ଓଡିଆନ୍ ନ୍ୟୁଜ

152

ଗାନ୍ଧୀ ଜୟନ୍ତୀରୁ ଗୋପବନ୍ଧୁ ଜୟନ୍ତୀ ପର୍ୟ୍ୟନ୍ତ ନିଶାମୁକ୍ତି ସଙ୍କଳ୍ପ ସମାବେଶ

Team Odian News |

ଗାନ୍ଧୀ ଜୟନ୍ତୀରୁ ଗୋପବନ୍ଧୁ ଜୟନ୍ତୀ ପର୍ୟ୍ୟନ୍ତ ନିଶାମୁକ୍ତି ସଙ୍କଳ୍ପ ସମାବେଶ 
ଭୁବନେଶ୍ୱର,୨୭/୯(ଓଡ଼ିଆନ୍ ନ୍ୟୁଜ୍):ସମଗ୍ର ଓଡ଼ିଶାରେ ନିଶାମୁକ୍ତି ପାଇଁ ଜନ ଜାଗରଣ ସୃଷ୍ଟି ହୋଇଛି । ତାହାକୁ ଅଧିକ ସକ୍ରିୟ କରିବା ଲାଗି ଗାନ୍ଧୀ ଜୟନ୍ତୀରୁ ଗୋପବନ୍ଧୁ ଜୟନ୍ତୀ ପର୍ୟ୍ୟନ୍ତ ଓଡ଼ିଶା ମଦମୁକ୍ତି ଅଭିଯାନ ପକ୍ଷରୁ ଏକ ସଂକଳ୍ପ ସମାବେଶ କରାଯିବ । ତେବେ ରାଜ୍ୟରେ ଥିବା ଅନ୍ୟ ସମସ୍ତ ମହିଳା ସ୍ୱୟଂସହାୟିକା ଗୋଷ୍ଠୀ, ସମାଜସେବୀ ସଂସ୍ଥା, ଦଳମତ ନିର୍ବିଶେଷରେ ପଞ୍ଚାୟତରୁ ପାର୍ଲାମେଣ୍ଟ ପର୍ୟ୍ୟନ୍ତ ନିର୍ବାଚିତ ଲୋକ ପ୍ରତିନିଧି, ମହିଳା ସଂଗଠନ, ଯୁବ ଓ ଛାତ୍ର ସଂଗଠନ ଏବଂ ସର୍ବୋପରି ସଚେତନ ନାଗରିକମାନେ ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀରୁ ନିଜ ନିଜ ଅଞ୍ଚଳରେ ସଂକଳ୍ପ ସମାବେଶମାନ ଆୟୋଜନ କରିବାକୁ ଓଡ଼ିଶା ମଦମୁକ୍ତି ଅଭିଯାନ ପକ୍ଷରୁ ନିବେଦନ କରାଯାଇଛି । ନିଶା ନିବାରଣ ସ୍ୱାଧୀନତା ସଂଗ୍ରାମର ଘୋଷିତ କାର୍ୟ୍ୟକ୍ରମ ଥିବା ବେଳେ ସମ୍ବିଧାନରେ ମଧ୍ୟ ନିଶା ନିବାରଣ କଥା ଉଲ୍ଲେଖ କରାଯାଇଛି । ଓଡ଼ିଶା ବିଧାନସଭାରେ ବି ପାରିତ ହୋଇଥିବା ଓଡ଼ିଶା ନିଶା ନିବାରଣ ଆଇନ୍ କାର୍ୟ୍ୟକାରୀ ନ ହୋଇ ପଡ଼ିରହିଛି । ପ୍ରଚଳିତ ରାଜ୍ୟ ଅବକାରୀ ଆଇନ୍ରେ ମଧ୍ୟ ନିଶା ନିବାରଣ ଉପରେ ଗୁରୁତ୍ୱ ଦିଆଯାଇଥିବା ବେଳେ ଓଡ଼ିଶା ସରକାର ୨୦୧୩ ମସିହାରେ ଘୋଷିତ ଯୁବ ନୀତିରେ ନିଶାମୁକ୍ତ ଗ୍ରାମ ପ୍ରତିଷ୍ଠା ପାଇଁ ଆହ୍ୱାନ ଦିଆଯାଇଛି । ନିଶା ଯୋଗୁଁ ରାଜ୍ୟରେ କୌଣସି ଉନ୍ନତି ଆସିପାରୁ ନାହିଁ । ଆଇନ୍ ଶୃଙ୍ଖଳା ବିପର୍ୟ୍ୟୟ ଠାରୁ ଆରମ୍ଭ କରି ପାରିବାରିକ କଳହ, ଅପରାଧ, ଦାରିଦ୍ର୍ୟ, ଭ୍ରଷ୍ଟାଚାର ବଢ଼ିବା କ୍ଷେତ୍ରରେ ନିଶାର ପ୍ରମୁଖ ଭୂମିକା ରହିଛି । ବ୍ୟକ୍ତି, ପରିବାର ଓ ସମାଜକୁ ମଧ୍ୟ ଏହା ନଷ୍ଟଭ୍ରଷ୍ଟ କରୁଛି । ଦାରିଦ୍ର୍ୟ ଦୂରୀକରଣ ସମେତ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବହୁ କଲ୍ୟାଣକର କାର୍ୟ୍ୟକ୍ରମ ବି ନିଶାର ପ୍ରସାର ଯୋଗୁଁ ଉଧେଇ ପାରୁନାହିଁ ।
 ଯେଉଁ ବ୍ୟକ୍ତି ବିଶେଷ ଓ ସଂଗଠନମାନେ ମଦମୁକ୍ତି ଲାଗି ଆଗ୍ରହୀ ସେମାନେ ଗାନ୍ଧୀ ଜୟନ୍ତୀରୁ ଗୋପବନ୍ଧୁ ଜୟନ୍ତୀ ପର୍ୟ୍ୟନ୍ତ ନିଜ ନିଜ ଅଞ୍ଚଳରେ ନିଶା ବିରୋଧୀ ସଂକଳ୍ପ ସମାବେଶମାନ ଆୟୋଜନ କରିବା ପାଇଁ ଓଡ଼ିଶା ମଦମୁକ୍ତି ଅଭିଯାନର ଆବାହିକା ପ୍ରମିଳା ସ୍ୱାଇଁ ନିବେଦନ କରିଛନ୍ତି ।