ଓଡିଆନ୍ ନ୍ୟୁଜ

234

ରେଖା ଚିତ୍ର ଆଙ୍କିବା କଳାରେ କ୍ୟାରିୟର

Team Odian News |

ରେଖା ଚିତ୍ର ଆଙ୍କିବା କଳାରେ କ୍ୟାରିୟର

 
(ଓଡ଼ିଆନ୍ ନ୍ୟୁଜ୍): କ୍ୟାରିୟର ଚୟନରେ ଆଜିକାଲି ନାନା ବିବିଧତା ଓ ରୀତିନିତି ବିରୁଦ୍ଧତା ଦେଖିବାକୁ ମିଳୁଛି । ବାପ-ଅଜା ଚଉଦପୁରୁଷର କୌଳିକ ବୃତ୍ତିକୁ ଛାଡି ନିଜ ନିଜର ରୁଚିକୁ ପ୍ରାଧାନ୍ୟ ଦେଇ ଆଜିର ଯୁବପିଢି ନୂତନତା ଆଉ ଆପେକ୍ଷିକତାକୁ ଖୁସି ଓ ଉତ୍ସାହର ସହ ଆପଣାଉଛନ୍ତି । ରେଖା ଚିତ୍ର ଆଙ୍କିବାରେ କ୍ୟାରିୟର ସେଥିମଧ୍ୟରୁ ଅନ୍ୟତମ ଓ ଅନନ୍ୟ...
କାହାକୁ କହନ୍ତି ରେଖା ଚିତ୍ର
ଅଳ୍ପ ରେଖାରେ ଅନେକ ପ୍ରକାର ସର୍ଜନାତ୍ମକ ଭାବ ସୃଷ୍ଟି କରିପାରୁଥିବା ଚିତ୍ରକୁ ରେଖା ଚିତ୍ର କୁହାଯାଏ । ଷଠିଘରୁ ଆରମ୍ଭ କରି ଜନ୍ମଜାତକ, ଶିକ୍ଷା କ୍ଷେତ୍ର, ରୋଷେଇଘରର ଇଶାନକୋଣରେ ଝୋଟି-ଚିତା କିମ୍ବା ଚଉଁରାମୂଳର ମୂରୁଜ, ଅଜନ୍ତା-ଏଲୋରା-ଖଣ୍ଡଗିରି-ରତ୍ନଗିରି-ଉଦୟଗିରି ଆଦି ଗିରିଗୁହାରେ ଖୋଦାୟିତ ଶିକାର କରୁଥିବା ଆଦିମାନବର ଚିତ୍ର ରୂପେ ସଂସ୍କୃତି, ପରମ୍ପରା ଏମିତିକି ଏ୍ୟ÷÷ତିହାସିକ ଦସ୍ତାବିଜ୍ ଭାବେ ବି ପ୍ରମାଣିତ ହୋଇସାରିଛି ଏଇ ରେଖା ଚିତ୍ର । ଗୋଟିଏ ସଭ୍ୟତାରୁ ଆଉ ଗୋଟିଏ ସଭ୍ୟତାଯାଏଁ ଭିନ୍ନଭିନ୍ନ ଶୈଳୀରେ ଏହା ରୀତିମତ୍ ଗତିଶୀଳ । ସିନେମା ଘର, ଘର ଭିତର ଇଣ୍ଟରୟିରର୍ ଡିଜାଇନ୍, ଡ୍ରେସ୍ ଡିଜାଇନ୍, ଘର ନିର୍ମାଣପୁର୍ବ ଆର୍ଟିଟେକ୍ଚର୍ ଡିଜାଇନ୍, ଅଳଙ୍କାର ପ୍ରସ୍ତୁତି ଆଦିରେ ମଧ୍ୟ ନିଜର ଗୁରତ୍ୱ ରଖିଆସୁଛି ଏହା । ସ୍ୱଳ୍ପରେ କହିଲେ ଜନଜୀବନର ମୁଖ୍ୟ ଧାରାରେ ସଂପୂର୍ଣ୍ଣ ଭାବେ ସାମିଲ୍ ଏଇ ରେଖା ଚିତ୍ର । ତେବେ ଆସନ୍ତୁ ଜାଣିବା, କିପରି ସହଜରେ ଆପଣମାନେ ବି ଗଢ଼ିପାରିବେ ଏଇ ରେଖା ଚିତ୍ରରେ ନିଜର ରକଅନ୍ କ୍ୟାରିୟର ।
ଆବଶ୍ୟକ ଉପକରଣ 
