ଓଡିଆନ୍ ନ୍ୟୁଜ

154

ଭିତରକନିକାରେ ୧୯,୮୯୦ବସାରେ ୯୧,୨୨୪ପକ୍ଷୀ ଚିହ୍ନଟ

Team Odian News |

ଭିତରକନିକାରେ ୧୯,୮୯୦ବସାରେ ୯୧,୨୨୪ପକ୍ଷୀ ଚିହ୍ନଟ
ରାଜନଗର,୧/୯(ଓଡ଼ିଆନ୍ ନ୍ୟୁଜ୍) : ବିଶ୍ୱ ପ୍ରସିଦ୍ଧ ଭିତରକନିକା ଜାତୀୟ ଉଦ୍ୟାନରେ ଦେଶୀୟ ପକ୍ଷୀ ଗଣନା ଶେଷ ହୋଇଛି । ପ୍ରଥମଥର ପାଇଁ ଜାତୀୟ ଉଦ୍ୟାନର ୫ଏକର ବିଶିଷ୍ଟ ବଗଗହଣରେ ପକ୍ଷୀମାନଙ୍କୁ ଦେଖିବାକୁ ମିଳିନାହିଁ । ମୁଖ୍ୟତଃ ମଠଆଡିଆରେ ବନି, ଗୁଆଁ ଓ ଚୋରଣ୍ଡା ପ୍ରଭୃତି ୧୯୧୧ଗଛରେ ୧୦ପ୍ରଜାତିର ୧୯,୮୯୦ବସାରେ ୯୧,୨୨୪ଟି ପକ୍ଷୀ ଗଣନା କରାଯାଇଛି । ବର୍ଷାଋତୁର ଆଗମନରେ ଦେଶର କୋଣ ଅନୁକୋଣରୁ ନିଜର ବଂଶବିସ୍ତାର ପାଇଁ ଗେଣ୍ଡାଳିଆ, ରାଣୀବଗ, ମଝିଆବଗ, ଛୋଟବଗ, ଖଇରାବଗ, ଅଂଜନା ବା ମାଟିଆ ବଗ, ପାଣିକୁଆ, ଅନ୍ଧାରିଆ ବଗ, ଦାଆବେଟିଂଆ, କାପରଖାଇ ପ୍ରଭୃତି ୧୦ପ୍ରଜାତିର ପକ୍ଷୀ ଭିତରକନିକାର ମଠଆଡିଆର ଗଛମାନଙ୍କରେ ବସା ବାନ୍ଧିଥାନ୍ତି । ଏହି ପକ୍ଷୀମାନଙ୍କ ମଧ୍ୟରୁ ଗେଣ୍ଡାଳିଆ ସର୍ବାଧିକ ୧୪,୨୨୯ବସାରେ ବଡ ୨୮,୪୫୮ ଓ ଛୁଆ ୨୭,୯୯୫ ମୋଟ ୬୫,୪୫୩ଥିବା ବେଳେ ସବୁଠାରୁ କମ ସଂଖ୍ୟାରେ ଛୋଟବଗ ୬୮ବସାରେ ବଡ ଓ ଛୁଆ ମିଶି ୩୦୬ଥିବା ଜଣାପଡିଛି । ସର୍ବାଧିକ ୧୫୪୩ ବନି ଗଛରେ ବସା ବାନ୍ଧି ଥିବାବେଳେ ଗୋଟିଏ ଚୋରଣ୍ଡା ଗଛରେ ବସା ବାନ୍ଧିଥିବା ଦେଖିବାକୁ ମିଳିଛି । ଏହି ପକ୍ଷୀ ଗଣନା ପାଇଁ ବନଖଣ୍ଡ ଅଧିକାରୀ ବିମଳ ପ୍ରସନ୍ନ ଆଚାର୍ଯ୍ୟଙ୍କ ତତ୍ୱାବଧାନରେ କନିକା ରେଂଜ ଅଫିସର ସୁବ୍ରତକୁମାର ପାତ୍ରଙ୍କ ସହ ଫରେଷ୍ଟର ବିଜୟକୁମାର ପାତ୍ର, ଫରେଷ୍ଟଗାର୍ଡ ସୁନିଲ ରାଉତ ଓ ବିଜୟ ଦାସଙ୍କ ନେତୃତ୍ୱରେ ୪ଜଣ ଲେଖାଏ କର୍ମଚାରୀଙ୍କୁ ନେଇ ତିନୋଟି ଟିମ୍ ଗଠନ କରାଯାଇଥିଲା । ଗତ୨୩ତାରିଖଠାରୁ ୩୦ତାରିଖ ମଧ୍ୟରେ ବସା ଚିହ୍ନଟ ସହ ଗଣନା କରାଯାଇଥିଲା ।