ଓଡିଆନ୍ ନ୍ୟୁଜ

164

କୁମ୍ଭୀର ପ୍ରଜନନ କେନ୍ଦ୍ରରୁ ଧଳା କୁମ୍ଭୀର ଛୁଆ ଗାଏବ

Team Odian News |

କୁମ୍ଭୀର ପ୍ରଜନନ କେନ୍ଦ୍ରରୁ ଧଳା କୁମ୍ଭୀର ଛୁଆ ଗାଏବ
ରାଜନଗର,୨୬/୯(ଓଡ଼ିଆନ୍ ନ୍ୟୁଜ୍) : ବିଶ୍ୱ ପ୍ରସିଦ୍ଧ ଭିତରକନିକା ଜାତୀୟ ଉଦ୍ୟାନର ଡାଙ୍ଗମାଳଠାରେ ଥିବା କୁମ୍ଭୀର ଗବେଷଣା ଓ ସଂରକ୍ଷଣ କେନ୍ଦ୍ରରୁ ଧଳା କୁମ୍ଭୀର ଶାବକ ଗାଏବ ହୋଇଯାଇଛି। ଗତବର୍ଷ ଅକ୍ଟୋବରରେ ପ୍ରଜନନ କେନ୍ଦ୍ର ମଧ୍ୟରେ ଏହି ଧଳା କୁମ୍ଭୀର ଶାବକକୁ ଦେଖିବାକୁ ମିଳିଥିଲା। ଦୀର୍ଘ ୪୩ ବର୍ଷ ପରେ କୃତ୍ରିମ ଉପାୟରେ କୁମ୍ଭୀର ଅଣ୍ଡାରୁ ଧଳା କୁମ୍ଭୀର ଛୁଆ ମିଳିବା ପରେ ସବୁ ମହଲରେ ଖୁସିର ଲହରି ଖେଳିଯାଇଥିଲା । ମାତ୍ର ବର୍ଷକ ପରେ ଉକ୍ତ ଧଳା କୁମ୍ଭୀର ଶାବକଟି ପ୍ରଜନନ କେନ୍ଦ୍ର ମଧ୍ୟରେ ନ ଥିବାରୁ ସନ୍ଦେହ ପ୍ରକାଶ ପାଇଛି। ଧଳା କୁମ୍ଭୀର ଶାବକଟି ମୃତ୍ୟୁବରଣ କରିଛି ନା’ ଏହା ପଛରେ ଅନ୍ୟ କିଛି ଷଡଯନ୍ତ୍ର ରହିଛି, ସେ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ଗତବର୍ଷ ଗୋରୀ, ଶଙ୍ଖୁଆ ପରେ ଆଉ ଏକ ଧଳା କୁମ୍ଭୀର ଛୁଆ ଭିତରକନିକାରେ ଦେଖିବାକୁ ମିଳିଥିଲା। ୨୦୧୭ କୁମ୍ଭୀର ପ୍ରଜନନ ଋତୁରେ ଭିତରକନିକାର ଗଇଖିଆଠାରେ ଏକ କୁମ୍ଭୀର ଅଣ୍ଡା ବସା ଜୁଆର ମାଡରେ ନଷ୍ଟ ହୋଇଯାଇଥିଲା। ବନବିଭାଗ ପକ୍ଷରୁ ସଂପୃକ୍ତ କୁମ୍ଭୀର ବସାରୁ ୫୮ଟି ଅଣ୍ଡା ସଂଗ୍ରହ କରାଯାଇଥିଲା। ଡାଙ୍ଗମାଳଠାରେ ବଉଳା କୁମ୍ଭୀର ଗବେଷଣା ଓ ସରଂକ୍ଷଣ କେନ୍ଦ୍ରରେ କୃତିମ ଉପାୟରେ ଏହି ୫୮ଟି ଅଣ୍ଡାରୁ ଛୁଆ ଫୁଟାଯାଇଥିଲା। ଅଗଷ୍ଟ ୨୦୧୭ରେ କୁତ୍ରିମ ଉପାୟରେ ୫୮ଟି ଅଣ୍ଡାରୁ ୩୨ଟି ଛୁଆ ବାହାରିଥିଲେ। ୩୨ଟି ଛୁଆକୁ କୁମ୍ଭୀର ଗବେଷଣା ଓ ସରଂକ୍ଷଣ କେନ୍ଦ୍ରରେ ରଖାଯାଇଥିଲା। ବାହାରିବା ସମୟରେ ଛୁଆଗୁଡିିକ ଅତି ଛୋଟ ଆକାରର ହୋଇଥିବାରୁ ଧଳା-କଳା ରଂଗ ବାରି ହୋଇନଥିଲା। ମାତ୍ର ଛୁଆଗୁଡିକ ବଢିବା ପରେ ଗତବର୍ଷ ଅକ୍ଟୋବର ମାସରେ ପ୍ରଜନନ କେନ୍ଦ୍ରରେ ଧଳା ଛୁଆ ପହଁରୁଥିବା ଦେଖିବାକୁ ମିଳିଥିଲା। ଏହି ବିରଳ ଧଳା ଛୁଆଟି ଗୋରୀ ପରି ଶଙ୍ଖ ମଲମଲ ଧଳା ରଂଗର ହୋଇଥିବାରୁ ଏହାକୁ ନେଇ ସବୁ ମହଲରେ ଉତ୍କଣ୍ଠା ପ୍ରକାଶ ପାଇଥିଲା। ଏହି ବିରଳ ଧଳା କୁମ୍ଭୀର ଛୁଆ ସଂପର୍କରେ ସେତେବେଳେ ବନବିଭାଗ ପକ୍ଷରୁ ଗଣମାଧ୍ୟମକୁ ଖବର ଦିଆଯାଇଥିଲା। ଧଳା କୁମ୍ଭୀର ଛୁଆର ଯତ୍ନ ସ୍ୱତନ୍ତ୍ର ଭାବେ ନିଆଯାଉଛି ବୋଲି ବନବିଭାଗ ପକ୍ଷରୁ କୁହାଯାଇଥିଲା। ଭିତରକନିକାରେ ଧଳା କୁମ୍ଭୀର ଛୁଆଙ୍କ ସଂଖ୍ୟା ବୃଦ୍ଧି ଭିତରକନିକାକୁ ନୂତନ ପରିଚୟ ଦେଇଥିଲା। ମାତ୍ର ଏବେ ଉକ୍ତ ଧଳା କୁମ୍ଭୀର ଶାବକଟି ନଥିବା ଜଣାପଡିଛି।