ସାଧାରଣତଃ ରେଖାଚିତ୍ର ପାଇଁ ପେନସିଲ୍ଟିଏ ହିଁ ଦରକାର । ଚିତ୍ର ଆଙ୍କିଲାବେଳେ ରଙ୍ଗ ଷ୍ଟିକ୍ସ, ଚାର୍କୋଲ୍, କ୍ରେୟନ୍ ଆଦି ମଧ୍ୟ ବ୍ୟବହାର କରିପାରିବେ । କିଛି ଚିତ୍ରକରମାନେ ତ ସ୍ୟାହି କଲମ ଏବଂ ମାର୍କର୍ ବି ବ୍ୟବହାର କରିଥାନ୍ତି । ଏହାଛଡ଼ା ଉନ୍ନତମାନର କାଗଜ ମଧ୍ୟ ବ୍ୟବହୃତ ହୋଇଥାଏ ଭଲ ଚିତ୍ରଟିଏ ଆଙ୍କିବାକୁ । କିଛିକିଛି ଚିତ୍ରକର ତ ସ୍ୱତନ୍ତ୍ର ଲିକର୍ ସ୍ପ୍ରେ ସହିତ ରବର୍ ବି ବ୍ୟବହାର କରନ୍ତି ଚିତ୍ରକୁ ଅଭିନବ କରିବା ଉଦ୍ଦେଶ୍ୟରେ । 
କେଉଁସବୁ କ୍ଷେତ୍ରରେ ରେଖା ଚିତ୍ରକରଟିଏର ଥାଏ ଆବଶ୍ୟକତା
ପେଶାଦାର୍ ଚିତ୍ରକରମାନେ ଭିନ୍ନଭିନ୍ନ ଉଦ୍ଦେଶ୍ୟ ନେଇ ଚିତ୍ର ଆଙ୍କିଥାନ୍ତି । କେହିକେହି ରୂପଚିତ୍ର ଆଙ୍କୁଥିଲାବେଳେ ଆଉ କେହି ଅନ୍ୟଙ୍କୁ ଖୁସି କରିବା ଉଦ୍ଦେଶ୍ୟ ନେଇ ବି ରେଖାଚିତ୍ର ଆଙ୍କିଥାନ୍ତି । କେତେକ ଚିତ୍ର ଜୀବନ୍ତ ବସ୍ତୁ, ମଣିଷ ଅଥବା ଦୃଶ୍ୟକୁ ଦେଖି କରାଗଲାବେଳେ କେତେକ ଅଙ୍କାଯାଏ ସ୍ମୃତିରେ ଥିବା ଝାପ୍ସା କଳ୍ପନାକୁ ନେଇ । ଆଉ କେହିକେହି ତ ସାକ୍ଷୀଙ୍କ ସହାୟତାରେ ୟାକୁ ବ୍ୟବହାର କରି ଅପରାଧରେ ସଂଶ୍ଳିଷ୍ଟଥିବା ଅପରାଧୀର ସ୍କେଚ୍ ଆଙ୍କି ପୋଲିସ୍କୁ ସାହାଯ୍ୟ କରିଥାଆନ୍ତି । 
ଅଧିକାଂଶ ଚିତ୍ରକରମାନେ ଫ୍ରିଲ୍ୟାନ୍ସର୍ ଭାବରେ କାମ କରିଥାନ୍ତି । କିଛି ଚିତ୍ରକରମାନେ ତ ଅନନ୍ୟ ଚିତ୍ର ଆଙ୍କନ୍ତି ଯେଉଁସବୁକୁ ଗ୍ୟାଲେରି ଅଥବା ମ୍ୟୁଜିୟମ୍ରେ ଲଗାଇଥାନ୍ତି । କୋର୍ଟରୁମ୍ ଚିତ୍ରକରମାନେ କରିଥିବା ସ୍କେଚ୍ଗୁଡିକ ପରବର୍ତ୍ତୀ ସମୟରେ ଖବରକାଗଜ, ମାଗାଜିନ୍ କିମ୍ବା ଏ÷୍ୟତିହାସିକ ମ୍ୟୁଜିୟମ୍ରେ ଦେଖିବାକୁ ମିଳେ । ଅଦାଲତ୍ ସମ୍ବନ୍ଧୀୟ ଚିତ୍ରକର ସାଧାରଣତଃ ଫ୍ରିଲ୍ୟାନ୍ସର୍ ହୋଇଥାନ୍ତି । ସାମରିକ, ପ୍ରଶାସନକୁ ଛାଡିଦେଲେ ବିଦ୍ୟାଲୟଗୁଡ଼ିକରେ ଶିକ୍ଷକ ରୂପେ ବି ଆପଣ କାମ କରିପାରିବେ ।
କେମିତି ନେବେ ତାଲିମ୍
