ଓଡିଆନ୍ ନ୍ୟୁଜ

126

କଡ଼ା ସୁରକ୍ଷାରେ ଚାଲିଛି ଜମ୍ମୁ-କାଶ୍ମୀରରେ ପ୍ରଥମ ପର୍ଯ୍ୟାୟ ମତଦାନ

Team Odian News |

କଡ଼ା ସୁରକ୍ଷାରେ ଚାଲିଛି  ଜମ୍ମୁ-କାଶ୍ମୀରରେ ପ୍ରଥମ ପର୍ଯ୍ୟାୟ ମତଦାନ

ଶ୍ରୀନଗର,୮/୧୦(ଓଡିଆନ ନ୍ୟୁଜ ) : କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଜମ୍ମୁ-କାଶ୍ମୀର ପୌରନିଗମ ଓ ପୌର ପରିଷଦ ଗୁଡିକ ପାଇଁ ସୋମବାର ପ୍ରଥମ ପର୍ଯ୍ୟାୟ ମତଦାନ ଅନୁଷ୍ଠିତ ହେଉଛି। ଦୁଇ ପ୍ରମୁଖ ରାଜନୈତିକ ଦଳ ପିଡିପି ଏବଂ ନେସନାଲ କନଫରେନ୍ସ ଦ୍ୱାରା ନିର୍ବାଚନ ବର୍ଜନ ସତ୍ତ୍ବେ ପ୍ରଥମ ପର୍ଯ୍ୟାୟରେ ଜମ୍ମୁ, କାଶ୍ମୀର ଓ ଲଦାଖ୍‍ ଅଞ୍ଚଳର ୪୨୨ଟି ୱାର୍ଡ ପାଇଁ ମତଦାନ ହେଉଛି। ସକାଳ ୭ଟାରୁ ଭୋଟ ଗ୍ରହଣ ଆରମ୍ଭ ହୋଇଛି ଏବଂ ଅପରାହ୍ନ ୪ଟାରେ ଶେଷ ହେବ। ମତଦାନ ହେଉଥିବା ଅଞ୍ଚଳରେ ରାଜ୍ୟ ସରକାର ଆଜି ଛୁଟି ଘୋଷଣା କରିଛନ୍ତି।
କାଶ୍ମୀର ଉପତ୍ୟକାରେ ଶ୍ରୀନଗର ପୌରନିଗମର ୩ଟି ଯାକ ୱାର୍ଡ ଏବଂ କୁପୱାଡା, ହାଣ୍ଡାୱାଡା,ବନ୍ଦିପୋରା, ବୁଦ୍‍ଗାଁଓ, ବାରମୁଲ୍ଲା ଓ ଅନନ୍ତନାଗର ପୌର ପରିଷଦ ଗୁଡିକ ପାଇଁ ଆଜି ଭୋଟ ଗ୍ରହଣ କରାଯାଉଛି। ଏହି ପର୍ଯ୍ୟାୟରେ କାରଗିଲ ଓ ଲେହେର ପୌର କମିଟି ଗୁଡିକ ପାଇଁ ମଧ୍ୟ ମତଦାନ ହେଉଛି। ପ୍ରଥମ ଥର ପାଇଁ ଏହି ନିର୍ବାଚନରେ ଇଭିଏମ୍‍ ବ୍ୟବହାର କରାଯାଉଛି। ଜାମ୍ମୁ ଅଞ୍ଚଳର ୨୪୭ଟି ୱାର୍ଡ, କାଶ୍ମୀର ଉପତ୍ୟକାରେ ୧୪୯ଟି ଏବଂ ଲଦାଖର ୨୬ଟି ୱାର୍ଡ ପାଇଁ ୧୨୮୩ଜଣ ପ୍ରାର୍ଥୀଙ୍କର ଆଜି ଭାଗ୍ୟ ନିର୍ଦ୍ଧାରଣ ହେବ। ରାଜ୍ୟପାଳ ସତ୍ୟପାଲ୍‍ ମଲ୍ଲିକ ଏକ ଉଚ୍ଚସ୍ତରୀୟ ବୈଠକରେ ନିରାପତ୍ତା ସ୍ଥିତି ସମୀକ୍ଷା କରିଛନ୍ତି। କାଶ୍ମୀର ଉପତ୍ୟକାର ୧୪୯ଟି ୱାର୍ଡରେ ୪ହଜାର ଅତିରିକ୍ତ ଯବାନଙ୍କୁ ମୁତୟନ କରାଯାଇଛି।