ଓଡିଆନ୍ ନ୍ୟୁଜ

118

ଗିରିଆ ରାଧାକାନ୍ତ ମନ୍ଦିରରୁ ମୂର୍ତି ସହ ଲକ୍ଷାଧିକ ଟଙ୍କାର ଅଳଙ୍କାର ଚୋରି ।

Team Odian News |

ଗିରିଆ ରାଧାକାନ୍ତ ମନ୍ଦିରରୁ ମୂର୍ତି ସହ ଲକ୍ଷାଧିକ ଟଙ୍କାର ଅଳଙ୍କାର ଚୋରି  । 
ରାଜକନିକା,୭ ।୮(ଓଡ଼ିଆନ୍ ନ୍ୟୁଜ୍): ରାଜକନିକା ବ୍ଲକ୍ ଅନ୍ତର୍ଗତ ଗିରିଆ ଗ୍ରାମରେ ପ୍ରତିଷ୍ଠିତ ରାଧାକାନ୍ତଙ୍କ ଯୁଗଳ ମୂର୍ତି ସହିତ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଚୋରି ହୋଇଥିବା ନେଇ ଜଣାପଡ଼ିଛି  । ସୋମବାର ବିଳମ୍ବିତ ରାତିରୁ  ଦୃବୁର୍ତମାନେ ମନ୍ଦିରର ତିନୋଟି ଦ୍ୱାର ଚାବି ତାଡ଼ି ରାଧାକାନ୍ତଙ୍କ ଯୁଗଳମୂର୍ତିକୁ ଚୋରି କରିବା ସହିତ ଆଉ ଦୁଇଟି ରାଧାକୃଷ୍ଣଙ୍କ ମୂର୍ତି, ଆଣ୍ଠୁଆ ଗୋପାଳ ମୂର୍ତି, ଲକ୍ଷ୍ମୀଙ୍କ ମୂର୍ତି ସହିତ ଲକ୍ଷାଧିକ ଟଙ୍କାର ସୁନା, ରୂପା ଅଳଙ୍କାରକୁ  ନେଇଯାଇଥିବାର ଜଣାପଡ଼ିଛି  । ପ୍ରାୟ ତିନିଶହ ବର୍ଷର ଅଷ୍ଟଧାତୁରେ ନିର୍ମିତ ପ୍ରଭୁ ରାଧାକାନ୍ତଙ୍କ ଯୁଗଳ ମୂର୍ତି ଚୋରି ହୋଇଥିବାର ଖବର ପାଇବା ପରେ ସକାଳୁ ସକାଳୁ ମନ୍ଦିରରେ ଶହଶହ ଭକ୍ତ ଏବଂ ଗ୍ରାମବାସୀମାନେ ରୁଣ୍ଡହୋଇଥିଲେ  । ଅନେକ ଭକ୍ତମାନେ କାନ୍ଦୁଥିବାର ଦେଖିବା ପାଇଁ ମିଳିଥିଲା  । ଗ୍ରାମରେ ରୋଷେଇବାସ ବନ୍ଦ ହୋଇଯାଇଥିଲା  । ଖବର ପାଇ କନିକା ରାଜା ଶିବେନ୍ଦ୍ର ନାରାୟଣ ଭଞ୍ଜଦେବ ମନ୍ଦିରରେ ପହଞ୍ଚି ତୁରନ୍ତ ଚୋରଙ୍କୁ ଧରିବା ପାଇଁ କେନ୍ଦ୍ରାପଡ଼ା ଏସ୍ପି ନିତି ଶେଖରଙ୍କୁ ଅବଗତ କରାଇଥିଲେ  । ମନ୍ଦିରର ପରିଚାଳକ ଭରତ ପଳାଇ ଏହି ଘଟଣା ସଂପର୍କରେ ରାଜକନିକା ଥାନାରେ ଏକ ଏତଲା ପ୍ରଦାନ କରିଛନ୍ତି  । ପଟ୍ଟାମୁଣ୍ଡାଇ ଏସ୍ଡ଼ିପିଓ ଉମାଶଙ୍କର ମହାରଣା ଏବଂ ରାଜକନିକା ଆଇଆଇସି ମନୋରଞ୍ଜନ ଚୌଧୁରୀ ମନ୍ଦିରରେ ପହଞ୍ଚି ତଦନ୍ତ କରିଛନ୍ତି  । ଏହା ସହିତ ପୁଲିସ ଫୋରେନ୍ସିକ୍ ଟିମ୍ ଏବଂ ସନ୍ଧାନୀ କୁକୁର ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି  । ଗିରିଆ କୋଠସାହି ଅଞ୍ଚଳରେ ଆରଧ୍ୟ୍ୟ ପ୍ରଭୁ ଭାବେ ରାଧାକାନ୍ତ ଜୀଉ କାହିଁ କେଉଁ ଯୁଗରୁ ପୂଜା ପାଇ ଆସୁଛନ୍ତି  । ପୁରାତନ କନିକା ରାଜବାଟି ଗିରିଆ ଗ୍ରାମରେ ପ୍ରତିଷ୍ଠିତ ହେବା ପରଠାରୁ ନାଗା ବାବାଙ୍କ ଠାରୁ ସ୍ୱପ୍ନାଦେଶ ପରେ ରାଣୀ କୃଷ୍ଣପ୍ରିୟା ପାଟ୍ଟମହାଦେଇଙ୍କ ଦ୍ୱାରା ଏହି ମନ୍ଦିରରେ ପୂଜା ପ୍ରଭୁ ରାଧାକାନ୍ତ ଜୀଉ ପୂଜା ପାଇଆସୁଥିଲେ  । ଆଜିର ଚୋରି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି  । ତୁରନ୍ତ ଚୋର ମାନଙ୍କ ସନ୍ଧାନ କରିବା ସହିତ ଠାକୁରଙ୍କ ମୂର୍ତି ଉଦ୍ଧାର କରିବା ପାଇଁ ଗ୍ରାମବାସୀମାନେ ପ୍ରଶାସନ ନିକଟରେ ଅନୁରୋଧ କରିଛନ୍ତି  ।