ଓଡିଆନ୍ ନ୍ୟୁଜ

147

ପରକ୍ରିୟାପ୍ରୀତି ଆଉ ଅପରାଧ ନୁହେଁ, ସୁପ୍ରିମକୋର୍ଟର ଐତିହାସିକ ରାୟ

Team Odian News |

ପରକ୍ରିୟାପ୍ରୀତି ଆଉ ଅପରାଧ ନୁହେଁ,  ସୁପ୍ରିମକୋର୍ଟର  ଐତିହାସିକ ରାୟ
ନୂଆଦିଲ୍ଲୀ,୨୮/୯(ଓଡ଼ିଆନ୍ ନ୍ୟୁଜ୍) : ୨୦୧୮ ଭାରତୀୟ ଆଇନ ବ୍ୟବସ୍ଥା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ବର୍ଷ କୁହାଯାଇ ପାରେ। କାରଣ ଏହି ବର୍ଷ ସମାଜର ଜୀବନଶୈଳୀ ସହ ଯୋଡ଼ି ରହିଥିବା ଏକାଧିକ ନିୟମରେ ପରିବର୍ତ୍ତନ ଅଣାଯାଇଛି। ଭାରତୀୟ ପରମ୍ପରାଗତ ବ୍ୟବସ୍ଥାର ବୀପରିତରେ ଯାଇ ଚଳିତ ବର୍ଷ ଏକାଧିକ ଆଇନକୁ ସୁପ୍ରିମ କୋର୍ଟ ବଳବତ୍ତର କରିଛି। ଆସନ୍ତୁ ଜାଣିବା ଏଭଳି ପ୍ରମୁଖ ୫ଟି ନିମୟ ଯାହା ଭାରତୀୟ ସମାଜର ଜୀବନଶୈଳୀରେ ବଡ଼ ପ୍ରଭାବପକାଇଛି ।
୧. ସବରୀମାଳା ମନ୍ଦିରରେ ମହିଳାଙ୍କ ପ୍ରବେଶ: ୨୮ସେପ୍ଟେମ୍ବରରେ ସୁପ୍ରିମ କୋର୍ଟ କେରଳ ସବରୀମାଳା ମନ୍ଦିରରେ ମହିଳାଙ୍କ ପ୍ରବେଶକୁ ନେଇ ଲାଗିଥିବା ପ୍ରତିବନ୍ଧକକୁ ଉଠାଇ ଦେଇଛନ୍ତି। ସୁପ୍ରିମ କୋର୍ଟର ୫ଜଣିଆ ଖଣ୍ଡପୀଠ ଏହି ରାୟ ପ୍ରଦାନ କରିଥିଲେ। ୮୦୦ବର୍ଷ ପୁରାତନ ଏହି ମନ୍ଦିରରେ ମହିଳାଙ୍କ ପ୍ରବେଶ ଉପରେ ପ୍ରତିବନ୍ଧକ ଥିଲା। ଏହି ପରମ୍ପରା ବିରୋଧରେ ପ୍ରଧାନ ବିଚାରପତି ଦୀପକ ମିଶ୍ର ରାୟ ପ୍ରଦାନ କରି ଆସ୍ଥା ନାମରେ ଲିଙ୍ଗଭେଦକୁ ଭାରତୀୟ ସମ୍ବିଧାନରେ ସ୍ୱୀକାର କରାଯାଇ ନପାରେ ବୋଲି ରାୟ ଦେଇଥିଲେ। ଆଇନ ଓ ସମାଜ ଉଭୟ ପୁରୁଷ ଓ ମହିଳାଙ୍କୁ ସମାନ ଦୃଷ୍ଟିରେ ଦେଖିବା ଉଚିତ ବୋଲି ସୁପ୍ରିମକୋର୍ଟ ରାୟ ଦେଇଛନ୍ତି ।
