ଓଡିଆନ୍ ନ୍ୟୁଜ

262

ଓଡ଼଼ିଶାର ଶକ୍ତିପୀଠ

Team Odian News |

ଓଡ଼଼ିଶାର ଶକ୍ତିପୀଠ 


(ଓଡ଼ିଆନ୍ ନ୍ୟୁଜ୍):ବିଶ୍ୱର ସୃଷ୍ଟି, ସ୍ଥିତି ଓ ପ୍ରଳୟର ମୂଳ ହେଉଛି ମାତୃରୂପା ଶକ୍ତି । ଅତଏବ ମାତୃକା ପୂଜା ହିଁ ଆଦ୍ୟ ଆରମ୍ଭ କହିଲେ ଭୁଲ୍ ହେବନି । ଶକ୍ତି ଉପାସନାର ପ୍ରାଚୀନତମ ନିଦର୍ଶନ ଖୋଜିବାକୁ ହେଲେ ଆମକୁ ଫେରିବାକୁ ହେବ ସିନ୍ଧୁ ନଦୀର ଅବବାହିକା, ମହେଞ୍ଜୋଦାରୋ, ହର୍ପପାର ଇତିହାସକୁ । ଭାରତ ହେଉଛି ଶକ୍ତିପୂଜାର ଆଦିପୀଠ ଯାହା ଐତିହାସିକମାନେ କୁହନ୍ତି । ବୈଦିକ ଯୁଗର କ୍ରିୟାକାଣ୍ଡ ମଧ୍ୟରେ ଅଗ୍ନି, ବରୁଣ, ଇନ୍ଦ୍ର, ବାୟୁ ଆଦି ପୁରୁଷ ଦେବତା ମାନଙ୍କର ପ୍ରାଧାନ୍ୟ ଥିଲେ ମଧ୍ୟ ଅଦିତି, ଉଷା, ସରସ୍ୱତୀ, ପୃଥିବୀ, ଗୌରୀ, ଶଚୀ ଆଦି ପ୍ରାୟ ୪୦ଟି ଦେବୀଙ୍କ ନାମ ଉଲ୍ଲେଖ ରହିଛି । ରାମାୟଣ ଯୁଗରେ ଉମା, ଗିିରିଜା,ରୁଦ୍ରାଣୀ, ପାର୍ବତୀ ପ୍ରଭୃତି ଦେବୀମାନଙ୍କର ଉଲ୍ଲେଖ ଅଛି । ଆଉ ମହାଭାରତ ଯୁଗରେ ଶାକ୍ତ ଦର୍ଶନ ବିକାଶର ଚରମ ସୀମାରେ ଉପନୀତ ହୋଇଥିଲା । ମାତୃକା ରୂପରେ ଦେବୀମାନଙ୍କର ପୂଜା କେବଳ ଭାରତରେ ହିଁ ପ୍ରାଚୀନକାଳରୁ ପ୍ରଚଳିତ ନଥିଲା, ବରଂ ଏହା ପଶ୍ଚିମ ଏସିଆ, ଦକ୍ଷିଣ-ପୂର୍ବ ଇଉରୋପ ଏବଂ ଅନ୍ୟାନ୍ୟ ସ୍ଥାନରେ ମଧ୍ୟ ପ୍ରଚଳିତ ଥିଲା । 


ଖ୍ରୀଷ୍ଟୀୟ ୧୦ମ ଶତାବ୍ଦୀରେ ଉତ୍ତର ଭାରତର କେତେକ ରାଜ୍ୟ ଦେବୀଭକ୍ତ ଥିବାର ପ୍ରତ୍ନତାତ୍ତ୍ୱିକ ପ୍ରମାଣ ମିଳେ । ଠିକ୍ ଏହି ସମୟରେ ବି ପୂର୍ବ ଭାରତର ଓଡ଼ିଶା, ଆସାମ, ବିହାର ଓ ବଙ୍ଗଳା ପ୍ରଭୃତି ସ୍ଥାନରେ ଶକ୍ତିପୂଜା ପ୍ରସାରଲାଭ କରିଥିଲା । ମାତ୍ର ଓଡ଼ିଶାର ଧର୍ମ ଇତିହାସ ବାସ୍ତବରେ କୌତୁହଳପ୍ରଦ । ଏଠାରେ ବିଷ୍ଣୁ, ଶିବ, ସୂର୍ଯ୍ୟ, ଗଣପତିଙ୍କ ସହିତ ଶକ୍ତି  ଇତ୍ୟାଦି ପଞ୍ଚଦେବତା ସେମାନଙ୍କର ପାରମ୍ପରିକ ପଞ୍ଚପୀଠ ପୁରୀ, ଭୁବନେଶ୍ୱର, କୋଣାର୍କ, ମହାବିନାୟକ ଓ ଯାଜପୁରରେ ପ୍ରାଚୀନକାଳରୁ ପୂଜା ପାଇ ଆସୁଛନ୍ତି । ଏଥିରୁ ସ୍ପଷ୍ଟ ଜଣାଯାଏ ଯେ, ଓଡ଼ିଶାରେ ଶକ୍ତିପୂଜା ଅନ୍ୟ ଦେବତାଙ୍କ ପୂଜା  ସହିତ ସମାନ ଭାବରେ ପ୍ରଚଳିତ । ସମ୍ଭବତଃ ଖ୍ରୀଷ୍ଟୀୟ ୫ମ ଓ ୬ଷ୍ଠ ଶତାବ୍ଦୀ ବେଳକୁ ଓଡ଼ିଶାରେ ଭଞ୍ଜ ଓ ତୁଙ୍ଗ ବଂଶୀୟ ରାଜାମାନେ ସ୍ତମ୍ଭେଶ୍ୱରୀ ଦେବୀଙ୍କର ପୂଜା କରୁଥିଲେ ବୋଲି ସେମାନଙ୍କର  ତାମ୍ରଫଳକଗୁଡ଼ିକରୁ  ପ୍ରମାଣ ମିଳେ । ଏବେ ବି ସୋନପୁରଠାରେ ସ୍ତମ୍ଭେଶ୍ୱରୀ ଦେବୀଙ୍କର ଏକ ସମ୍ଭାକାର ବିଗ୍ରହ ରହିଛି ଓ ଗଞ୍ଜାମର ଆସ୍କାଠାରେ ଗୋଟିଏ ମନ୍ଦିର । କାଠରେ ତିଆରି ସ୍ତମ୍ଭ ପୂଜା ଜଙ୍ଗଲବାସୀ ତଥା ଗ୍ରାମବାସୀମାନଙ୍କର ନିହାତି ପୁରୁଣା ଅଭ୍ୟାସ । ଆଦିବାସୀ ସମ୍ପ୍ରଦାୟର ଲୋକମାନେ ତ ଦେବୀଙ୍କୁ ପୂଜାର ନୈବେଦ୍ୟ ହିସାବରେ ମଦ ଓ ମାଂସ ଅର୍ପଣ କରିଥାନ୍ତି ।
ଯୋଗିନୀପୀଠ 

ସାଧାରଣତଃ ପ୍ରତ୍ୟେକ ସଂସ୍କାରର ଆରମ୍ଭରେ ଯୋଗିନୀମାନେ ମାତୃକାରୂପେ ପୂଜା ପାଆନ୍ତି । ପ୍ରଧାନ ଯୋଗିନୀମାନଙ୍କ ସଂଖ୍ୟା ୭ କିମ୍ବା ୮ । କିନ୍ତୁ ସମୟ ସମୟରେ ତାହାର ସଂଖ୍ୟା ଚଉଷଠିକୁ ବଢ଼ିଛିି । ପ୍ରଧାନ ୭ ବା ୮ ଗୋଟି ଯୋଗିନୀଙ୍କୁ  "ମାତା’ ବା "ମାତୃକା’ କୁହାଯାଏ । ଓଡ଼ିଶାରେ ଯୋଗିନୀମାନଙ୍କର ମନ୍ଦିର ମୁଖ୍ୟତଃ ୨ଟି ଜାଗାରେ ଦେଖାଯାଏ । ପ୍ରଥମଟି ଭୁବନେଶ୍ୱର ନିକଟବର୍ତ୍ତୀ ହୀରାପୁର ଓ ଦ୍ୱିତୀୟଟି ବଲାଙ୍ଗୀର ଜିଲ୍ଲା ରାଣୀପୁର- ଝରିଆଲ୍ରେ । ଖ୍ରୀଷ୍ଟୀୟ ୬ଷ୍ଠ -୭ମ ଶତାବ୍ଦୀରେ ଯେତେବେଳେ ଉଡ୍ଡ଼ିୟାନରେ ଥିବା ବୌଦ୍ଧମାନଙ୍କର ବଜ୍ରଯାନ ଶୀଖା କ୍ରମେ ପ୍ରସିଦ୍ଧି ଲାଭ କରୁଥିବା ବାହ୍ମଣତନ୍ତ୍ର ସହିତ ପ୍ରତିଯୋଗିତା କଲା ସେତେବେଳେ ବୋଧହୁଏ ଓଡ଼ିଶାରେ ଯୋଗିନୀପୀଠ ଗୁଡ଼ିକର ସ୍ଥାପନ ହୋଇଥିଲା ।ଭାର୍ଗବୀ ନଦୀର ଦକ୍ଷିଣ ତୀରର ଅନତି ଦୂରରେ ଓ ପ୍ରସିଦ୍ଧ ଜଗନ୍ନାଥ ସଡ଼କର ନିକଟରେ ଥିବା ହୀରାପୁର ଯୋଗିନୀ ମନ୍ଦିରଟି କେଦାରନାଥ ମହାପାତ୍ରଙ୍କ ଦ୍ୱାରା ଆବିଷ୍ଟୃତ ହୋଇଥିଲା । ସେହି ସ୍ଥାନର ଚାରିପଟେ ଥିବା ବୃତ୍ତାକାର ପ୍ରାଚୀରର ୬୪ଟି ଠଣାରେ ୬୪ଟି ଯୋଗିନୀ ମୂର୍ତ୍ତୀ  ଅଛନ୍ତି । ଏହି ମୂର୍ତ୍ତୀଗୁଡ଼ିକ କଳା ମୁଗୁନି ପଥରରେ ଠିଆ ହୋଇଥିବା ଭଙ୍ଗୀରେ ନିର୍ମିତ ହୋଇଛନ୍ତି । ହେଲେ ମଧ୍ୟପିଣ୍ଡିକାରେ ଥିବା ୪ଗୋଟି ଠଣାରେ ୪ଟି ମୂର୍ତ୍ତୀ ନାହିଁ । ପରିଖାର ବାହାର ପାଖରେ ୯ଗୋଟି ଠଣାରେ ୯ଟି କାତ୍ୟାୟନୀ ଅଛନ୍ତି । ଅତୀତର ଏହା ଏକ ପ୍ରଧାନ ଯୋଗିନୀ ପୀଠ । ବଲାଙ୍ଗୀର ଜିଲ୍ଲାର ଟିଟିଲାଗଡ଼ ସବ୍ଡ଼ିବିଜନ୍ରେ ଥିବା ରାଣୀପୁର-ଝରିଆଲ୍ଠାରେ ମଧ୍ୟ ଅନୁରୂପ ଯୋଗିନୀ ମନ୍ଦିର ଦେଖିବାକୁ ମିଳେ । ଏହାର ଆୟତନ ହୀରାପୁରଠାରୁ ବଡ଼ । ଏଠାରେ ପରଖା ମଧ୍ୟରେ ଥିବା ଚତୁଃସମ୍ଭଯୁକ୍ତ ଏକ ଛୋଟ ମଣ୍ଡପରେ ୩ ମୁଣ୍ଡ ଓ ଅଷ୍ଟହସ୍ତଯୁକ୍ତ ଶିବମୂର୍ତ୍ତୀ ତାଣ୍ଡବନୃତ୍ୟ ଭଙ୍ଗୀରେ ବିଦ୍ୟମାନ । ଏଠାରେ କାନ୍ଥରେ ୬୪ଟି ଠଣା ୬୪ଟି ଯୋଗିନୀ ମୁର୍ତ୍ତୀ ପାଇଁ ଥିଲା, ଯେଉଁଥିରୁକି ବର୍ତ୍ତମାନ କେବଳ ୪୮ଟି ମୂର୍ତ୍ତୀ ଅଛି ।
ବିରଜା ପୀଠ
