ଓଡିଆନ୍ ନ୍ୟୁଜ

213

ଦୁର୍ଘଟଣାରେ ଆହତ ଓଳାଭରର ଦୁଇ ଛାତ୍ରଙ୍କୁ ଅଭିନେତା ତଥା ସାଂସଦ ଅନୁଭବଙ୍କ ସହାୟତା ।

Team Odian News |

ଦୁର୍ଘଟଣାରେ ଆହତ ଓଳାଭରର ଦୁଇ ଛାତ୍ରଙ୍କୁ ଅଭିନେତା ତଥା ସାଂସଦ ଅନୁଭବଙ୍କ ସହାୟତା  ।
ରାଜକନିକା,୯।୮(ଓଡ଼ିଆନ୍ ନ୍ୟୁଜ୍): ରାଜକନିକା ବ୍ଲକ୍ ଅନ୍ତର୍ଗତ ଓଳାଭର-ବଳରାମପୁର ଗ୍ରାମପଞ୍ଚାୟତର ଦେଓଗାଁର ବାଦଲ ସାହୁଙ୍କ ପୁଅ ସତ୍ୟରଞ୍ଜନ ସାହୁ ଏବଂ ଓଳାଭର ସାହିର ସଞ୍ଜୟ ବେଜଙ୍କ ପୁଅ ସଂଗ୍ରାମ ବେଜ ଗୁରୁତର ଆହତ ହୋଇ କଟକରେ ଚିକିତ୍ସିତ ହେଉଛନ୍ତି  । ସତ୍ୟରଞ୍ଜନ କଟକ ଏସିବିରେ ବେଡ୍ ନଂ୩୩୪ ଏବଂ  ସଂଗ୍ରାମ ସିଡିଏ ସ୍ଥିତ ଅଶ୍ୱନୀ ହସପିଟାଲର ବେଡ୍ ନଂ୫୧୦ରେ ଚିକିତ୍ସିତ ହେଉଛନ୍ତି  । ଆହତ ଦୁଇ ଛାତ୍ରଙ୍କର ଆଣ୍ଠୁ ତଳକୁ କଟାଯାଇଥିବା ବେଳେ ଅପରେସନ୍ ପାଇଁ ୩୦ ଲକ୍ଷ ଟଙ୍କାର ଆବଶ୍ୟକତା ଦେଖାଦେଇଛି  ।  ଚଳଚିତ୍ର ଫଟୋଗ୍ରାଫର ତଥା ଓଳାଭରର ଯୁବକ ବିଭୂତି ଦାଶ ଏଭଳି ଘଟଣା ସଂପର୍କରେ ଅଭିନେତା ତଥା ସାଂସଦ ଅନୁଭବ ମହାନ୍ତିଙ୍କୁ  ଦୁଃଖ କାହାଣୀ ଜଣାଇଥିଲେ  । ସାଂସଦ ଶ୍ରୀ ମହାନ୍ତି  ଦୁଇଟି ହସପିଟାଲକୁ ଯାଇ ଆହତ ମାନଙ୍କୁ ଭେଟିବା ସହ ଉନ୍ନତ ମାନର ଚିକିତ୍ସା ଯୋଗାଇ ଦେବା ପାଇଁ ହସପିଟାଲ କତୃପକ୍ଷଙ୍କୁ ନିବେଦନ କରିଛନ୍ତି । ଏହା ସହ ଚିକିତ୍ସା ପାଇଁ ଏହି ଦୁଇ ଗରିବ ପରିବାରଙ୍କୁ ସହାୟତାର ହାତ ବଢାଇଛନ୍ତି । ସାଂସଦଙ୍କ ଏଭଳି ପଦକ୍ଷେପକୁ ସମଗ୍ର ରାଜକନିକା ଅଞ୍ଚଳରେ ପ୍ରଶଂସା କରିବା ସହିତ ସତେଯେମି ଅଭିନେତା ଅନୁଭବ ଦୁଃଖୀ ପରିବାର ପାଇଁ ଦେବଦୂତ ପାଲଟିଛନ୍ତି ବୋଲି ଚର୍ଚ୍ଚା ହେଉଛି  । ସାଂସଦଙ୍କ ବଦାନ୍ୟତା ପରେ ଦୁଇ ଛାତ୍ରଙ୍କ ପ୍ରତି ରାଜକନିକା ଅଞ୍ଚଳରେ ଅଧିକ ସହାନୁଭୂତି ସୃଷ୍ଟି ହୋଇଛି  । ପ୍ରକାଶଥାଉକି ଗତ ଅଗଷ୍ଟ ୩ ତାରିଖ ଦିନ ଭୁବନେଶ୍ୱର ଠାରେ ଏମବିଏ ଆଡିମିସନ କରି ଗାଁକୁ ଫେରିବା ବେଳେ ଆଳି ବନ୍ଦେଇ ମାଳ ଛକରେ ଇଣ୍ଡିକାର ଚକ୍ ପମ୍ପଚର ହେବା କାରଣରୁ ଦୁଇ ଛାତ୍ରଙ୍କ ବାଇକ୍କୁ ଧକ୍କା ଦେଇଥିଲା  । ଫଳରେ ଦୁଇ ଛାତ୍ର ରାସ୍ତା ଉପରେ ଛିଟିକି ପଡ଼ିଥିଲେ  । ଦୃତଗତିରେ ଆସୁଥିବା ଏକ ବସ ଏମାନଙ୍କ ଉପରେ ଚଢ଼ିଯାଇଥିଲା  । ଫଳରେ ଦୁଇ ଛାତ୍ର ଗୁରୁତର ଅବସ୍ଥାରେ ଚିକିତ୍ସା ପାଇଁ କଟକ ସ୍ଥାନାନ୍ତରିତ ହୋଇଥିଲେ  ।  କ୍ଷଣକ ଭିତରେ ସବୁକିଛି ଓଲଟ ପାଲଟ ହୋଇଯାଇଥିଲା ଦୁଇ ଛାତ୍ରଙ୍କ ଜୀବନ ।  ଜୀବନର ସବୁ ହସ ଖୁସି ସୁଖ ଏମାନଙ୍କ ଠାରୁ ଛଡ଼ାଇ ନେଇଥିଲେ ଈଶ୍ୱର  । ସଞ୍ଜୟ ବେଜଙ୍କର ବାପା ଜଣେ ପାନ ଦୋକାନୀ  ।  ସ୍ଥାନୀୟ ଓଳାଭର ବଜାରରେ ଗୋଟେ ପାନ ଦୋକାନ କରି ପରିବାର ପ୍ରତିପୋଷଣ କରିବା ସହିତ ପୁଅଙ୍କୁ ଉଚ୍ଚ ଶିକ୍ଷିତ କରିବା ପାଇଁ ଦେଖିଥିବା ସ୍ୱପ୍ନ ଆଜି ସ୍ୱପ୍ନରେ ହିଁ ରହିଗଲା  । ଆଉ ସତ୍ୟ ରଞ୍ଜନଙ୍କର ବାପା ଜଣେ ଦିନ ମଜୁରିଆ । ପୁଅକୁ ଶିକ୍ଷିତ କରି ରୋଜଗାର କରିବାର ତାଙ୍କର ଆଶା ଆଶାରେ ହିଁ ରହିଗଲା  । ଦୁଇ ପୁଅ ଆଜି ଭିନ୍ନକ୍ଷମ ହୋଇଗଲେ ସାରା ଜୀବନ  । ଅପରେସନ ପାଇଁ ଦୁହିଁଙ୍କର ୩୦ଲକ୍ଷରୁ ଅଧିକ ଟଙ୍କା ଖର୍ଚ୍ଚ ହେବା କଥା ଶୁଣି ଦୁହେଁ ଭାଙ୍ଗି ପଡିଛନ୍ତି  ।  ଅନେକ ସହୃଦୟ ବ୍ୟକ୍ତି ବିଶେଷ ସୋସିଆଲ ମିଡିଆରୁ ଖବର ପାଇ ସହାୟତାର ହାତ ବଢାଇଛନ୍ତି । ସେପଟେ ଓଳାଭର ବଜାର ଏବଂ ଆଖ ପାଖ ଗ୍ରାମରୁ ସ୍ଥାନୀୟ ଯୁବକ ମାନେ ସାହାଯ୍ୟ ମାଗି ଲକ୍ଷାଧିକ ଟଙ୍କା ଚିକିତ୍ସା ପାଇଁ ପଠାଇ ସାରିଛନ୍ତି । ଏହି ସମୟରେ  ସାଂସଦ ଶ୍ରୀ ମହାନ୍ତିଙ୍କର ଅବାନ୍ୟତାଦାନତାକୁ ରାଜକନିକା ଅଞ୍ଚଳବାସୀ ପ୍ରଶଂସା କରୁଛନ୍ତି ।  ଏଥିସହିତ  ଦୁଇ ଛାତ୍ରଙ୍କ ଚିକିତ୍ସା ପାଇଁ ତାଙ୍କର ପରିବାର ଏବଂ ସାଙ୍ଗସାଥୀମାନେ  ସମସ୍ତ ବଦାନ୍ୟବ୍ୟକ୍ତି ବିଶେଷଙ୍କୁ ନିବେଦନ କରିଛନ୍ତି  ।