ଓଡିଆନ୍ ନ୍ୟୁଜ

156

ଓଡ଼ିଶାରେ ଭାରତ ବନ୍ଦ ଯୋଗୁଁ ରାସ୍ତାରେ ଗଡ଼ୁନି ଗାଡ଼ି, ବିଭିନ୍ନ ସ୍ଥାନରେ ଅଟକିଛି ଟ୍ରେନ

Team Odian News |

ଓଡ଼ିଶାରେ ଭାରତ ବନ୍ଦ ଯୋଗୁଁ ରାସ୍ତାରେ ଗଡ଼ୁନି ଗାଡ଼ି, ବିଭିନ୍ନ ସ୍ଥାନରେ ଅଟକିଛି ଟ୍ରେନ
ଭୁବନେଶ୍ୱର୧୦/୯(ଓଡ଼ିଆନ୍ ନ୍ୟୁଜ୍): ପେଟ୍ରୋଲ ଓ ଡିଜେଲ ଦରର ଅହେତୁକ ବୃଦ୍ଧି ପ୍ରତିବାଦରେ ଆଜି କଂଗ୍ରେସ ପକ୍ଷରୁ ‘ଭାରତ ବନ୍ଦ’ ଡାକରା ଦେଇଛି। ୧୭ଟି ରାଜନୈତିକ ଦଳ ଏହି ବନ୍ଦକୁ ସମର୍ଥନ ଦେଇଥିବାରୁ ସମଗ୍ର ଦେଶରେ ବନ୍ଦ ପାଳିତ ହେଉଛି। ଏ ପରିପ୍ରେକ୍ଷୀରେ ଓଡ଼ିଶାରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ନେତୃତ୍ୱରେ ଓଡ଼ିଶାରେ ବନ୍ଦ ପାଳିତ ହେଉଛି। ବନ୍ଦ ଯୋଗୁଁ ଜାତୀୟ ରାଜପଥରେ ଯାନବାହାନ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ରହିଥିବା ବେଳେ ରାଜ୍ୟର ବିଭିନ୍ନ ରେଳ ଷ୍ଟେସନରେ କଂଗ୍ରେସ ଓ ଅନ୍ୟ ରାଜନୈତିକ ଦଳଗୁଡିକ ଟ୍ରେନ୍‌ ଅଟକାଇଛନ୍ତି। ଫଳରେ ବିଭିନ୍ନ ଷ୍ଟେସନରେ ଟ୍ରେନ୍‌ଗୁଡ଼ିକ ଅଟକି ରହିଛି।ରାଜ୍ୟରେ ପିସିସି ନେତୃତ୍ୱ ପରିବର୍ତ୍ତନ ପରେ ଏବଂ ଆଗାମୀ ସାଧାରଣ ନିର୍ବାଚନ ପୂର୍ବରୁ ରାଜ୍ୟ କଂଗ୍ରେସକୁ ମିଳିଥିବା ଏହି ବଡ଼ ସୁଯୋଗକୁ ପିସିସି ମୁଖିଆ ନିରଞ୍ଜନ ପଟ୍ଟନାୟକ ହାତଛଡ଼ା କରିବାକୁ ଚାହୁଁ ନାହାଁନ୍ତି। ଏହି ବନ୍ଦକୁ ସଫଳ କରିବା ପାଇଁ କଂଗ୍ରେସ ନେତାମାନେ ଲାଗି ପଡ଼ିଛନ୍ତି। ବିଧାନସଭା ଅଧିବେଶନ ଚାଲିଥିଲେ ବି କଂଗ୍ରେସ ସଭ୍ୟମାନେ ଗୃହକୁ ନ ଯାଇ ବିଭିନ୍ନ ସ୍ଥାନରେ ପିକେଟିଂରେ ସାମିଲ୍‌ ହୋଇଛନ୍ତି। ତେବେ ବନ୍ଦ ବେଳେ ଆମ୍ବୁଲାନ୍ସ, ମେଡିସିନ୍‌ ଷ୍ଟୋର୍‌ ଛାଡ଼ି ବସ୍‌, ଅଟୋ ଚଳାଚଳ ସହିତ ଦୋକାନବଜାର ବନ୍ଦ ରହିଛି। ଆଜି ସରକାର ସ୍କୁଲ ଛୁଟି ଘୋଷଣା କରିଥିବାରୁ କୌଣସି ସ୍କୁଲ ବସ ଗଡ଼ି ନାହିଁ।
ମିଳିଥିବା ସୂଚନା ଅନୁଯାୟୀ, ତୈଳ ଦର ବୃଦ୍ଧି ପ୍ରତିବାଦରେ କଂଗ୍ରେସର ଭାରତ ବନ୍ଦ ଡାକରା ପରିପ୍ରେକ୍ଷୀରେ କଂଗ୍ରେସ ନେତା ମହମ୍ମଦ ମୁକିମ୍‌ଙ୍କ ନେତୃତ୍ୱରେ କଂଗ୍ରେସ କର୍ମୀମାନେ ରେଳରୋକ କରିଛନ୍ତି। ବିକ୍ଷୋଭକାରୀମାନଙ୍କ ରେଳରୋକ ଯୋଗୁଁ କଟକ ଷ୍ଟେସନରେ ହାୱଡ଼ା-ଚେନ୍ନାଇ ସୁପରଫାଷ୍ଟ୍‌ ଏକ୍ସପ୍ରେସ ଟ୍ରେନ୍‌ ଅଟକିଛି।