ଓଡିଆନ୍ ନ୍ୟୁଜ

94

.ରାଜ୍ୟରୁ ଦୁର୍ନୀତିଗ୍ରସ୍ତଙ୍କୁ ହଟାଇ ସ୍ବଚ୍ଛ ଗଣତନ୍ତ୍ର ଆଣିବେ ଦାମ !

Team Odian News |


ରାଜ୍ୟରୁ   ଦୁର୍ନୀତିଗ୍ରସ୍ତଙ୍କୁ ହଟାଇ ସ୍ବଚ୍ଛ ଗଣତନ୍ତ୍ର ଆଣିବେ ଦାମ !

ଏରସମା,୧୬/୧୦(ଓଡ଼ିଆନ୍ ନ୍ୟୁଜ୍): ଷଣ୍ଢ ବନ୍ଧାହୋଇ ରହିଥିଲା, ଏବେ ଖୁଣ୍ଟରୁ ଫିଟିଲା ପରେ  ଶହେଗୁଣା ଶକ୍ତି ବଢିଲା। ଆଗରୁ ବିଜେଡିରେ ରହି ମନ୍ତ୍ରୀ ଥିବାବେଳେ ମୋର ଶକ୍ତି ଯେତିକି ଥିଲା, ଏବେ ବିଜେଡିରୁ ବାହାରିବା ପରେ ତା’ଠାରୁ ଯଥେଷ୍ଟ ଅଧିକ ବୃଦ୍ଧି ପାଇଛି। ଏଣିକି ସାରା ରାଜ୍ୟ ବୁଲିବି ଓ ଦୁର୍ନୀତିଗ୍ରସ୍ତଙ୍କୁ ହଟାଇ ସ୍ବଚ୍ଛ ଗଣତନ୍ତ୍ର ଆଣିବାକୁ ଆହ୍ବାନ ଦେବି। ସୋମବାର ଏରସମା ଆଞ୍ଚଳିକ ଯୁବ ପରିଷଦ ପଡ଼ିଆରେ ବାଲିକୁଦା-ଏରସମା ଦୁର୍ନୀତି ପ୍ରତିରୋଧ ସଂଗ୍ରାମ ସମିତି ପକ୍ଷରୁ ଆୟୋଜିତ ସ୍ବାଭିମାନ ସଭାରେ ଯୋଗଦେଇ ଏଭଳି ରଣ ହୁଙ୍କାର ଦେଇଛନ୍ତି ପାରାଦୀପ ବିଧାୟକ ଦାମୋଦର ରାଉତ। ଏହି ଅବସରରେ ସେ ମୁଖ୍ୟମନ୍ତ୍ରୀ ଓ ବାଲିକୁଦା-ଏରସମା ବିଧାୟକଙ୍କ ଉପରେ ମଧ୍ୟ ବର୍ଷିଛନ୍ତି। କୁନ୍ଦୁଲି ଗଣବଳାତ୍କାର, ବାଲିକୁଦା-ଏରସମାରେ ଚିଙ୍ଗୁଡ଼ି ମାଫିଆଙ୍କ ରାଜ୍‌ ଆଦି ପ୍ରସଙ୍ଗ ଉଠାଇ ସେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି। ଦାମଙ୍କ ଏହି ସମାବେଶକୁ ନେଇ ଜିଲାରେ କିଛିଦିନ ହେବ ନାନା କଥା ଚର୍ଚ୍ଚା ଚାଲିଥିଲା। ପ୍ରାୟ ୧୦ ହଜାର ଲୋକ ସମାବେଶରେ ଯୋଗ ଦେଇଥିଲେ । ଅପରାହ୍ନ ୫ଟାରୁ ବାଲିକୁଦା-ଏରସମା ରାସ୍ତାର ସୋମପୁର ନିକଟରୁ ବାଇକ୍‌ ଶୋଭାଯାତ୍ରାରେ ଦାମଙ୍କୁ ପାଛୋଟି ନିଆଯାଇଥିଲା।  