ଓଡିଆନ୍ ନ୍ୟୁଜ

192

ଉପକୂଳ ପାଇଁ ଅଶୁଭ ହେଉଛି ଅକ୍ଟୋବର

Team Odian News |

ଉପକୂଳ ପାଇଁ ଅଶୁଭ ହେଉଛି ଅକ୍ଟୋବର   
କେନ୍ଦ୍ରାପଡ଼ା,୧୦ା୧୦ (ଓଡ଼ିଆନ୍ ନ୍ୟୁଜ୍):  କେନ୍ଦ୍ରାପଡ଼ା ଜିଲାର ରାଜନଗର, ରାଜକନିକା, ମହାକାଳପଡ଼ା ଓ ଆଳି ଅଞ୍ଚଳରେ ଲୋକମାନେ ସାମ୍ଭାବ୍ୟ ବାତ୍ୟାକୁ ସାମ୍ନା କରିବା ପାଇଁ ନିଜ ସାକ୍ଷ୍ୟ ମତେ ଲାଗିପଡ଼ିଛନ୍ତି । ମଙ୍ଗଳବାର ସକାଳୁ ତୁହାକୁ ତୁହା ବର୍ଷା ଆରମ୍ଭ ହୋଇଛି  । ସନ୍ଧ୍ୟାରୁ ପବନ ବୋହିବା ମଧ୍ୟ ଦେଖାଦେଇଛି  । ବର୍ତ୍ତମାନ ଲୋକେ ୧୯୯୯ ମସିହା ଅକ୍ଟୋବର ମାସ ୨୯ ତାରିଖର ବାତ୍ୟା ବେଳେର ସ୍ମୃତିକୁ ମନେପକାଇ କେମିତି ନିଜକୁ ସୁରକ୍ଷିତ ରଖିହେବ ସେ ନେଇ ପୂର୍ବ ପ୍ରସ୍ତୁତିରେ ଲାଗିପଡ଼ିଛନ୍ତି । ଏହା ସହିତ ଠିକ୍ ୧୨ ତାରିଖ ଅକ୍ଟୋବର ମାସ ୨୦୧୩ ମସିହାରେ ଫାଇଲିନ୍ ଉପକୂଳ ଓଡ଼ିଶାକୁ ଡ଼ରାଇଦେଇଥିଲା  । ସେହିଭଳି ହୁଡ଼ୁହୁଡ଼ୁ ୨୦୧୪ ଅକ୍ଟୋବର ୧୨ରେ ମଧ୍ୟ ଲୋକମାନଙ୍କୁ ଭୟଭୀତ କରାଇଦେଇଥିଲା  । ହେଲେ ଆଜି ପୁଣି ସେହି ଅକ୍ଟୋବର ମାସ ୧୧ ତାରିଖ  । ମାଡ଼ି ଆସୁଛି ବାତ୍ୟା ତିତିଲି । ଲୋକେ ଭୟଭୀତ  । ସତେ ଯେମିତି ଏହି ଅକ୍ଟୋବର ମାସ ପାଲଟିଛି ଉପକୂଳ ଓଡ଼ିଶା ପାିଁ ଅଶୁଭ ମାସ  । ଆଉ ବାତ୍ୟାକୁ ସାମ୍ନା କରିବାକୁ ମୁଖ୍ୟତଃ ଟର୍ଚ୍ଚ, ରେଡ଼ିଓ,  କିରାସିନି ଓ ବତି ଭଳି ପୁରୁଣା ଯୁଗର ମଣିଷର ନିତ୍ୟ ବ୍ୟବହାର ଜିନିଷ ଉପରେ ବିଶେଷ କରି ନଜର ଦେଉଥିବାର ଜଣାପଡ଼ିଛି । ଆଜିର ଆଧୁନିକ ଯୁଗରେ ମଣିଷ ପ୍ରକୃତି ନିକଟରେ ଯେମିତି ହାର ମାନିବାକୁ ବାଧ୍ୟ ହେଉଛି । ବାତ୍ୟାର ଆକଳନ କରିପାରୁ ନଥିବା ବେଳେ ଚାକଚକ୍ୟପୂର୍ଣ୍ଣ ସଭ୍ୟତା ଭିତରେ ପୁଣି ସେହି ପୁରାତନ ଯୁଗର ଟର୍ଚ୍ଚ, ରେଡ଼ିଓ, କିରସିନି ଓ ବତି ଆପଣାଇବା ପାଇଁ ପ୍ରସ୍ତୁତି ହେଉଛନ୍ତି । ବଜାରରେ ଖାଉଟୀ ସାମଗ୍ରୀ ଚାଉଳ, ଅଟା, ଆଳୁ ଭଳି ନିତ୍ୟବ୍ୟବହାର ଜିନିଷପତ୍ର କିଣୁଥିବା ବେଳେ ଲୋକମାନେ ସେମାନଙ୍କ ଘରେ ରହିଥିବା ଟର୍ଚ୍ଚ ଓ ରେଡ଼ିଓ ପାଇଁ ବ୍ୟାଟେରି କିଣିବା ପାଇଁ ବ୍ୟଗ୍ର ହୋଇପଡ଼ିଛନ୍ତି । କାରଣ ବାତ୍ୟା ସମୟରେ ହିଁ ଟର୍ଚ୍ଚ  ଏବଂ ରେଡ଼ିଓ ଏକ ମାତ୍ର ସାହା ଭରସା ପାଲଟିଥାଏ । ସେହିଭଳି ବତି ପାଇଁ କିରାସିନି ଯୋଗାଡ଼ରେ ଲାଗିପଡ଼ିଛନ୍ତି । ସବୁ କିଛିର ବ୍ୟତିକ୍ରମ ପରେ ଏସବୁ ଉପରେ ଲୋକମାନେ ଅଧିକ ନଜର ଦେଇଛନ୍ତି । ସେହିଭଳି ଚାଳଘର ରହିଥିବା