର ସୁଯୋଗ ମିଳୁଛି । କିଛି ଗସ୍ତ-ଖର୍ଚ୍ଚ ମିଳୁଛି ସତ ହେଲେ ଏଥିରୁ ମିଳୁଥିବା ପାରିଶ୍ରମିକ ଆଜିର ଦିନରେ ଅନ୍ୟ ପେସାରୁ ମିଳୁଥିବା ପାରିଶ୍ରମିକ ଠାରୁ ଯଥେଷ୍ଟ କମ ରହୁଛି । କେବଳ ଆମର ଖୁସି ପାଇଁ ବାପା ଜେଜେ ଅମଳର କଳାକୁ ବଞ୍ଚାଇ ରଖିବା ପାଇଁ ଯାହା ଆମେ ଅଭିନୟ କରି ଆସୁଛୁ । ହେଲେ ଏହି କଳାରୁ ପାରିଶ୍ରମିକ କମ ମିଳୁଥିବାରୁ ଏବେ ଏହି ମୋଗଲ୍ ତାମସା ପରି ଲୋକକଳାକୁ ପେସା କରି ଚଳି ହେବନାହିଁ ” । ରାଜି ହେଉନାହାଁନ୍ତି ଯୁବପିଢି: ଭବିଷ୍ୟତକୁ ନେଇ ଆଶଙ୍କା ଏହି କଳା ଆଗକୁ ବଢିବା ନେଇ ଏକ ବଡ଼ ଆଶଙ୍କା ଉଙ୍କି ମାରିଛି । ଆଧୁନିକତାର ପ୍ରସାର ତଥା ପାଠପଢା ପାଇଁ ଅଭିଭାବକମାନେ ସେମାନଙ୍କ ପିଲାଙ୍କୁ କଳାକାର କରିବାକୁ ଚାହୁଁ ନଥିବା ବେଳେ ଉପଯୁକ୍ତ ପାରିଶ୍ରମିକ ମିଳୁନଥିବାରୁ ଯୁବପିଢି ଏହି କଳା ପ୍ରତି ମଧ୍ୟ ଆଗ୍ରହ ପ୍ରକାଶ କରୁନାହାନ୍ତି । ଏହା ବର୍ତ୍ତମାନର ବୟସ୍କ କଳାକାରମାନଙ୍କ ଲାଗି ଚିନ୍ତାର କାରଣ ପାଲିଟିଛି । ବର୍ତ୍ତମାନ ମୋଗଲ ତାମସାର ବିଭିନ୍ନ ପାର୍ଟିରେ ଅଭିନୟ କରୁଥିବା ଅଧାରୁ ଅଧିକ କାଳାକାରଙ୍କ ବୟସ ୫୦ ରୁ ୮୦ ବର୍ଷ ମଧ୍ୟରେ ହୋଇଥିବାବେଳେ ଏଥିରେ ଯୁବ କଳାକାରଙ୍କ ସଂଖ୍ୟା ବହୁତ କମ୍ ରହିଛି । ଏ ନେଇ ସଙ୍କେତ ନାଟ୍ୟ ସଂସ୍ଥାର ମୁଖ୍ୟ ତଥା ମୋଗଲ୍ ତାମସା ଗୁରୁ ବାଦଲ ସିକ୍ଦାର କହନ୍ତି, “ମୋଗଲ ତାମସାରେ ଅଭିନୟ କରୁଥିବାରୁ ଆମେ ଗର୍ବ ଅନୁଭବ କରୁ । ଆଜି ମୋଗଲ ତାମସା ଜାତୀୟସ୍ତରରେ ପରିଚୟ ଲାଭ କରିପାରିଛି । ଆମ କଳାକାରମାନଙ୍କ ପାଇଁ ଏହା ସମ୍ଭବ ହୋଇଛି । ସରକାର ଆମକୁ ଅନେକ କାର୍ଯ୍ୟକ୍ରମରେ ସାମିଲ ହେବାର ସୁଯୋଗ ମଧ୍ୟ ଦେଉଛନ୍ତି କିନ୍ତୁ ଏଥିରୁ ମିଳୁଥିବା ପାରିଶ୍ରମିକ ବହୁତ କମ୍ ରହୁଥିବାରୁ ଯୁବପିଢି ଏହି କଳା ଶିଖିବା ପାଇଁ ରାଜି ହେଉ ନାହାଁନ୍ତି । ଏହା ମୋ ଭଳି ବୟସ୍କ କଳାକାରଙ୍କ ପାଇଁ ଚିନ୍ତାର ବିଷୟ ହୋଇଛି । ଆମ ପରେ ଏହି ପାରମ୍ପରିକ କଳା ବୁଡ଼ିଯିବାର ବି ଆଶଙ୍କା ରହିଛି । ମୋଗଲ ତାମସା; ବାହାର ରାଜ୍ୟରେ ଉଚ୍ଚ ପ୍ରଶଂସିତ ! ମୋଗଲ ତାମସାର ଅନ୍ୟ ଜଣେ କଳାକାର ହେଲେ ବୃନ୍ଦାବନ ସାହୁ । ସେ ଏହି କଳା ବିଷୟରେ କହନ୍ତି “ଏହାକୁ ପେସା କରି ଚଳି ହେବନି କାରଣ ଏହା ଏକ ସୌଖୀନ୍ କଳା । ସେମାନେ ତାଙ୍କ ଇଚ୍ଛା ବା ସଉକ ଅନୁଯାୟୀ ଏଥିରେ ଅଭିନୟ କରନ୍ତି । ସେ କହନ୍ତି, ଯଦି ଯୁବପିଢିଙ୍କୁ ଆକୃଷ୍ଟ କରିବାପାଇଁ ଆର୍ଥିକ ସୁବିଧା ଯୋଗାଇ ଦିଆଯାଆନ୍ତା, ସେମାନେ ବି ଏଥିପ୍ରତି ଆଗ୍ରହୀ ହୁଅନ୍ତେ ଏବଂ ଏହି କଳାକୁ ବଞ୍ଚାଇ ରଖି ହୁଅନ୍ତା” । ସେହିଭଳି ଜଣେ ଯୁବ-କଳାକାର ଶୁଭେନ୍ଦୁ କହନ୍ତି “ମୁଁ ଜଣେ ଓଡ଼ିଶୀ ଡାଂସର । ଏହା ସହିତ ମୋଗଲ ତାମସାରେ ମଧ୍ୟ ଅଭିନୟ କରିଥାଏ ଏବଂ ମୋତେ ଦୁଇଟି ଯାକ ନୃତ୍ୟ ଓ ଅଭିନୟ ବହୁତ ଭଲଲାଗେ । ମୁଁ ମୋଗଲ ତାମସାରେ ଅଭିନୟ କରି ବହୁତ ଖୁସି । ମୋ ଭଳି ଅନେକ ଯୁବକ ଏଥିରେ ଅଭିନୟ କରିବାକୁ ରାଜି ଅଛନ୍ତି ହେଲେ ଉପଯୁକ୍ତ ପାରିଶ୍ରମିକ ନମିଳୁଥିବାରୁ ସେମାନେ ବାଧ୍ୟ ହୋଇ ଅନ୍ୟ ଧନ୍ଦା ଆପଣାଉଛନ୍ତି । ଯଦି ସେମାନଙ୍କ ପାଇଁ କିଛି ସ୍ୱତନ୍ତ୍ର ପାରିଶ୍ରମିକ ବ୍ୟବସ୍ଥା କରାଯାଆନ୍ତା, ତେବେ ଯୁବପିଢି ଏହି କଳାପ୍ରତି ନିଶ୍ଚିତ ଆକୃଷ୍ଟ ହୁଅନ୍ତେ । ଏହାସହ ଯୁବପିଢିଙ୍କୁ ଏହି କଳା ପ୍ରତି ଆକୃଷ୍ଟ କରିବା ଲାଗି ବିଭିନ୍ନ ବିଦ୍ୟାଳୟ ତଥା ମହାବିଦ୍ୟାଳୟ ଗୁଡ଼ିକରେ ଏହାକୁ ଅତି କମ୍ରେ ବର୍ଷକୁ ଥରେ ପରିବେଷଣ କରାଇବା ଆବଶ୍ୟକ । ଏହି କଳାକୁ ପ୍ରୋତ୍ସାହନ ଦେବା ନେଇ ସେ କହନ୍ତି, ଆମେ ବାହାର ରାଜ୍ୟରେ ଯେଉଁ ଭଳି ପ୍ରଶଂସା ପାଉଛୁ ତାହା ଆମ ନିଜ ରାଜ୍ୟରେ ମିଳେ ନାହିଁ । ଓଡ଼ିଶାର ଲୋକମାନେ ଏହି ଲୋକକଳାକୁ ବୁଝି ପାରୁନାହାଁନ୍ତି । ସେମାନେ ପ୍ରଥମେ ଏହାକୁ ବୁଝିବା ଦରକାର । ଏହି କଳାକୁ ଅନ୍ତର୍ଜାତୀୟ ସ୍ତରରେ ପରିଚିତ କରାଇବା ପାଇଁ ସରକାରୀସ୍ତରରେ ଉଦ୍ୟମ ହେବା ଜରୁରୀ । ତାମସା ପଛର ମନଛୁଆଁ କାହାଣୀ ମୋଗଲ ସାମ୍ରାଜ୍ୟ ପ୍ରତିଷ୍ଠା ପରେ ଶାସନର ପ୍ରଭାବ ବିସ୍ତାର ଉଦ୍ଦେଶ୍ୟରେ ମୋଗଲ ଶାସକମାନେ ଭାରତର ବିଭିନ୍ନ ଅଞ୍ଚଳକୁ ପଠାଉଥିଲେ ମିର୍ଜା ସାହେବମାନଙ୍କୁ । ସେମାନେ ବିଭିନ୍ନ ଅଞ୍ଚଳ ଭ୍ରମଣ କରି ଶାସନର ପ୍ରଭାବ ପରିଲକ୍ଷିତ କରୁଥିଲେ । ଏମିତି ଜଣେ ମିର୍ଜା ସାହେବ ମଥୁରା, ଆଗ୍ରା, କୋଲକାତା ଦେଇ ଭଦ୍ରକରେ ପ୍ରବେଶ କଲେ । ସେଦିନ ପଣା ସଂକ୍ରାନ୍ତି ହୋଇଥିବାରୁ ଶିବ ମନ୍ଦିର ସମ୍ମୁଖରେ ଭକ୍ତମାନେ ଭଜନ କୀର୍ତ୍ତନ କରୁଥାନ୍ତି । ସେହିଠାରେ ହିଁ ଛାଉଣି ପଡ଼ି ଆରମ୍ଭ ହୋଇଗଲା ମିର୍ଜାଙ୍କର ଆସର । ଝାଡୁ଼ବାଲା, ଫରାସ, ଭେସ୍ତି, ଚୈାକିଦାର, ନାଇ ଚପରାସୀ ଆଦି ପରିଚାରକଙ୍କୁ ଚୋପଦାରଙ୍କ ଦ୍ୱାରା ନିଜର କର୍ତ୍ତବ୍ୟ ପାଳନ କରିବାକୁ ସେ ଆଦେଶ ଦିଅନ୍ତି । ପରେ ସମସ୍ତେ ନିଜ ନିଜର କର୍ତ୍ତବ୍ୟ ପାଳନ କରି ମିର୍ଜାଙ୍କର ଗୁଣ ଗାନ କରି ବକ୍ସିସ୍ ନେଇ ସେଠାରୁ ପ୍ରସ୍ଥାନ କରନ୍ତି । ସେ ଅଞ୍ଚଳର ଜମିଦାର ଗୁମାସ୍ତାଙ୍କ ସହ ଆସରରେ ଉପସ୍ଥିତ ହୁଅନ୍ତି । ଏହିପରି ଆସରକୁ ବିଭିନ୍ନ ଚରିତ୍ରମାନେ ଆସିଥାନ୍ତି । ଶେଷରେ ଆସେ ଗଉଡୁ଼ଣି । ଗାଁ ଗାଁ ଦହି ବିକି ଅଧିକ ଧନ ଲୋଭ ଆଶାରେ ମୋଗଲ ଡେରାରେ ଆସି ପହଞ୍ଚେ । ଦହିବାଲିର ରୂପରେ ମୁଗ୍ଧ ହୋଇ ତାକୁ ନିଜ ଆସରରେ ଗୋଟାଏ ରାତି ରହିବାପାଇଁ ଚୋପଦାରଙ୍କ ମାଧ୍ୟମରେ ବାଧ୍ୟ କରନ୍ତି ମିର୍ଜା । ଗଉଡ଼ୁଣି ଏଥିରେ କ୍ଷୁବ୍ଧ ହୋଇ ମିର୍ଜାଙ୍କର ତୀବ୍ର ବିରୋଧ କରେ । ଏତିକିବେଳେ ପ୍ରବେଶ କରେ ତ୍ୱତିବାଲା (ପକ୍ଷୀ ବିକାଳି) । ଦିଲ୍ଲୀରୁ ପକ୍ଷୀ ବିକି ବିକି ଏଠାରେ ପହଞ୍ଚେ ଓ ମିର୍ଜା ସାହେବଙ୍କୁ ଏକ ଦୁଖଃଦ ଖବର ଦିଏ । ଦିଲ୍ଲୀସ୍ଥ ମିର୍ଜାଙ୍କ କୋଠାରେ ନିଆଁ ଲାଗିଯାଇଛି । ସେଥିରେ ତାଙ୍କର ବେଗମ୍ ସାହିବା ପୋଡ଼ିହୋଇ ମରିଯାଇଛନ୍ତି । ଏହି ଖବର ପାଇବା ମାତ୍ରେ ମିର୍ଜା ଦୁଃଖରେ ଭାଙ୍ଗିପଡ଼ି ଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରନ୍ତି । ଏହାପରେ ଗଉଡ଼ୁଣିର ସ୍ୱାମୀ ସେଠାରେ ଆସି ପହଁଚେ । ଗଉଡ଼ୁଣିକୁ ଚରିତ୍ରହୀନ କହି ଗାଳି କରେ, ପରେ ଗୁମାସ୍ତା ମଙ୍ଗୁ କଥାରେ ଥୟ ହୋଇ ଶିବ ଠାକୁରଙ୍କୁ ପ୍ରଣାମ କରି ସେଠାରୁ ପ୍ରସ୍ଥାନ କରନ୍ତି । ନାଟକଟି ଏଇଠି ଶେଷ ହୁଏ । ପୂର୍ବରୁ ଏହି ନାଟକ ପାଇଁ କବି ବଂଶୀବଲ୍ଲଭ ମହାନ୍ତି ମୋଗଲଙ୍କ ଠାରୁ ପରେ ମରହଟ୍ଟା ଶାସକମାନଙ୍କ ଠାରୁ ଦିଲ୍ଲୀ ଦରବାରରେ ସମ୍ମାନିତ ହୋଇଥିବାର ଜନଶ୍ରୁତି ରହିଛି ।