ସେ ଆରମ୍ଭରୁ ଆକ୍ରମଣାତ୍ମକ ଢଙ୍ଗରେ ଭାଷଣ ଦେଲେ। କହିଲେ, ଏରସମାରେ ଯେଭଳି ଭାବେ ଚିଙ୍ଗୁଡି ଘେରି ବଢି ଚାଲିଛି ତାହା ଚାଷୀଙ୍କ ପାଇଁ ଦାରୁଣ ଦୁଃଖ ଆଣିଦେଇଛି। ଚିଙ୍ଗୁଡ଼ି ମାଫିଆ ରାଜନୈତିକ ବାହୁଛାୟା ତଳେ ରହି ରାଜ୍‌ କରୁଛନ୍ତି। ଦଲାଲମାନେ ମିଥ୍ୟା ବିଲ୍‌ କରି ବିଧାୟକଙ୍କୁ ଅର୍ଥ ଯୋଗାଉଛନ୍ତି, ଆଉ ଏହି ଅର୍ଥରେ ଭୁବନେଶ୍ୱରରେ ନିର୍ମିତ ଘରର ଫଟୋ ସେ ଭିଜିଲାନ୍ସକୁ ଦେବେ ବୋଲି କହିଥିଲେ। ପ୍ରଶାନ୍ତ ମୁଦୁଲିଙ୍କୁ ବିଧାୟକ କରିବାରେ ତାଙ୍କର କି ଭୂମିକା ଥିଲା ସେକଥା ମଧ୍ୟ ଦାମ କହିଥିଲେ। ମୁଖ୍ୟମନ୍ତ୍ରୀଙ୍କ ସମ୍ପର୍କରେ ସେ କହିଲେ ଯେ, ନବୀନଙ୍କର ମାତ୍ର ୨ ହଳ ପଞ୍ଜାବୀ, ୧ ହଳ କୋଲାପୁରୀ ଚପଲ ଥିଲା। ସେଇ ସ୍ବଚ୍ଛତା ନେଇ ସେ ରାଜନୀତିକୁ ଆସିଥିଲେ ଓ ବିଜୁବାବୁଙ୍କ ପୁଅ ହିସାବରେ ନିର୍ବାଚନ ଜିତି ମୁଖ୍ୟମନ୍ତ୍ରୀ ହୋଇଥିଲେ। କିନ୍ତୁ ପରେ ଜଣାପଡିଲା ତାଙ୍କଠାରେ ବିଜୁବାବୁଙ୍କ ଆଦର୍ଶ ନାହିଁ। ଗାଁ ଗାଁରେ ଚୋରା ମଦ କାରବାର ବଢିଛି। ମଦରୁ ଆସୁଥିବା ରାଜସ୍ବ ରାଜନେତାମାନେ ଚଳୁ କରୁଛନ୍ତି ବୋଲି ସେ କହିଥିଲେ।  ପୂର୍ବତନ ଜିଲା ପରିଷଦ ସଭ୍ୟ ତଥା କଂଗ୍ରେସ ନେତା ସାରଦା ପ୍ରସନ୍ନ ଜେନାଙ୍କ ପୌରୋହିତ୍ୟରେ ଅନୁଷ୍ଠିତ  ଏହି ସଭାରେ ପୂର୍ବତନ ବିଧାୟକ ଯଜ୍ଞେଶ୍ୱର ବାବୁ, ବରିଷ୍ଠ ଖବରଦାତା ରବି ଦାଶ, ସୂଚନା ଅଧିକାର ଆଇନ ପ୍ରବକ୍ତା ତଥା ଆଇନଜୀବୀ ସୁଧୀର ମହାନ୍ତି, ସୂଚନା ଅଧିକାର ଆଇନର ମୁଖ୍ୟ ଆବାହକ ପ୍ରଦୀପ ପ୍ରଧାନ, ଏରସମାର ପୂର୍ବତନ ବ୍ଲକ ଅଧ୍ୟକ୍ଷ ଦେବେନ୍ଦ୍ର କିଶୋର ତ୍ରିପାଠୀ, ଏରସମା ସରପଞ୍ଚ ଗୀତାଞ୍ଜଳି ସ୍ୱାଇଁ ପ୍ରମୁଖ ଉପସ୍ଥିତ ଥିଲେ। 
..