ଓଡିଆନ୍ ନ୍ୟୁଜ

178

ଇସ୍ତଫା ଦେଲେ ଏମ୍‍.ଜେ ଆକବର

Team Odian News |

ଇସ୍ତଫା ଦେଲେ ଏମ୍‍.ଜେ ଆକବର

ନୂଆଦିଲ୍ଲୀ,୧୬/୧୦(ଓଡ଼ିଆନ୍ ନ୍ୟୁଜ୍): ‘# ମି ଠୁ’ ଅଭିଯାନରେ ପ୍ରାୟ ୧୫ ଜଣ ମହିଳାଙ୍କ ଦ୍ୱାରା ଯୌନ ଶୋଷଣ ଅଭିଯୋଗ ଆସିବା ପରେ ଶେଷରେ ଆଜି କେନ୍ଦ୍ର ବୈଦେଶିକ ବ୍ୟାପାର ରାଷ୍ଟ୍ର ମନ୍ତ୍ରୀ ଏମ୍‍.ଜେ ଆକବର  ନିଜ ପଦରୁ ଇସ୍ତଫା ଦେଇଛନ୍ତି। ପୂର୍ବରୁ ଗତ ରବିବାର ଦିନ ସେ ଇସ୍ତଫା ଦେବା ନେଇ ଗୁଜବ ପ୍ରଚାର ହୋଇଥିବା ବେଳେ ବୁଧବାର ସେ ନିଜ ପଦରୁ ଇସ୍ତଫା ଦେଇଥିବା ସୂଚନା ମିଳିଛି । ଅନ୍ୟ ପକ୍ଷରେ ତାଙ୍କ ବିରୋଧରେ ଆସିଥିବା ଯୌନ ଶୋଷଣ ଅଭିଯୋଗକୁ  ଭିତ୍ତିହୀନ ଓ ଜାଣିଶୁଣି ଏଭଳି କରାଯାଉଛି ବୋଲି ସେ କହିଛନ୍ତି। ‘ମି ଠୁ’ ଅଭିଯାନ ଓ ତାଙ୍କ ବିରୋଧରେ ଆସିଥିବା ଯୌନ ଶୋଷଣ ଅଭିଯୋଗର ସମୟକୁ ନେଇ ସେ ପ୍ରଶ୍ନ କରିଛନ୍ତି।  ଆକବର କହିଛନ୍ତି ଯେ ତାଙ୍କ ବିରୋଧରେ ଆସିଥିବା ଅଭିଯୋଗ ମନଗଢା ଓ ସମ୍ପୂର୍ଣ୍ଣ ମିଥ୍ୟା। ତେବେ ଏହି ଅଭିଯୋଗକୁ ଭିତ୍ତିହୀନ ଦର୍ଶାଇ ପ୍ରଥମରୁ ଆକବର ଇସ୍ତଫା ଦେବାକୁ ମନାକରିଥିଲେ। ତେବେ ଅଭିଯୋଗକାରିଣୀଙ୍କ ସଂଖ୍ୟା ବୃଦ୍ଧି ପାଇବାରୁ ଏବଂ ରାଜନୈତିକ  ଚାପ ଯୋଗୁ ଶେଷରେ ସେ ଇସ୍ତଫା ଦେଇଛନ୍ତି ବୋଲି କୁହାଯାଉଛି । ଅନ୍ୟ ପକ୍ଷରେ ସେ  ଅଭିଯୋଗକାରିଣୀ ସାମ୍ବାଦିକା ପ୍ରିୟା ରମଣୀଙ୍କ ବିରୋଧରେ  ମାନହାନି ମକଦ୍ଦମା ଦାୟର କରିଛନ୍ତି। ରମଣୀ ଜାଣିଶୁଣି ତାଙ୍କ ପ୍ରତିଷ୍ଠାରେ ଆଞ୍ଚ ଆଣିବା ଲାଗି ଏଭଳି ଅଭିଯୋଗ ଆଣିଥିବା ଆକବର ଦର୍ଶାଇଛନ୍ତି। ଯୌନଶୋଷଣ ବିରୋଧରେ ସ୍ୱର ଉଠାଇବା ନେଇ ମହିଳାଙ୍କୁ ସାହସ ପ୍ରଦାନ କରିଥିବା  ‘#ମି ଠୁ’ ଅଭିଯାନ କ୍ରମେ ରମଣୀ ପୂର୍ବତନ ସମ୍ପାଦକ ଆକବରଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ ଆଣିଥିଲେ। ତାଙ୍କ ବିରୋଧରେ ଆସିଥିବା ଅଭିଯୋଗ ଆଗାମୀ ଲୋକସଭା ନିର୍ବାଚନରେ ଦଳର ଭାବମୂର୍ତ୍ତି ଉପରେ ଆଞ୍ଚ ଆଣିବାର ଆଶଙ୍କାକୁ ମଧ୍ୟ ସେ ଅସ୍ୱୀକାର କରିଛନ୍ତି।  ସେ କହିଛନ୍ତି ଯେ ପ୍ରିୟା ରମଣୀ ବର୍ଷେ ପୂର୍ବେ ଏକ ପତ୍ରିକାରେ ସ୍ତମ୍ଭ ଲେଖି ‘ମି ଠୁ’ ଅଭିଯାନର ଆରମ୍ଭ କରିଥିଲେ। ସେତେବେଳେ ସେ ତାଙ୍କ ନାମ ନେଇନଥିଲେ। କାରଣ ଏଭଳି କୌଣସି କାହାଣୀ ହିଁ ନାହିଁ।