ଯାଜପୁର ବୈତରଣୀ ନଦୀ କୂଳରେ ଅବସ୍ଥିତ । ମହାଭାରତ ଯୁଗରୁ ଏହା ଏକ ଧର୍ମକ୍ଷେତ୍ର ଭାବେ ସୁପରିଚିତ । ବିଷ୍ଣୁପୁରାଣରେ ବର୍ଣ୍ଣିତ ଗୟାସୁର ଉପାଖ୍ୟାନରେ ଏହା ହେଉଛି ନାଭିଗୟା । ବ୍ରହ୍ମପୁରାଣ ଓ କପିଳ ସଂହିତା ବି ଏହାର ପବିତ୍ରତା ବିଷୟରେ ଆଲୋକପାତ କରିଛନ୍ତି । ଭୌମକରଙ୍କ ସମୟରେ ଗୁହଦେବ ପାଟକ କିମ୍ବା ଗୁହେଶ୍ୱର ପାଟକ ଉତ୍କଳର ରାଜଧାନୀ ଥିଲା ।ଏହି ବଂଶର ପୂର୍ବତନ ରାଜମାନେ ସମସ୍ତେ ବୌଦ୍ଧ ଥିଲେ, କିନ୍ତୁ ପରନର୍ତ୍ତୀ ସମୟର ରାଜାମାନେ ଶୈବ ଓ ଶାକ୍ତ ଥିବାର ପ୍ରମାଣ ମିଳେ । ଭୌମକର ରାଜଙ୍କ ଅଭିଲେଖରୁ ଜଣାପଡ଼େ ଯେ ଶାନ୍ତିକର ଦେବ ବିରଜାର ଅଧିବାସୀ ଥିଲେ । ଭୌମକରଙ୍କ ପରେ ସୋମବଂଶୀ ରାଜାମାନେ ଆସିଲେ ଓ ଯଯାତି-୨ ମହାଶିବଗୁପ୍ତଙ୍କ ସମୟରେ କୋଶଳ ନଗରଠାରୁ ରାଜଧାନୀ ଗୁହେଶ୍ୱର ପାଟକକୁ ଉଠାଇ ନିଆଯାଇ ତାର ନୂତନ ନାମ ‘ଅଭିନବ ଯଯାତି ନଗର’ ଦିଆଗଲା । ସେଇ ଯଯାତି ନଗର ହେଉଛି ‘ଯାଜନଗର’ ଏବଂ ପରେ କାଳକ୍ରମେ ‘ନଗର’ ଉଠାଇ ନିଆଯାଇ ‘ପୁର’ ବସି ଏହା ଯାଜପୁର ହେଲା । ମଧ୍ୟଯୁଗରେ ଏହି ଯାଜପୁର ଏକ ପ୍ରସିଦ୍ଧ ମାତୃକା ଦେବୀ କ୍ଷେତ୍ର ରୂପେ ପରିଣତ ହେଲା ଓ ବିରଜା ହେଲେ ଏଠାକାର ଅଧିଷ୍ଠାତ୍ରୀ ଦେବୀ । କୁହାଯାଏ, ବିରଜା ଦଶାଶ୍ୱମେଧ ଯଜ୍ଞର ପବିତ୍ର ବ୍ରହ୍ମଅଗ୍ନିରୁ ଆବିର୍ଭୂତା । ଶୁଣିବାକୁ ମିଳେ ଯେ ସିଏ ହିଁ ଦୁର୍ଗା, ଦ୍ୱିଭୁଜା, ସଂହବାହିନୀ ଏବଂ ମହିଷାସୁରକୁ ନିଜର ଶୂଳ ଦ୍ୱାରା ବଧ କରିବା ପାଇଁ ଆବିର୍ଭୁତା ହୋଇଥିଲେ । ମାଘ ମାସ ଅମାବାସ୍ୟାରେ ବିରଜାଙ୍କର ସ୍ୱ-ନକ୍ଷତ୍ର ତିଥି ଉପଲକ୍ଷେ ବ୍ରହ୍ମାଣୀ ବେଶ ହୁଏ ଓ ସାବିତ୍ରୀ ମନ୍ତ୍ରରେ ତାଙ୍କୁ ଆରାଧନା କରାଯାଏ । କିନ୍ତୁ ଅନ୍ୟଦିନମାନଙ୍କରେ ଦେବୀଙ୍କୁ ବନଦୁର୍ଗା ମନ୍ତ୍ରରେ ପୂଜା କରାଯାଏ । ଅଶ୍ୱପତିଙ୍କ କନ୍ୟା ସାବିତ୍ରୀ ମାନବୀରୂପୀ ନାରୀ ହେଇ ନିଜର ପତି ସତ୍ୟବାନଙ୍କୁ ଯମଙ୍କ ପାଖରୁ ଉଦ୍ଧାର କରିଥିଲେ । ପୁରାଣ ବର୍ଣ୍ଣନା ଅନୁସାରେ ସାବିତ୍ରୀ ହିଁ ବହ୍ମାଣୀ ଅଟନ୍ତି ।