ଯଦିଓ ରେଖାଚିତ୍ର କରିବା ପାଇଁ ସେମିତି କିିଛି ବିଶେଷ ତାଲିମ୍ ଦରକାର ପଡେନି ତଥାପି ଯଦି ଆପଣ ଚାହିଁବେ ନିଜକୁ ଏଥିରେ ପ୍ରୋଫେସ୍ନାଲ୍ କରିବା ପାଇଁ କୌଣସି ଏକ ଆର୍ଟ କଲେଜ୍ରେ ନାମ ଲେଖାଇ ପାରିବେ । ଆସୋସିଏଟ୍ ଡିଗ୍ରୀ ଓ ବ୍ୟାଚେଟର୍ ଡିଗ୍ରୀ ଭଳି ଦୁଇପ୍ରକାର କୋର୍ସ ଲଭ୍ୟ । ଯଥାକ୍ରମେ ଦୁଇ ବର୍ଷ ଓ ଚାରି ବର୍ଷ ପାଇଁ ଏହି କୋର୍ସ କରିବାକୁ ପଡିଥାଏ । ଆପଣ ଚାହିଁଲେ କୌଣସି ବିଶେଷ ବିଷୟରେ ସ୍ପେସିଆଲାଇଜେସନ୍ ବି କରିପାରନ୍ତି, ଯେମିତିକି ଫାଇନ୍ ଆର୍ଟ, ଡ୍ରଇଂ କିମ୍ବା ଇଲୁଷ୍ଟ୍ରେସନ୍ । ଫରେନ୍ସିକ୍ ରେଖା ଚିତ୍ର ପାଇଁ ଅଲଗା ତାଲିମ୍ ନେବାକୁ ହୋଇଥାଏ । 
ରେଖା ଚିତ୍ରର ସାଧାରଣ ବିଷୟବସ୍ତୁଗୁଡ଼ିକ
- ପର୍ଯ୍ୟବେକ୍ଷିକ ଚିତ୍ର
- ଅନ୍ୱେଷଣାତ୍ମକ ଚିତ୍ର
- ଚିତ୍ରର ନାନା ଶୈଳୀ
- ମାନବର ଆକୃତି ଓ ଶରୀରର ସମ୍ବନ୍ଧୀୟ 
- ପରିବେଶ ଭିତ୍ତିକ ରେଖା ଚିତ୍ର
- ଶିଳ୍ପ ସମ୍ବନ୍ଧୀ ନକ୍ସା
- ଚିଠା ତିଆରି ଶୈଳୀ
- ସ୍ୱତନ୍ତ୍ର ପ୍ରୋଜେକ୍ଟ
ଭାରତର ପ୍ରଥମ ୧୦ଟି ଶିକ୍ଷାକେନ୍ଦ୍ର
- ମହାରାଜା ଶିବାଜୀ ରାଓ ୟୁନିଭର୍ସିଟି ଅଫ୍ ବରୋଦା
- ବନାରସ୍ ହିନ୍ଦୁ ୟୁନିଭର୍ସିଟି
- କଲେଜ୍ ଅଫ୍ ଆର୍ଟ, ନୂଆ ଦିଲ୍ଲୀ
- ସାର୍ ଜେ.ଜେ. ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଆପ୍ଲାଇଡ୍ ଆର୍ଟ, ମୁମ୍ବାଇ
- ଜମିଲା ମଲ୍ଲିଲା ଇସ୍ଲାମିଆ, ନୂଆ ଦିଲ୍ଲୀ
- ଭାରତୀ କଳା ମହାବିଦ୍ୟାଳୟ, ପୁଣେ
- କୁରୁକ୍ଷେତ୍ର ୟୁନିଭର୍ସିଟି
- ମହାତ୍ମା ଗାନ୍ଧୀ କାଶୀ ବିଦ୍ୟାପୀଠ, ବାରାଣାସୀ
- ଏଲ୍.ଏସ୍. ରାହେଜା ସ୍କୁଲ୍ ଅଫ୍ ମୁମ୍ବାଇ
- ଅଲିଗଡ଼ ମୁସଲିମ୍ ୟୁନିଭର୍ସିଟି
ଅର୍ନ୍ତଜାତୀୟ ସ୍ତରରେ ଖ୍ୟାତିସମ୍ପନ୍ନ ଚିତ୍ରକର ଶ୍ରୀଯୁକ୍ତ ଚିନ୍ତାମଣି ବିଶ୍ୱାଳ କୁହନ୍ତି , “ରେଖାଚିତ୍ର ହିଁ ସବୁ ସର୍ଜନାର ଭିତ୍ତିଭୂମି ବୋଲି ମୁଁ ବିଶ୍ୱାସ କରେ । ଚିତ୍ର ହିଁ ଅଧିକ ଶିଖାଏ, ମନସ୍ୱତ୍ୱକୁ ବେଶୀ ମାତ୍ରାରେ ପ୍ରଭାବିତ କରେ ।” ତାଙ୍କ ମତରେ ବଳିଷ୍ଠ ଭାବରେ ଇତିହାସକୁ ପ୍ରମାଣ କରିବା ସହିତ ଗୋଟିଏ ପିଢିକୁ ଆଉ ଗୋଟିଏ ପିଢି ସାଙ୍ଗରେ ଯୋଡ଼ିବାରେ ଚିତ୍ର ହିଁ ମୁଖ୍ୟ ଭୁମିକା ଗ୍ରହଣ କରିଛି ।