ଓଡିଆନ୍ ନ୍ୟୁଜ

253

ସାଉଥ୍ ଆଫ୍ରିକାରେ ଓଡ଼ିଆ ଶ୍ରମିକଙ୍କ ସନ୍ଦେହଜନକ ମୃତ୍ୟୁ !

Team Odian News |

ସାଉଥ୍ ଆଫ୍ରିକାରେ ଓଡ଼ିଆ ଶ୍ରମିକଙ୍କ ସନ୍ଦେହଜନକ ମୃତ୍ୟୁ !
ପୁଅର ଶବକୁ ଫେରି ପାଇବା ପାଇଁ ବାପ ମା’ଙ୍କ ଆକୁଳ ନିବେଦନ
ରାଜକନିକା,୨୨ ।୭( ଓଡ଼ିଆନ୍‍ ନ୍ୟୁଜ୍‍ ): ସୁଦୂର ସାଉଥ୍ ଆଫ୍ରିକାରେ ପାଣିପାଇସ୍ ଶ୍ରମିକ ଭାବେ କାର୍ଯ୍ୟକରୁଥିବା ଜଣେ ଓଡ଼ିଆ ଶ୍ରମିକଙ୍କ ସନ୍ଦେହଜନକ ଭାବେ ମୃତ୍ୟୁ ହୋଇଥିବା ନେଇ ପରିବାର ଲୋକେ ଅଭିଯୋଗ କରିଛନ୍ତି  । ଘଟଣାରୁ ଜଣାପଡ଼ିଛିଯେ, ରାଜକନିକା ବ୍ଲକ ଅନ୍ତର୍ଗତ କୋଇଲିପୁର ଗ୍ରାମପଞ୍ଚାୟତର ଚାରିପୋଖରିଆ ଗ୍ରାମର ବିଷ୍ଣୁ ଚରଣ ବାରିକ୍ଙ୍କ ପୁଅ ବିକାଶ ଚନ୍ଦ୍ର ବାରିକ୍(୨୭) ଗତ ଜୁନ୍ ମାସ ୧୨ ତାରିଖ ଦିନ ପରିବାର ପରିପୋଷଣ ପାଇଁ ପାଣିପାଇପ୍ ଶ୍ରମିକ ଭାବେ ସାଉଥ୍ ଆଫ୍ରିକାର ଗେଗନ ସହରକୁ ଯାଇଥିଲେ  । ୬୦ ହଜାର ଟଙ୍କା ଘୋଷ ଦେଇ ବିକାଶ ଗ୍ରାମ ନିକଟ କୋହ୍ଲା ଗ୍ରାମର ଭାଗିରଥୀ ବେହେରାଙ୍କ ପୁଅ ସୋମନାଥ ବେହେରାଙ୍କ ସହିତ ସାଉଥ୍ ଆଫ୍ରିକାର ଓରିଏଟାଂଲ କମ୍ପାନୀରେ ଶ୍ରମିକ ଭାବେ କାମ କରିବାକୁ ଯାଇଥିଲେ ବୋଲି ବିକାଶଙ୍କ ପରିବାର ପକ୍ଷରୁ କୁହାଯାଉଛି । ଅଧିକ ବେତନ ଆଶାରେ ଘର ଛାଡ଼ିଥିଲେ ବିକାଶ   । ହେଲେ ମାତ୍ର ଏକ ମାସ ଦଶ ଦିନ ମଧ୍ୟରେ ବିକାଶଙ୍କର ସେଠାରେ ମୃତ୍ୟୁ ଘଟିଥିବା ନେଇ ଜଣାପଡ଼ିଛି  । ଗତ କାଲି ଅପରାହ୍ଣରେ ବିକାଶ ଅସୁସ୍ଥ ହୋଇ ପଡ଼ିଥିଲେ  ।  