୨. ଆଧାର ସମ୍ବାଧାନିକ କିନ୍ତୁ ସର୍ତ୍ତମୂଳକ: ସୁପ୍ରିମକୋର୍ଟରେ ୫ଜଣିଆ ଖଣ୍ଡପୀଠ ୨୬ସେପ୍ଟେମ୍ବରରେ ଆଧାରକୁ ସମ୍ବିଧାନିକ ବୋଲି ନିର୍ଦେଶ ଦେବା ସହ ସମସ୍ତ ସରକାରୀ କାର‌୍ୟ୍ୟରେ ଆଧାରକୁ ଅନିବାର‌୍ୟ୍ୟ କରାଯାଇ ପାରେନା ବୋଲି ରାୟ ପ୍ରଦାନ କରିଥିଲେ। ଆଧାର କାର୍ଡ଼ ସହ ପ୍ୟାନ କାର୍ଡ଼କୁ ଲିଙ୍କ କରାଯାଇ ଥିଲେ ମଧ୍ୟ ବ୍ୟାଙ୍କ ଖାତା କିମ୍ବା ମୋବାଇଲ ନମ୍ବର ପାଇଁ ଆଧାର କାର୍ଡ଼ର ଆବଶ୍ୟକତାକୁ ବାତିଲ କରିଦେଇଥିଲେ ସୁପ୍ରିମ କୋର୍ଟ।
୩. ପରକ୍ରିୟାପ୍ରୀତି ଆଉ ଅପରାଧ ନୁହେଁ: ଅନ୍ୟୁନ ୧୫୦ବର୍ଷ ପୁରାତନ ବ୍ୟାଭିଚାର ଆଇନ(ଧାରା ୪୯୮)କୁ ସୁପ୍ରିମ କୋର୍ଟ ୨୭ସେପ୍ଟେମ୍ବରରେ ଅସମ୍ବିଧାନିକ ଘୋଷଣା କରିବା ସହ ଏଭଳି କାର‌୍ୟ୍ୟକୁ ଅପରାଧ ଶ୍ରେଣୀରୁ ବାଦ ଦେଇଛନ୍ତି। ଏହି ଧାରାରେ ମହିଳାଙ୍କୁ ପୁରୁଷଙ୍କ ସମ୍ପତ୍ତି ରୂପେ ତୁଳନା କରାଯାଇ ଥିବାରୁ ସୁପ୍ରିମକୋର୍ଟ ଏହି ଧାରାକୁ ସମ୍ବିଧାନରୁ ବାତିଲ କରି ଦେଇଛନ୍ତି।
୪. ସୁପ୍ରିମ କୋର୍ଟରେ ହେବ ସିଧା ପ୍ରସାରଣ: ସୁପ୍ରିମକୋର୍ଟରେ ଶୁଣାଣି ପ୍ରକ୍ରିୟାକୁ ସିଧା ପ୍ରସାରଣ କରିବାକୁ ଅନୁମତି ମିଳିଛି। କୋର୍ଟ ୨୬ସେପ୍ଟେମ୍ବରରେ ପ୍ରଦତ୍ତ ଏକ ରାୟରେ ସିଧା ପ୍ରସାରଣକୁ ସବୁଜ ସଙ୍କେତ ଦେବା ସହ ଏହା ଦ୍ୱାରା ଜନସାଧାରଣଙ୍କୁ ତ୍ୱରିତ ଆଇନ ସମ୍ବନ୍ଧୀୟ ତଥ୍ୟ ମିଳିବା ସହ ନ୍ୟାୟାଳୟର ପ୍ରକ୍ରିୟାରେ ଅଧିକ ପାରଦର୍ଶିତା ଆସିବ ବୋଲି ସୁପ୍ରିମକୋର୍ଟ ପ୍ରକାଶ କରିଥିଲେ।
୫. ସମଲିଙ୍ଗୀ ସମ୍ବନ୍ଧ ଅପରାଧ ନୁହେଁ: ସୁପ୍ରିମକୋର୍ଟରେ ୬ସେପ୍ଟେମ୍ବରରେ ଏଲଜିବିଟିକ୍ୟୁ ସମୁଦାୟଙ୍କ ମାମଲାର ଶୁଣାଣି କରି ସମଲିଙ୍ଗୀ ସମ୍ବନ୍ଧକୁ ଅପରାଧ ଶ୍ରେଣୀରୁ ମୁକ୍ତ କରିଛନ୍ତି। ସିଜେଆଇ ଦୀପକ ମିଶ୍ର ଅଧ୍ୟତାରେ ଗଠିତ ଖଣ୍ଡପୀଠ ଧାରା ୩୭୭ରେ ପରିବର୍ତ୍ତନ ଆଣିଥିଲେ। ଦୁଇ ପ୍ରାପ୍ତ ବୟସ୍କଙ୍କ ମଧ୍ୟରେ ଆପୋଷ ସହମତିରେ ସମ୍ପର୍କକୁ ଅପରାଧ ଶ୍ରେଣୀରୁ ବାଦ ଦିଆଯାଇଛି ।