ଓଡିଆନ୍ ନ୍ୟୁଜ

153

ରାଜ୍ୟକୁ ମାଡି ଆସୁଛି ବର୍ଷା

Team Odian News |

ରାଜ୍ୟକୁ ମାଡି ଆସୁଛି ବର୍ଷା 


ଭୁବନେଶ୍ୱର ,୪/୧୦(ଓଡ଼ିଆନ୍ ନ୍ୟୁଜ୍):  ଓଡ଼ିଶା ଉପକୂଳର କେନ୍ଦ୍ରୀୟ ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ  ଘନୀଭୂତ ହେଉଥିବାର ପାଣିପାଗ ଆକଳନ ସଂସ୍ଥା ସ୍କାଇମେଟ୍‌ ସୂଚନା  ଦେଇଛି । ଆସନ୍ତା ୯ ତାରିଖ ବେଳକୁ ଏହି ଲଘୁଚାପଟି ଘନୀଭୂତ ହେବା ସହ ଓଡ଼ିଶା ଉପକୂଳରେ ଏହାର ପ୍ରଭାବ ପଡ଼ିବ ବୋଲି ଆକଳନ କରିଛି ସ୍କାଇମେଟ୍‌ ସଂସ୍ଥା।  ଲଘୁଚାପ ପ୍ରଭାବରେ ସମଗ୍ର ଉପକୂଳ ଓଡ଼ିଶାରେ ବର୍ଷା ହେବାର ସମ୍ଭାବନା ରହିଛି। ଆସନ୍ତା ଅକ୍ଟୋବର ୧୧ ତାରିଖ ବେଳକୁ ଲଘୁଚାପଟି ଓଡ଼ିଶା ଉପକୂଳର ନିକଟବର୍ତ୍ତୀ ହେବା ସହ ବଙ୍ଗୋପସାଗର ମଧ୍ୟରେ ଏହା ଦକ୍ଷିଣରୁ ଉତ୍ତର ଦିଗକୁ ଗତି କରି ଡିପ୍ରେସନ୍‌ କିମ୍ବା ଡିପ୍‌ ଡିପ୍ରେସନ୍‌ର ରୂପ ନେଇପାରେ । ଏଥିସହ ୧୨ ତାରିଖ ସୁଦ୍ଧା ଓଡ଼ିଶାର ଉତ୍ତର ଉପକୂଳ ଦେଇ ଏହା ସ୍ଥଳଭାଗକୁ ଅତିକ୍ରମ କରିବାର ସମ୍ଭାବନା ରହିଛି।  ଉପକୂଳ ଓଡ଼ିଶାର ବାଲେଶ୍ୱର, ଭଦ୍ରକ, ମୟୂରଭଞ୍ଜ, ଯାଜପୁର, କେନ୍ଦ୍ରାପଡ଼ା, ପୁରୀ, ଖୋର୍ଦ୍ଧା, ନୟାଗଡ଼, କଟକ ଓ ଜଗତସିଂହପୁର ପ୍ରଭୃତି ଜିଲ୍ଲାରେ ମଧ୍ୟମରୁ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଥିବା ଆକଳନ କରିଛି ପାଣିପାଗ ଆକଳନ ସଂସ୍ଥା ସ୍କାଇମେଟ୍‌। ତେବେ, କେନ୍ଦ୍ରୀୟ ବଙ୍ଗୋପସାଗରରେ ଦାନା ବାନ୍ଧୁଥିବା ଏହି ଲଘୁଚାପ ସଂପର୍କରେ ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ପକ୍ଷରୁ କୌଣସି ସୂଚନା ଆଜି ସନ୍ଧ୍ୟା ସୁଦ୍ଧା ଜାରି କରାଯାଇ ନାହିଁ।