ଉଚ୍ଚିଷ୍ଟପୀଠ
ଶୁଣିବାକୁ ମିଳେ ଯେ ସତୀଙ୍କର ଜିହ୍ୱା ଉଡ୍ରପୀଠରେ ପଡ଼ିଥିବାରୁ ଏହା ଉଚ୍ଚିଷ୍ଟପୀଠ ବା ଜିହ୍ୱାପୀଠ ରୂପେ ପରିଚିତ । ମହାମହୋପାଧ୍ୟାୟ ହରପ୍ରସାଦ ଶାସ୍ତ୍ରୀ, ଡଃ. ବିନୟତୋଷ ଭଟ୍ଟାଚାର୍ଯ୍ୟ ଆଦି ଗବେଷକମାନେ ଉଡ୍ଡ଼ୀୟାନପୀଠ ଓ ଓଡ଼ିଶାକୁ ଏକ ତଥା ଅଭିନ୍ନ ବୋଲି ଗ୍ରହଣ କରିଛନ୍ତି । ଡଃ. ନବୀନ କୁମାର ସାହୁଙ୍କ ମତରେ ପଦ୍ମସମ୍ଭବଙ୍କର ପିତା ଇନ୍ଦ୍ରଭୂତି ସମ୍ବଳକ (ସମ୍ବଲପୁର)ର ରାଜା ଥିଲେ ଓ ଏହା ଉଡ୍ଡ଼ୀୟାନ ବା ଉଡ୍ରପୀଠ ସହ ସମାନ ହେବା ସଙ୍ଗେ ସଙ୍ଗେ ଏହାର ମୁଖ୍ୟ ଦେବତା ରୂପେ ଜଗନ୍ନାଥ ଓ ବିରଜାଙ୍କୁ ଗ୍ରହଣ କରିଥିଲେ । ଖ୍ରୀଷ୍ଟୀୟ ୭ମ-୮ମ ଶତାବ୍ଦୀରେ ଉଡ୍ଡ଼ୀୟାନକୁ ମୁଖ୍ୟ ପୀଠ ରୂପେ ପ୍ରାଧାନ୍ୟ ଦିଆଯାଇଥିଲା । ଏହାର ଅନ୍ୟନାମ ମହାଲକ୍ଷ୍ମୀମୟ । ଏହି ମହାଲକ୍ଷ୍ମୀମୟକୁ ଅନେକେ ଶ୍ରୀକ୍ଷେତ୍ର ବୋଲି ବି ଅନୁମାନ କରନ୍ତି । ଏଠାରେ ବିମଳାଙ୍କୁ ଭୈରବ ରୂପୀ ଜଗନ୍ନାଥଙ୍କର ଉଚ୍ଚିଷ୍ଟ ସମର୍ପଣ କରାଯାଉଥିବାରୁ ଏହା ଉଚ୍ଚିଷ୍ଟପୀଠ ଓ ସତୀଙ୍କର ପାଦ ଏଠାରେ ପଡ଼ିଥିବାରୁ ପାଦପୀଠ ବି କୁହାଯାଉଛି । କେତେକ ଏହାକୁ ସପ୍ତାବରଣପୀଠ ବୋଲି ବି କହିଥାନ୍ତି । କାରଣ ଓଡ଼ିଶାର ଏହି ବିଶିଷ୍ଟ ପୀଠକୁ ଆବୃତ୍ତ କରି ଶ୍ରୀପୀଠ, ରାମପୀଠ, ଶକ୍ତିପୀଠ, ଆବରଣ ମାତୃକାପୀଠ, ଭୈରବପୀଠ, ରୁଦ୍ରପୀଠ ଓ ଭୈରବପୀଠ ନାମକ ୭ଟି ପୀଠ ରହିଛି । ପ୍ରତ୍ୟେକ ପୀଠର ରକ୍ଷା