ତାଙ୍କୁ ଜ୍ୱର ହୋଇଥିଲା  । ଡ଼ାକ୍ତରଖାନାକୁ ନେବା ବେଳକୁ ସେ ମୃତ୍ୟୁ ବରଣ କରିଥିବା ନେଇ ସେଠାରେ ରହିଥିବା ତାଙ୍କ ଗ୍ରାମର କିଛି ଯୁବକ ବିକାଶଙ୍କ ଘରକୁ ଫୋନ୍ ଯୋଗେ ଏଭଳି ଘଟଣା ସଂପର୍କରେ ଜଣାଇଛନ୍ତି  । ପୁଅର ଏଭଳି ଆକସ୍ମିକ ମୃତ୍ୟୁ ଖବରକୁ ସହଜରେ ବିଶ୍ୱାସ କରିପାରୁନାହଁନ୍ତି ପରିବାର ଲୋକେ  । ପ୍ରତି ଦୁଇ ତିନି ଦିନରେ ଥରେ ପୁଅ ଫୋନ୍ ଯୋଗେ କଥାବାର୍ତା କରୁଥିଲା  । ସେଠାରେ ସବୁ ଭଲ ବୋଲି ପୁଅ କହିଥିଲା  । ହେଲେ ଏମିତି କେମିତି ହେଲା ବୋଲି ବାପା ବିଷ୍ଣୁ ଚରଣ ବାରିକ୍ କାନ୍ଦି କାନ୍ଦି କହିଛନ୍ତି  । ଜ୍ୱରରେ ମୋ ପୁଅର ମୃତ୍ୟୁ ହୋଇ ନାହିଁ  । ବରଂ ମୋ ପୁଅକୁ ସେଠାର ମାରିଦିଆଯାଇଛି ବୋଲି ବାପା  ଅଭିଯୋଗ କରିଛନ୍ତି  । ପୁଅର ଫେରିବା ବାଟକୁ ଚାହିଁ ରହିଥିବା ମା’ ମକ୍ଷୀ ବାରିକ୍  ଏଭଳି ଆକସ୍ମିକ ମୃତ୍ୟୁ ଖବରରେ ହତବାକ୍ ହୋଇପଡ଼ିଛନ୍ତି  । ଖବର ପାଇବା ପରଠୁ ଚୁଲି ଜଳିନି ତାଙ୍କ ଘରେ  । ପୁଅର ଶବକୁ ଦେଖିବା ପାଇଁ ଆକୁଳ ଭାବେ ଚାହିଁ ରହିଛନ୍ତି ପରିବାର ଲୋକେ  । ରବିବାର ସନ୍ଧ୍ୟାରେ ବିକାଶଙ୍କ ବାପା ବିଷ୍ଣୁ ଚରଣ ବାରିକ, ଭାଇ ପ୍ରମୋଦ ବାରିକଙ୍କ ସହିତ ଗ୍ରାମବାସୀମାନେ ରାଜକନିକା ଥାନାରେ ଘଟଣା ସଂପର୍କରେ ଅଭିଯୋଗ କରିଛନ୍ତି  । ସୋମବାର ମାର୍ଶାଘାଇ ଠାରେ ଅନୁଷ୍ଠିତ ଜିଲାପାଳଙ୍କ ଜନଶୁଣାଣି ଶିବିରରେ ଘଟଣା ସଂପକରେ ଲିଖିତ ଭାବେ ଏସ୍ପିଙ୍କୁ ଅଭିଯୋଗ କରିବାକୁ ଯିବେ ବୋଲି ବିଷ୍ଣୁ ଚରଣ କହିଛନ୍ତି  । ଏହି ଘଟଣା ସଂପର୍କରେ ସତ୍ୟା ସତ୍ୟ ଜାଣିବା ସହିତ ବିକାଶଙ୍କ ଶବକୁ ନିଜ ଗାଁକୁ ଆଣିବାକୁ ପରିବାର ଲୋକମାନଙ୍କ ସହିତ ଗ୍ରାମବାସୀମାନେ ଜିଲା ପ୍ରଶାସନ ନିକଟରେ ଗୁହାରି କରିଛନ୍ତି  ।