ଓଡିଆନ୍ ନ୍ୟୁଜ

120

ଭୟଙ୍କର ରୂପ ନେବ ବାତ୍ୟା ତିତଲି, ସମସ୍ତ ଜିଲ୍ଲାପାଳମାନଙ୍କୁ ସଜାଗ ରହିବାକୁ ନିର୍ଦ୍ଦେଶ

Team Odian News |

ଭୟଙ୍କର ରୂପ ନେବ ବାତ୍ୟା ତିତଲି, ସମସ୍ତ ଜିଲ୍ଲାପାଳମାନଙ୍କୁ ସଜାଗ ରହିବାକୁ ନିର୍ଦ୍ଦେଶ
ଭୁବନେଶ୍ୱର,୯ା୧୦(ଓଡ଼ିଆନ୍ ନ୍ୟୁଜ୍): କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟ ଗଭୀର ଅବପାତ ସାଇକ୍ଲୋନିକ ଷ୍ଟର୍ମରେ ପରିଣତ ହୋଇଛି । ଆସନ୍ତା ୨୪ ଘଂଟା ମଧ୍ୟରେ ସିଭିୟର ସାଇକ୍ଲୋନିକ ଷ୍ଟର୍ମ ବା ଭୟଙ୍କର ବାତ୍ୟାରେ ପରିଣତ ହେବ ତିତଲି । ଏବେ ଗୋପାଳପୁର ଠାରୁ ୫୩୦ କିଲୋମିଟର ଦୂରରେ ତିତଲି ରହିଛି । ୧୧ ତାରିଖ ସକାଳେ ଏହା କଳିଙ୍ଗପଟ୍ଟନମ –ଗୋପାଳପୁର ମଧ୍ୟରେ ଅତିକ୍ରମ କରିବା ସମ୍ଭାବନା ରହିଛି । ଆଉ ଏହି ସମୟରେ ୧୦୦ରୁ ୧୧୦ କିଲୋମିଟର ବେଗରେ ପବନ ବହିବ । ବାତ୍ୟା ତିତଲି ଗତ ୬ ଘଣ୍ଟା ହେଲା ୮ କିଲୋମିଟର ବେଗରେ ସ୍ଥଳଭାଗ ଆଡକୁ ମାଡି ଆସୁଛି । TITLIସମ୍ଭାବ୍ୟ ବାତ୍ୟାକୁ ନେଇ ୬ଟି ଏନଡିଆରଏଫ ଟିମ ମୁଣ୍ଡଳୀ ୟୁନିଟରୁ ପଠାଯାଇଛି । ପୁରୀ,କେନ୍ଦ୍ରାପଡା,ଯାଜପୁର,ଗଜପତି,ଭଦ୍ରକ, ନୟାଗଡକୁ ସମସ୍ତ ଯାନ୍ତ୍ରିକ ଉପକରଣ ସହ ଏନଡିଆରଏଫ ଟିମକୁ ପଠାଯାଇଛି । ତିତଲି ପ୍ରଭାବରେ ଆଜି ସନ୍ଧ୍ୟାରେ ଦକ୍ଷିଣ ଓଡିଶାରେ ବର୍ଷାର ଆରମ୍ଭ ହୋଇଯିବ । ୧୦-୧୧ ତାରିଖରେ ଦକ୍ଷିଣ ଓଡିଶା-ଉପକୂଳ ପ୍ରବଳରୁ ଅତିପ୍ରବଳ ବର୍ଷାର ଚେତାବନୀ ଦିଆଯାଇଛି । ୧୨ ତାରିଖରୁ ବର୍ଷାର ପରିମାଣ କମିବ ।
ପାଣିପାଗ ବିଭାଗର ଆକଳନ ଓ ବାତ୍ୟା ଆଶଙ୍କାକୁ ଦୃଷ୍ଟିରେ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ସମସ୍ତ ଜିଲ୍ଲାପାଳମାନଙ୍କୁ ସଜାଗ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ସରକାର । ଆବଶ୍ୟକ ତଳିଆ ଅଂଚଳର ଲୋକଙ୍କୁ ସ୍ଥ୍ାନାନ୍ତର ପାଇଁ ମଧ୍ୟ ବ୍ୟବସ୍ଥା ହୋଇଛି । ବାତ୍ୟାର ମୁକାବିଲା ପାଇଁ ୨୦ଟି ଓଡ୍ରାଫ ଟିମ ଓ ୧୧ଟି ଏନଡିଆରଏଫ ଟିମ ପ୍ରସ୍ତୁତ ଅଛନ୍ତି । ସମସ୍ତ ଅଗ୍ନିଶମ କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଛି । ଆଜିଠୁ ୩ ଦିନ ଧରି ବର୍ଷା ଲାଗି ରହିବ । ଜିଲ୍ଲା କଂଟ୍ରୋଲ ରୁମକୁ ୨୪ଘଂଟା ଖୋଲା ରଖିବାକୁ କୁହାଯାଇଛି । ସେପଟେ ସମ୍ଭାବ୍ୟ ବାତ୍ୟା ପାଇଁ ବିମାନ ବନ୍ଦର ପ୍ରସ୍ତୁତ । ସମସ୍ତ ବିଭାଗର ମୁଖ୍ୟକୁ ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯାଇଥିବା କହିଛନ୍ତି ବିମାନ ବନ୍ଦର ନିର୍ଦ୍ଦେଶକ । ପବନର ବେଗକୁ ଦେଖି ବିମାନ ଉଡାଣ ଆବଶ୍ୟକ ହେଲେ ପରିବର୍ତନ ହେବ ବୋଲି କୁହାଯାଇଛି ।