ଓଡିଆନ୍ ନ୍ୟୁଜ

124

ଟ୍ଵିଟ୍‌ରେ ମତ ରଖିଲେ ସାଜିଦ୍‌ଙ୍କ ଭଉଣୀ ଫାର୍‌ହା ଖାନ୍‌

Team Odian News |

 ଟ୍ଵିଟ୍‌ରେ  ମତ ରଖିଲେ ସାଜିଦ୍‌ଙ୍କ ଭଉଣୀ ଫାର୍‌ହା ଖାନ୍‌

ମୁମ୍ବାଇ,୧୨/୧୦(ଓଡ଼ିଆନ୍ ନ୍ୟୁଜ୍):  ଦିନକୁଦିନ  #ମି ଠୁ ଅଭିଯାନ ଯୋର ହେବାରେ ଲାଗିଛି, ପୂର୍ବରୁ ଏତେଟା ଗୁରୁତ୍ୱ ଦିଆ ଯାଉ ନ ଥିବା ବେଳେ ଏବେ ଏହାର ପ୍ରଭାବ ବଲିଉଡ୍‌ରେ ଦେଖିବାକୁ ମିଳିଛି । ଏହି ଅଭିଯାନ ମାଧ୍ୟମରେ ଅନେକ ଅଭିନେତ୍ରୀ ନିଜ ସହ ହୋଇଥିବା ଯୌନ ଶୋଷଣ ବିଷୟରେ ଖୋଲାଖୋଲି ଭାବରେ କଥା ହେଉଥିବା ବେଳେ ଅନେକଙ୍କ ଅସଲ ମୁଖା ସାମ୍ନାକୁ ଆସିଛି। ବଡ଼ ବଡ଼ କଳାକାର ଏବଂ ନିର୍ଦ୍ଦେଶକଙ୍କ ନାମ ଏଥିରେ ସାମିଲ ହୋଇଥିବା ବେଳେ ସେମାନଙ୍କ ପ୍ରଶଂସକଙ୍କୁ ଏହା ଶକ୍ତ ଧକ୍କା ଦେଇଛି । ଆଲୋକ ନାଥ, ନାନା ପାଟେକର, ବିକାଶ ବହଲ ଏବଂ ସାଜିଦ୍‌ ଖାନ୍‌ଙ୍କ ଭଳି ନିର୍ଦ୍ଦେଶକଙ୍କ ଉପରେ ଯୌନ ଶୋଷଣର ଆରୋପ ପରେ ଏବେ ଏ ନେଇ କଠୋର ପଦକ୍ଷପ ଗ୍ରହଣ କରିଛନ୍ତି ଅନେକ ଆଗଧାଡ଼ିର କଳାକାର । ନିର୍ଦ୍ଦେଶକ ସାଜିଦ୍‌ ଖାନ୍‌ ଏବଂ ନାନା ପଟେକରଙ୍କ ଉପରେ ଯୌନ ଶୋଷଣର ଅଭିଯୋଗ ଆସିବା ପରେ ଅଭିନେତା ଅକ୍ଷୟ କୁମାର ‘ହାଉସଫୁଲ୍‌-୪’ ଫିଲ୍ମର ସୁଟିଂ ରଦ୍ଦ କରିଥିବା ବେଳେ ଏବେ ଏ ନେଇ ନିଜର ମତ ରଖିଛନ୍ତି ସାଜିଦ୍‌ଙ୍କ ଭଉଣୀ ଫାର୍‌ହା ଖାନ୍‌ ।  ଟ୍ଵିଟ୍‌ କରି ସେ କହିଛନ୍ତି ଯେ ଏହା ଆମ ପରିବାର ପାଇଁ ବହୁତ କଷ୍ଟର ସମୟ । ସାଜିଦ୍‌ଙ୍କ ବିଷୟରେ ଏସବୁ ଜାଣି ସମସ୍ତେ ଆଶ୍ଚର୍ଯ୍ୟ । ଯଦି ସେ ସତରେ ଏପରି କରିଛନ୍ତି । ତେବେ ଏହାର ପରିଣାମ ତାଙ୍କୁ ଭୋଗିବାକୁ ପଡ଼ିବ । ମୁଁ ଏଭଳି ବ୍ୟବହାରର କୌଣସି ଦିଗରୁ ମଧ୍ୟ ସମର୍ଥନ କରୁ ନାହିଁ ଏବଂ ଏଭଳି ପରିସ୍ଥିତିର ସାମ୍ନା କରିଥିବା ମହିଳାଙ୍କ ସାଥୀରେ ରହିଛି ବୋଲି ଫାର୍‌ହା ଲେଖିଛନ୍ତି । ଏହି ଅଭିଯୋଗ ଆସିବା ପରେ ସାଜିଦ୍‌ ‘ହାଉସ୍‌ଫୁଲ୍‌-୪’ର ନିର୍ଦ୍ଦେଶନାରୁ ମଧ୍ୟ ଓହରି ଯାଇଛନ୍ତି।