ଓଡିଆନ୍ ନ୍ୟୁଜ

185

‘ମୁଁ ହିରୋ ମୁଁ ଓଡ଼ିଶା’ ଅଭିଯାନର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

Team Odian News |

 ‘ମୁଁ ହିରୋ ମୁଁ ଓଡ଼ିଶା’ ଅଭିଯାନର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ
 କଟକ,୨୭/୮(ଓଡ଼ିଆନ୍ ନ୍ୟୁଜ୍):ବିଜୁ ଯୁବ ବାହୀନିକୁ ମିଳିଲା ବଳ । ନିର୍ବାଚନୀ ବର୍ଷରେ ଯୁବ ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ବିଜୁ ଜନତା ଦଳର ଆଉ ଏକ ଅଭିଯାନ । କଟକରେ ‘ମୁଁ ହିରୋ ମୁଁ ଓଡିଶା’ କାର୍ୟ୍ୟକ୍ରମର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏଥିସହ ଆଜିଠାରୁ ସମସ୍ତ ବ୍ଳକ ଓ ପୌରାଂଚଳରେ ବୁଲିବ ମୁଁ ହିରୋ ରଥ । ଉଦ୍ଦେଶ୍ୟ, ଯୁବବର୍ଗଙ୍କ ଭିତରେ ଥିବା ପ୍ରତିଭାକୁ ଚିହ୍ନଟ କରି ସମ୍ମାନିତ କରିବା, ହେଲେ ବିଜେଡିର ଏହି ଅଭିଯାନରେ ରାଜନୀତିର ଗନ୍ଧ ବାରିଛନ୍ତି ବିରୋଧୀ । କଟକ ଜବାହାରଲାଲ ନେହେରୁ ଇଣ୍ଡୋର ଷ୍ଟାଡିୟମରେ ବିଜେଡି ସରକାରଙ୍କ ରଙ୍ଗାରଙ୍ଗ କାର୍ୟ୍ୟକ୍ରମ । ବିଜୁ ଯୁବ ବାହିନୀର ଅଂଶ ଭାବରେ ‘ମୁଁ ହିରୋ ମୁଁ ଓଡ଼ିଶା’ କାର୍ୟ୍ୟକ୍ରମର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ନିଜସ୍ୱ ଉଦ୍ୟମରେ ସାମାଜିକ ପରିବର୍ତନ ଆଣିଥିବା ଯୁବକ, ଯୁବତୀଙ୍କୁ ସମ୍ମାନିତ କରିବା ଲାଗି ଏଭଳି ଅଭିଯାନ ଆରମ୍ଭ କରିଛି ବିଜୁ ଜନତା ଦଳ । ରାଜ୍ୟର ସମସ୍ତ ୩୧୪ ବ୍ଲକ ଓ ୧୧୩ ପୌରାଂଚଳର ଯୁବକ ଯୁବତୀମାନଙ୍କୁ ବିଜେଡି ସହ ଯୋଡିବା ଲକ୍ଷ୍ୟରେ ଆରମ୍ଭ ହୋଇଥିବା ବିଜୁ ଯୁବ ବାହିନୀକୁ ଗତ ମାର୍ଚ୍ଚ ୧୪ ତାରିଖରେ ଅନୁମୋଦନ କରିଥିଲା କ୍ୟାବିନେଟ୍ । ନିର୍ବାଚନୀ ବର୍ଷରେ କ୍ରୀଡା ଓ ସାମାଜିକ ପରିବର୍ତ୍ତନ କ୍ଷେତ୍ରରେ ବିଶେଷ ଭୂମିକା ନେଉଥିବା ଯୁବବର୍ଗଙ୍କୁ ପୁରସ୍କୃତ କରିବା ଲକ୍ଷ୍ୟରେ ମୁଁ ହିରୋ ଅଭିଯାନ ଆରମ୍ଭ କରି ଆଉପାଦେ ଆଗେଇଛନ୍ତି ବିଜେଡ଼ି ସରକାର । ହେଲେ ବିରୋଧୀଙ୍କ ଅଭିଯୋଗ ରାଜ୍ୟରେ ଯୁବକ, ଯୁବତୀଙ୍କ ପାଇଁ ନିଯୁକ୍ତି ଅଭାବର କୁହେଳିକା ଭିତରେ ରାଜନୈତିକ ବିଭ୍ରାନ୍ତି ପାଇଁ ଏହା ଏକ ପ୍ରୟାସ । ମୁଁ ହିରୋ ରଥକୁ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।