ନିମନ୍ତେ ଅଷ୍ଟଶକ୍ତି ଓ ଅଷ୍ଟରୁଦ୍ର ରହିବା ଆବଶ୍ୟକ । ଏହି ଦୃଷ୍ଟିଭଙ୍ଗୀରେ ବିଶ୍ଲେଷଣ କଲେ ଶ୍ରୀକ୍ଷେତ୍ରର ଅଷ୍ଟଶକ୍ତି ରୂପେ ବଟମୂଳ ଅଗ୍ନିକୋଣରେ ମଙ୍ଗଳା, ପଶ୍ଚିମରେ ବିମଳା, ବାୟୁକୋଣରେ ସର୍ବମଙ୍ଗଳା, ଉତ୍ତରରେ ଅର୍ଦ୍ଧଶୋଷିନୀ, ଈଶାନରେ ଆଲାମଚଣ୍ଡୀ, ଦକ୍ଷିଣରେ କାଳରାତ୍ରୀ, ପୂର୍ବରେ ମରୀଚିକା, ନୈରତରେ ଚଣ୍ଡରୂପା ବିରାଜିତ । ଶ୍ରୀକ୍ଷେତ୍ରସ୍ଥ ଅନ୍ତର୍ବେଦୀର ରକ୍ଷା ନିମନ୍ତେ ଏହି ଅଷ୍ଟଶକ୍ତିଙ୍କର ପରିକଳ୍ପନା କରାଯାଇଥିବା କଥା ମଧ୍ୟ ସ୍ୱୀକୃତ । କେବଳ ସେତିକି ନୁହେଁ, ଏହି ପୀଠର ଇଷ୍ଟ ଦେବୀ ବିମଳାଙ୍କୁ ଭୈରବୀ ରୂପେ ଓ ଜଗନ୍ନାଥଙ୍କୁ ଭୈରବ ରୂପେ ଗ୍ରହଣ କରାଯାଇଛି  କେତେକ ଶାସ୍ତ୍ରରେ । ଦୁର୍ଗାଙ୍କ ସହସ୍ରନାମରେ ଦୁର୍ଗାଙ୍କର ବିଭିନ୍ନ ନାମ ମଧ୍ୟରେ ବିମଳା ନାମଟି ଅନ୍ୟତମ । ଏପରିକି ବିମଳା ମନ୍ଦିର ଭିତରେ ଥିବା କେତେକ ଦେବୀ  ହେଲେ ଚିତ୍ରଦଶମହାବିଦ୍ୟା, ଭଗଦର୍ଶିନୀ, ଛାୟାମାୟା, କାଳୀ ଇତ୍ୟାଦି । ଶ୍ରୀକ୍ଷେତ୍ରର ଶ୍ରୀମନ୍ଦିର ଉତ୍ତର ଦିଗରେ (ମନ୍ଦିରର ବାହାର ବେଢ଼ାରେ) ଏକ ଦେବଶ୍ମଶାନ ରହିଛି, ଯେଉଁଠି ନବକଳେବର ସମୟରେ ପୁରାତନ ବିଗ୍ରହମାନଙ୍କୁ ସମାଧି ଦିଆଯାଏ ଓ ଏହି ସମାଧିସ୍ଥଳରେ ଯେଉଁ ଦେବୀ ଦିବ୍ୟମାନ ତାଙ୍କୁ ଶ୍ମଶାନ ଚଣ୍ଡୀ ବା ମଶାଣୀ ଚଣ୍ଡୀ ବୋଲି କୁହାଯାଏ । ବିମଳା ଠାକୁରାଣୀଙ୍କ ପାଖରେ ଆଶ୍ୱିନ ମାସ ମହାସପ୍ତମୀ, ମହାଷ୍ଟମୀ ଓ ମହାନବମୀରେ ମାଛ ରନ୍ଧା ହେବା ସଙ୍ଗେ ସଙ୍ଗେ ପଶୁବଳିର ବିଧାନ ବି ରହିଛି । ଏହି ନୈବେଦ୍ୟ  ପୁରୀର ଶାସନୀ-ରଥ ସାମନ୍ତ-ବ୍ରାହ୍ମଣ ଦ୍ୱାରା ଷୋଡ଼ଶ ଉପଚାରରେ ଉତ୍ସର୍ଗ କରାଯାଏ ।
ଖମ୍ବେଶ୍ୱରୀପୀଠ