ଲୋକମାନେ ନିଜକୁ ସୁରକ୍ଷିତ ଭାବେ ରଖିବା ଚିନ୍ତାରେ ରହିଛନ୍ତି । ବିଦ୍ୟାଳୟ ମାନଙ୍କରେ ରହିଥିବା ବାତ୍ୟା ଆଶ୍ରୟସ୍ଥଳ ଗୁଡ଼ିକ ଚାବି ପଡ଼ିଥିବାରୁ ଲୋକମାନେ ତୁରନ୍ତ ସେଗୁଡ଼ିକ ଫିଟାଇ ପ୍ରସ୍ତୁତ ରହିବା ନେଇ ପ୍ରଶାସନକୁ ନିବେଦନ କରିଛନ୍ତି । କାରଣ ଚାଳଘରର ଲୋକମାନେ ବାତ୍ୟା ସମୟରେ କୋଠାଘରେ ରହିବା ପାଇଁ ସୁବିଧା ଖୋଜୁଥିବାର ଜଣାପଡ଼ିଛି । ଆଜି ଦିନ ତମାମ ଲୋକମାନେ ସଉଦାପତ୍ର କିଣିବା ନେଇ ଲାଗିପଡ଼ିଛନ୍ତି । ଏହି କାରଣୁ ସଉଦା ଦୋକାନରେ ଭିଡ଼ ଲାଗିରହିଛି । ଏହା ସହିତ ଖବରକାଗଜ ଏବଂ ଟିଭିକୁ ଦେଖିବାରେ ଲୋକମାନଙ୍କ ମଧ୍ୟରେ କୌତୂହଳ ଦେଖାଦେଇଛି । ବାତ୍ୟା ସୂଚନା ପାଇଁ ଟିଭିକୁ ଦେଖିବାକୁ ପ୍ରତିମୁହୂିର୍ତ୍ତରେ ଚାହିଁ ରହୁଥିବାର ଜଣାପଡ଼ିଛି ।  ରାସ୍ତା,ଘାଟ ଠାରୁ ଆରମ୍ଭ କରି ଦୋକାନ ବଜାରରେ ଲୋକମାନଙ୍କ ମୁହଁରେ କେବଳ ଗୋଟିଏ କଥା ଶୁଣିବାକୁ ମିଳୁଛି କେବଳ ବତ୍ୟା କଥା । କେତେ ବେଳେ ବାତ୍ୟା ଆସିବ ଆଉ କେମିତି ପ୍ରସ୍ତୁତି ରହିବାର କଥା ଆଲୋଚନା ଚାଲିଛି । ଦଶରାକୁ ଯେମିତି ସମସ୍ତେ ଭୁଲିଯିବା ପରି ମନେ ହେଉଛି । କେମିତି ବାତ୍ୟାରେ ନିଜ ଜୀବନ ବଞ୍ଚାଇ ହେବ ସେ ନେଇ ଆଶଙ୍କାରେ ପଡ଼ିଯାଇଛନ୍ତି ।  ସମୁଦ୍ରକୂଳିଆ ଅଞ୍ଚଳ ଭାବେ  ପେଣ୍ଠ ଲୋକମାନଙ୍କ ଆଖିରୁ ନିଦ ହଜିଗଲାଣି । ସେହିଭଳି ନଦୀ କୂଳରେ ରହିଥିବା ଲୋକମାନେ କେମିତି ବାତ୍ୟାକୁ ସାମ୍ନା କରିବେ ସେହି ଚିନ୍ତାରେ ରହିଛନ୍ତି ।   ଜିଲା ପ୍ରଶାସନ ପକ୍ଷରୁ ପ୍ରସୁତିରେ ଲାଗିପଡ଼ିଛନ୍ତି ଜିଲାପାଳ । ଜିଲାପାଳ ଦାଶରଥି ଶତପଥୀ କହିଛନ୍ତିଯେ, ସାମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ପ୍ରଶାସନ ସତର୍କ ରହିଛି  । ଉଦ୍ଧାର କାର୍ଯ୍ୟ ସହିତ ରିଲିଫି ଆଉ ଥଇଥାନ ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି  । ଆସନ୍ନ ବାତ୍ୟାକୁ ପ୍ରତିହତ ଏବଂ ଓଡ଼ିଶାରେ ପ୍ରଭାବ ନପଡ଼ିବା ନେଇ ଲୋକମାନେ ଗାଁ ଠାକୁର,ମନ୍ଦିର ଏବଂ ନିଜ ନିଜର ଆରାଧ୍ୟ ଦେବତାଙ୍କ ନିକଟରେ ଭୋଗ ଲଗାଇ ମାନସିକ କରୁଥିବା ବେଳେ ଅନେକ ପ୍ରାର୍ଥନା କରୁଥିବାର ଦେଖିବାକୁ ମିଳିଛି । ସତେ ଯେମିତି ଆସନ୍ନ ବାତ୍ୟା ଲୋକମାନଙ୍କ ମୁହଁରୁ ହସ ଛଡ଼ାଇ ନେଇଥିବା ବେଳେ ଆଉ କୌଣସି କଥା ଭାବିବାକୁ ମଉକା ଦେଉନାହିଁ । ଏବେ କେବଳ ସାଧାରଣରେ ଗୋଟିଏ କଥା ବାତ୍ୟା ଆସୁଛି,ବାତ୍ୟା ତିତିଲି!