ଓଡିଆନ୍ ନ୍ୟୁଜ

131

ମହଙ୍ଗା ହେବ ବିମାନ ଯାତ୍ରା !

Team Odian News |

ମହଙ୍ଗା ହେବ  ବିମାନ ଯାତ୍ରା !


ନୂଆଦିଲ୍ଲୀ,୨/୧୦(ଓଡ଼ିଆନ୍ ନ୍ୟୁଜ୍): ବିମାନ ଇନ୍ଧନ (ଏଟିଏଫ) ଦାମ ବୃଦ୍ଧି ଏବଂ ୫% ଆମଦାନୀ ଶୁଳ୍କ ବୃଦ୍ଧିର ପ୍ରଭାବ ଭାରତର ବିମାନ ଯାତ୍ରା ଉପରେ ପଡ଼ିଛି। ଫଳରେ ଖୁବଶୀଘ୍ର ବିମାନ ଯାତ୍ରା ମହଙ୍ଗା ହେବ ବୋଲି ଆଶଙ୍କା କରାଯାଉଛି। ଉତ୍ସବ ଋତୁ ଆରମ୍ଭ ସହ ବିମାନ ଯାତ୍ରା ପାଇଁ ଟିକେଟ୍‍ ଦର ବୃଦ୍ଧି ଘଟିବ ବୋଲି ଅନୁମାନ କରାଯାଉଛି। ଇନ୍ଧନ ଏବଂ ଆମଦାନୀ ଶୁଳ୍କ ବୃଦ୍ଧି ଯୋଗୁଁ ବିମାନ ଯାତ୍ରା ସେବା ପ୍ରଦାନକାରୀ କମ୍ପାନୀ ଗୁଡ଼ିକର ପରିଚାଳନା ଖର୍ଚ୍ଚ ବଢିଯାଇଛି। ଏହାକୁ ଭରଣା କରିବା ପାଇଁ ବିମାନ କମ୍ପାନୀଗୁଡ଼ିକ ଅକ୍ଟୋବର-ଡିସେମ୍ବର ତ୍ରୈମାସରେ ବିମାନ ଯାତ୍ରା ଟିକେଟ୍‍ ମୂଲ୍ୟ ବୃଦ୍ଧି କରିବାକୁ ଯୋଜନା କରିଛନ୍ତି। ଉଲ୍ଲେଖଯୋଗ୍ୟ ଯେ ଦୁଇ ମାସ ମଧ୍ୟରେ ଦଶହରା, ଦୀପାବଳୀ, ନବରାତ୍ରି, ଭାଇ ଦୁଜ୍‍ ଉତ୍ସବ ପଡ଼ିବ। ପର୍ବପର୍ବାଣୀ ଛୁଟିରେ ଲୋକେ ବାହାର ରାଜ୍ୟର କାର୍ଯ୍ୟକ୍ଷେତ୍ରରୁ ଘରକୁ ଓ ଅନ୍ୟସ୍ଥାନକୁ ଯିବା ପାଇଁ ବିମାନ ଯାତ୍ରା କରିବାକୁ ପସନ୍ଦ କରିବେ ଓ ଏହି ସୁଯୋଗରେ ବିମାନ କମ୍ପାନୀଗୁଡ଼ିକ ଟିକେଟ୍‍ ମୂଲ୍ୟ ବୃଦ୍ଧି କରିବେ ବୋଲି ବିଶେଷଜ୍ଞମାନେ ମତବ୍ୟକ୍ତ କରିଛନ୍ତି।
ଏବେ ବିମାନରେ ବ୍ୟବହୃତ ଜେଟ୍‍ ଇନ୍ଧନ (ଏଟିଏଫ) ମୂଲ୍ୟ ୨୦୧୪ ପରଠାରୁ ସର୍ବୋଚ୍ଚସ୍ତରରେ ପହଞ୍ଚିଛି। ଦେଶରେ ଅପ୍ରେଲ ୨୦୧୭ରେ ଏଟିଏଫ ମୂଲ୍ୟ ପ୍ରତି କିଲୋଲିଟର ପିଛା ୫୧୪୮୨ ଟଙ୍କା ଥିଲା। ଏବେ ଏହା ବୃଦ୍ଧି ପାଇ ପ୍ରତି କିଲୋଲିଟର ପିଛା ୭୪୫୬୭ ଟଙ୍କାରେ ପହଞ୍ଚିଛି।