ପଶ୍ଚିମ ଓଡ଼ିଶାର ଶକ୍ତିପୀଠଗୁଡ଼ିକ ମଧ୍ୟରେ ଖମ୍ବେଶ୍ୱରୀ ବା ସ୍ତମ୍ଭେଶ୍ୱରୀ ପୀଠ ସବୁଠାରୁ ପ୍ରାଚୀନ ପୀଠ ବୋଲି ଐତିହାସିକମାନେ ମତ ଦିଅନ୍ତି । ଖ୍ରୀଷ୍ଟୀୟ ପଞ୍ଚମ ଶତାବ୍ଦୀ ପର୍ଯ୍ୟନ୍ତ ଓଡ଼ିଶାର ଅନେକତ୍ର ସ୍ତମ୍ଭେଶ୍ୱରୀ ଦେବୀ ବିଶେଷ ପ୍ରତିଷ୍ଠା ଅର୍ଜନ କରିଥିବାର ଅନୁମିତ ହୁଏ । ତେଲ ନଦୀ ଅବବାହିକାରେ ଅବସ୍ଥିତ କଳାହାଣ୍ଡି ଜିଲ୍ଲାର ତେରସିଙ୍ଗା ଗ୍ରାମ ନିକଟସ୍ଥ "ଦେ ଭୋଗତା କ୍ଷେତ’୍ର ସେତେବେଳକୁ ଶକ୍ତିପୀଠଗୁଡ଼ିକ ମଧ୍ୟରୁ ବେଶ୍ ଗୁରୁତ୍ୱପୂର୍ଣ୍ଣ ପୀଠ ବୋଲି ଅବିହିତ ହୁଏ । ଦେବୀ ସ୍ତମ୍ଭେଶ୍ୱରୀ ଓଡ଼ିଶାର ଅନେକ ଜାଗାରେ ପୂଜିତ ହେଉଥିଲେ ହେଁ ଦକ୍ଷିଣ କୋଶଳ ବା ଆଧୂନିକ ପଶ୍ଚିମ ଓଡ଼ିଶାରେ ହିଁ ବିଶେଷ ଭାବରେ ଆଦୃତ କହିଲେ ଅତ୍ୟୁକ୍ତି ହେବନାହିଁ । ତୁମ୍ବାଳମାନଙ୍କର ରକ୍ଷାକର୍ତ୍ତା ଦେବୀ ହେଉଛନ୍ତି ସ୍ତମ୍ଭେଶ୍ୱରୀ । ମାତ୍ର ସୋନପୁରର ଦକ୍ଷିଣପୂର୍ବ ତଥା ନିକଟବର୍ତ୍ତୀ ବଉଦରେ ବାସ କରୁଥିବା କନ୍ଧମାନେ ସ୍ତମ୍ଭେଶ୍ୱରୀଙ୍କୁ ଆଦିବାସୀ ଦେବୀ ଭାବରେ ମାନିଥାଆନ୍ତି । ଉଭୟ ତୁମ୍ବାଳ ଓ କନ୍ଧମାନେ ଗ୍ରାମ ସୀମାରେ ସ୍ତମ୍ଭେଶ୍ୱରୀଙ୍କ ପ୍ରତୀକ ଭାବରେ ୨ଟି ଖମ୍ବ ପୋତିଥାଆନ୍ତି । ସେଇ ୨ଟି ଖମ୍ବ ଯଥାକ୍ରମେ ଖମ୍ବେଶ୍ୱରୀ ଓ ପରମେଶ୍ୱରୀଙ୍କ ପ୍ରତୀକ ବୋଲି କହିଥାନ୍ତି । ପରମେଶ୍ୱରୀଙ୍କ ପ୍ରତୀକ ଭାବେ "ରୋହିଣୀ’ ଗଛର ଖୁଣ୍ଟ ବ୍ୟବହାର କରାଯାଇଥାଏ ଓ ଦେବୀଙ୍କୁ ବ୍ରାହ୍ମଣ ପୂଜକ ସାତ୍ତ୍ୱିକ ରାତିରେ ପୂଜା କରିଥାଆନ୍ତି । ମାତ୍ର ଖମ୍ବେଶ୍ୱରୀଙ୍କୁ ତୁମ୍ବାଳମାନେ ନିଜେ ତାନ୍ତ୍ରିକ ରାତିରେ ପୂଜା କରିଥାଆନ୍ତି । ତୁମ୍ବାଳଙ୍କ ପାଇଁ ଇଷ୍ଟ ଦେବୀ ହେଲେ ମାହେଶ୍ୱରୀ । ମାହେଶ୍ୱରୀଙ୍କ ପ୍ରତୀକ ରୂପେ ମନ୍ଦିର ଭିତରେ ୨ ଖଣ୍ଡ ଶାଲ୍କା ବାଡ଼ି ବା ମହୁଲ କାଠ ସ୍ଥାପିତ ହୋଇଥାଏ । କାରଣ ମହୁଲ ଗଛ ହେଉଛି ତୁମ୍ବାଳମାନଙ୍କର ପବିତ୍ର ଗଛ । ଏମିତିକି କୌଣସି କାରଣରୁ କେହି ତୁମ୍ବାଳ ସମାଜର ବାସନ୍ଦ ହେଇଥିଲେ ଜାତିର ମୁଖ୍ୟ ମହାକୁର ଦ୍ୱାରା ଦେବୀଙ୍କ ପାଣିପ୍ରସାଦରେ ମହୁଲ ଗଛ ଜଳରେ ଜାତିରେ ମିଶିଥାଏ । ଆଉ ଦଶହରାରେ ତ ମାହେଶ୍ୱରୀଙ୍କ ପୂଜାବିଧି ମହୁଲ ଗଛ ତଳରୁ ଆରମ୍ଭ ହୋଇଥାଏ ଓ ସ୍ତମ୍ଭେଶ୍ୱରୀଙ୍କ "ବରୁଆ’ ସାଙ୍ଗରେ ଗ୍ରାମ ପରିକ୍ରମା କରିଥାନ୍ତି । ଭୋଗ ହସାବରେ ଦହି, ମହି, କ୍ଷୀର ଓ କ୍ଷୀରସା ଦେବୀଙ୍କ ପାଖରେ ଲାଗି ହୁଏ । କୁରୁଆଁ ଗ୍ରାମରେ ଦେବୀଙ୍କୁ ଉମା-ମାହେଶ୍ୱରୀ ନାମରେ ନାମିତ କରାଯାଇଛି ଓ ସେଠାରେ ଦେବୀଙ୍କ ଚତୁର୍ଭୂଜା ମୂର୍ତ୍ତୀ ଅଭୟମୁଦ୍ରାରେ ବିଦ୍ୟମାନ । ମୂର୍ତ୍ତୀ ଥାଇ ବି ସେଠି ଶାଲ୍କା କାଠର ୨ ଖଣ୍ଡ ଗମ୍ଭୀରାରେ ରଖାଯାଇଛି  ଯାହା ଅନ୍ୟକୌଣସି ମାହେଶ୍ୱରୀ ପୀଠରେ ଦେଖିବାକୁ ମିଳିବନି । ସ୍ତମ୍ଭେଶ୍ୱରୀ ଦେବୀଙ୍କ ପ୍ରତୀକ ସ୍ୱରୂପ ରୁହେନ୍ ବା ରୋହିଣୀ ଗଛର ନିର୍ବାଚନ ପ୍ରଣାଳୀ ତଥା ଗଛଟିକୁ କାଟି ମନ୍ଦିରକୁ ଆଣିବା ପ୍ରଣାଳୀ ସହିତ ଜଗନ୍ନାଥଙ୍କ ନବକଳେବର ସମୟର ଦାରୁ ନିରୂପଣ ପ୍ରଣାଳୀର ସାଦୃଶ୍ୟ ବିଶେଷ ଉଲ୍ଲେଖଯୋଗ୍ୟ ଓ କୌତୁହଳଉଦ୍ଦୀପକ । ସ୍ତମ୍ଭେଶ୍ୱରୀଙ୍କ ସମ୍ପର୍କରେ ଜର୍ମାନ ଗବେଷକ ଏଚ୍. କୁଲକେଙ୍କ କୁହନ୍ତି ଯେ, ପଞ୍ଚମ ଶତାବ୍ଦୀରୁ ସୁବିଦିତ ଥିଲେ ଏବଂ ଗବେଷକ ଏଣ୍ଟମେନ୍ କୁହନ୍ତି ଆସିକାର ସ୍ତମ୍ଭେଶ୍ୱରୀ ଓ ପୁରୀର ସୁଭଦ୍ରାଙ୍କ ସାଦୃଶ୍ୟ ପରିଲକ୍ଷିତ ହୁଏ ।