ଓଡିଆନ୍ ନ୍ୟୁଜ

104

ଶହୀଦ୍ ବାସୁବିସୁନି ପୀଠରୁ ସଂଗ୍ରହ ହେଲା ପବିତ୍ର ମାଟି ।

Team Odian News |

ଶହୀଦ୍ ବାସୁବିସୁନି ପୀଠରୁ ସଂଗ୍ରହ ହେଲା ପବିତ୍ର ମାଟି  । 
କେନ୍ଦ୍ରାପଡ଼ା,୧ ।୮(ଓଡ଼ିଆନ୍ ନ୍ୟୁଜ୍):  ଭୁବନେଶ୍ୱର ଠାରେ ଏକ ଶହୀଦ୍ ସ୍ମୃତି ସ୍ତମ୍ବର ନିର୍ମାଣ ନିମନ୍ତେ କେନ୍ଦ୍ରାପଡ଼ା ଜିଲାର ଏକ ମାତ୍ର ଅସହଯୋଗ ଆନ୍ଦୋଳନର ପ୍ରଥମ ଶହୀଦ୍ ବାସୁ ବିସୁନିଙ୍କ ଶହୀଦ୍ ପୀଠରୁ ପବିତ୍ର ମାଟି ସଂଗ୍ରହ କରାଯାଇଛି  । ରାଜକନିକା ବ୍ଲକ୍ ଅନ୍ତର୍ଗତ ଯୋରଳ ମେଘପୁର ଗ୍ରାମର ମଧ୍ୟସ୍ଥଳରେ ବେବର୍ତା ସରୋବର କୂଳରେ ରହିଥିବା ଶହୀଦ୍ ସ୍ତମ୍ବ ନିକଟରୁ ସ୍ୱାଧୀନତା ସଂଗ୍ରାମୀଙ୍କ ଦାୟାଦ୍ ମାନେ ପବିତ୍ର ମାଟିକୁ ବୁଧବାର ସଂଗ୍ରହ କରି ଭୁବନେଶ୍ୱର ନେଇଯାଇଛନ୍ତି  । ଆଜି ସକାଳ ଆଠଟାରେ ବେବର୍ତା ସରୋବରରେ ତିଳତର୍ପଣ କରି ଶହୀଦ୍ ସ୍ତମ୍ବରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ  । ଏହା ପରେ ଧୂପ ଦୀପ ଦେଇ ପୂଜାର୍ଚ୍ଚନା   ସହିତ ରାମଧୂନ ଗାନ କରିଥିଲେ  । ଏହା ସହିତ ଜାତୀୟ ପତାକାକୁ ଉଡ଼ାଇ ବୀର ଶହୀଦ୍ଙ୍କ ପ୍ରତି ଭକ୍ତିପୂତ ଭାବେ ପ୍ରାର୍ଥନା କରି ପ୍ରଣାମ ଜଣାଇଥିଲେ  । ସକାଳୁ ସକାଳୁ ଆଜି ସତେ ଯେମିତି ଏକ ସ୍ୱାଧୀନତା ଦିବସର ଭ୍ରମ ସୃଷ୍ଟି କରିଥିଲା  ।  ଶହୀଦ୍ ପୀଠରୁ ମାଟି ସଂଗ୍ରହ ଅଭିଯାନର କେନ୍ଦ୍ରାପଡ଼ା ଜିଲାର ଆବାହକ  ବିଚିତ୍ରାନନ୍ଦ ନାୟକଙ୍କ ନେତୃତ୍ୱରେ ଭୁବନେଶ୍ୱରୁ ଅଣାଯାଇଥିବା ତମ୍ବାପାତ୍ରରେ ସମ୍ମାନର ସହିତ ମାଟିକୁ ସଂଗ୍ରହ କରାଯାଇ ଶୋଭାଯାତ୍ରାରେ ଭୁବନେଶ୍ୱର ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲେ  । ଅନ୍ୟମାନଙ୍କ ମଧ୍ୟରେ କେନ୍ଦ୍ରାପଡ଼ା ଜିଲା ସ୍ୱାଧୀନତା ସଂଗ୍ରାମୀ ସମିତିର ସଭାପତି ନକୁଳ ଚରଣ ଦାସ, ଗାନ୍ଧୀ ସ୍ମାରକୀ ପଦଯାତ୍ରା ସଭାପତି କୁମାର ମିଶ୍ର, ଦାୟାଦ ବିଜୟ କୁମାର ମିଶ୍ର ପ୍ରମୁଖ ଯୋଗଦେଇଥିଲେ  । ଆଳି, ପଟ୍ଟାମୁଣ୍ଡାଇରେ ପରେ କେନ୍ଦ୍ରାପଡ଼ା ଗରାପୁରଠାରେ ମହାତ୍ମା ଗାନ୍ଧୀଙ୍କ ରହଣିସ୍ଥଳର ଗାନ୍ଧୀ ପ୍ରତିମୂର୍ତି ନିକଟରୁ ଏକ ବିଶାଳ ଶୋଭାଯାତ୍ରାରେ ସ୍ୱାଧୀନତା ସଂଗ୍ରାମୀ ବିମ୍ବାଧର ମୁଦୁଲି, ତୁଳସୀ ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ଅଜୟ ସାମଲ, ପ୍ରାକ୍ତନ କେନ୍ଦ୍ରାପଡ଼ା ପୌରାଧ୍ୟକ୍ଷ ଧୀରେନ୍ ସାହୁ, ଆଇନ୍ଜୀବୀ ସଂଘ ସଭାପତି ଦେବଦାସ ମହାନ୍ତି, କେନ୍ଦ୍ରାପଡ଼ା ସ୍ୱୟଂଶାସିତ ମହାବିଦ୍ୟାଳୟର ଅଧ୍ୟକ୍ଷ ବିନ୍ଦୁମିତ୍ର ବଳ, ରାଜେଶ ପଣ୍ଡା, ପ୍ରଦୀପ ସାହୁ, ସରୋଜ ସାହୁ, ବିଜୟ ପରିଡ଼ା, ସରକାରୀ ଓକିଲ ସଞ୍ଜୟ କୁମାର ଜେନାଙ୍କ ସମେତ ବହୁ ବିଦ୍ୟାଳୟ, ମହାବିଦ୍ୟାଳୟର ଛାତ୍ରଛାତ୍ରୀ, ଶ୍ରମିକ, ବୁଦ୍ଧିଜୀବୀ, ସଚେତନ ନାଗରିକମାନେ ଏହି ଶହୀଦ୍ଙ୍କ ସଂଗୃହୀତ ମାଟିକୁ ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ଶୋଭାଯାତ୍ରାରେ ତିନିମୁହାଁଣି ଦେଇ ପାଞ୍ଚନମ୍ବରର (କ) ଜାତୀୟ ରାଜପଥ ଦେଇ ପଞ୍ଚୁପାଣ୍ଡବ ପର୍ଯ୍ୟନ୍ତ ପାଛୋଟି ନେଇଥିଲେ  । କଟକ-ଚାନ୍ଦବାଲି ରାସ୍ତାରେ ବିଭିନ୍ନ ବର୍ଗର ଲୋକମାନେ ଶହୀଦ୍ ଶୋଭାଯାତ୍ରରେ ପହଞ୍ଚି ସଂଗ୍ରାମୀଙ୍କ ମାଟିପାତ୍ରକୁ ସମ୍ମାନ ଜଣାଇ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ  । ୧୯୨୨ ମସିହା ଏପ୍ରିଲ ୨୩ ତାରିଖରେ ଏହି ବେବର୍ତା ସରୋବର କୂଳରେ ସଂଘଟିତ ଆନ୍ଦୋଳନରେ ବ୍ରିଟିଶ ଗୁଳିରେ ଟଳିପଡ଼ିଥିଲେ ତେନ୍ତ୍ୱଳିକୋଳି ଗ୍ରାମର ବାସୁ ସେଠୀ ଓ ବର୍ତନୀ ଗ୍ରାମର ବିସୁନି ମଢ଼ୁଆଳ  । ଏହି ଯୋଦ୍ଧା ହିଁ ଥିଲେ ଅସହଯୋଗ ଆନ୍ଦୋଳନର ପ୍ରଥମ ଶହୀଦ୍  । ବିପ୍ଲବୀ ଆନନ୍ଦ ଚନ୍ଦ୍ର ଜେନାଙ୍କ ଦ୍ୱାରା ଅନୁପ୍ରାଣିତ ଏହି ଦୁଇ ଯୋଦ୍ଧା ସେତେବେଳେ ବିପ୍ଲବୀ ଆନନ୍ଦ ଚନ୍ଦ୍ରଙ୍କ ‘ଦୁଃଖିନୀ କବିତା’କୁ ଗାନ କରି ସମଗ୍ର ଅଞ୍ଚଳରେ ଜାତୀୟତାବୋଧକୁ ଜୋରଦାର କରୁଥିଲେ  । ଆଉ ପଣ୍ଡିତ ଗୋପବନ୍ଧୁ ଦାଶଙ୍କ ଏହି ଆନ୍ଦୋଳନକୁ ଅଧିକ ଭାବେ ତେଜିଆନ୍ କରିଥିଲେ  । ତାଙ୍କ ରଚିତ ‘ବନ୍ଦୀର ଆତ୍ମକଥା’ରେ ଲିପିବଦ୍ଧ ହୋଇଛି ଏହି ଆନ୍ଦୋଳନର ଅନେକ ଅକୁହା ବେଦନ ।  ଜାତିର ପିତା ମହାତ୍ମାଗାନ୍ଧୀ ଏହି ଘଟଣା ସଂପର୍କରେ ୟଙ୍ଗ ଇଣ୍ଡିଆରେ ପ୍ରକାଶ କରିବାରୁ ସାରା ଦେଶରେ ହଇଚଇ ସୃଷ୍ଟି କରିଥିଲା  । ସ୍ୱାଧୀନତା ସଂଗ୍ରାମର ସେହି ବୀର ଶହୀଦ୍ମାନଙ୍କ ସ୍ମୃତି ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ ପୂର୍ବକ ଶହୀଦ୍ ସ୍ମାରକୀ ସ୍ୱାଧୀନତା  ସଂଗ୍ରାମୀ ସଦନ ଟ୍ରଷ୍ଟ ପକ୍ଷରୁ ଭୁବନେଶ୍ୱର ଏକ ଶହୀଦ୍ ସ୍ମୃତି ସ୍ତମ୍ବର ନିର୍ମାଣ କରାଯାଇଛି  । ଏହି ସ୍ମୃତିସ୍ତମ୍ବରେ  ଓଡ଼ିଶା ମାଟିର ବୀର ଶହୀଦ୍ ମାନଙ୍କର ସ୍ମୃତି ଲିପିବଦ୍ଧ ରହିବ  । ଶହୀଦ୍ ପୀଠରୁ ପବିତ୍ର ମାଟି ସଂଗ୍ରହ କରି ଅଣାଯିବା ପରେ ସଂଗ୍ରାମୀ ଭବନରେ ରଖାଯିବା ପରେ ଅଗଷ୍ଟ ୯ କ୍ରାନ୍ତିଦିବସରେ ମୁଖ୍ୟମନ୍ତ୍ରୀ  ନବୀନ ପଟ୍ଟନାୟକଙ୍କ ଦ୍ୱାରା ସ୍ଥାପନା କରାଯିବାର କାର୍ଯ୍ୟକ୍ରମ ରହିଛି  ।