ଓଡିଆନ୍ ନ୍ୟୁଜ

159

ଗୃହ କମିଟି ଅଗରେ କ୍ଷମାମାଗିଲେ ଅଭିଜିତ ଆୟାର

Team Odian News |

ଗୃହ କମିଟି ଅଗରେ କ୍ଷମାମାଗିଲେ ଅଭିଜିତ ଆୟାର ଭୁବନେଶ୍ୱର,୨୩/୧୦(ଓଡ଼ିଆନ୍ ନ୍ୟୁଜ୍): ଓଡ଼ିଶା ବିଧାୟକଙ୍କ ପ୍ରତି ଅଭିଜିତ ଆୟାରଙ୍କ କଟୁ ମନ୍ତବ୍ୟ ପ୍ରସଙ୍ଗରେ ଆଜି ଅଭିଜିତଙ୍କୁ ୨ଟି ପର୍ଯ୍ୟାୟରେ ଗୃହ କମିଟିର ଜେରା କରିଛି। ଜେରା ସରିବା ପରେ ଅଧ୍ୟକ୍ଷ ନରସିଂହ ମିଶ୍ର ସୂଚନା ଦେଇଛନ୍ତି।ଜେରା ଅସମାପ୍ତ ଅଛି, ନଭେମ୍ବର ୨ରେ ପୁଣି ହାଜର ହେବେ ଅଭିଜିତ ଆୟାର । ଏହା ସହ ସତ୍ୟପାଠ ଜରିଆରେ ବିବୃତି ରଖିବାକୁ ଗୃହ କମିଟିର ତାଙ୍କୁ ନିର୍ଦେଶ ଦେଇଛନ୍ତି। ୨ୟ କାର୍ଯ୍ୟାନୁଷ୍ଠାନ ସମ୍ପର୍କରେ ଗୃହକୁ ରିପୋର୍ଟ ଦେବ ଗୃହ କମିଟି। ପ୍ରଥମ ପର୍ଯ୍ୟାୟ ଜେରା ପରେ ଅଭିଜିତଙ୍କ ବୟାନ ରେକର୍ଡ ହୋଇଥିଲା, କଟୁ ମନ୍ତବ୍ୟ ଦେବା ଭୁଲ ଓ ନିର୍ବୋଧତା ଥିଲା ବୋଲି କହିଥିଲେ ଅଭିଜିତ। କମିଟି ଅଧ୍ୟକ୍ଷ ନରସିଂହ ମିଶ୍ର ଓ ଅନ୍ୟ ୫ ଜଣ ସଦସ୍ୟଙ୍କ ଦୀର୍ଘ ଜେରାର ସେ ସମ୍ମୁଖୀନ ହୋଇଥିଲେ । ପ୍ରଥମ ପର୍ଯ୍ୟାୟ ଜେରା ପ୍ରାୟ ଅଢ଼େଇ ଘଣ୍ଟା ଧରି ଚାଲିଥିଲା । ତମେ କ’ଣ କର? ଓଡ଼ିଶାକୁ କାହିଁକି ଆସିଥିଲ? କୋଣାର୍କ ମନ୍ଦିର ଉପରେ କିଭଳି ଅରୁଚିକର ମନ୍ତବ୍ୟ ଦେଇପାରିଲ? ବିଧାୟକମାନଙ୍କୁ ବୁଦ୍ଦୁ କହିବାକୁ କିଭଳି ସାହାସ କଲ? ଏମିତି ଅନେକ ପ୍ରଶ୍ନ ପଚରାଯାଇଥିଲା ତାଙ୍କୁ । ପ୍ରଶ୍ନର ଉତ୍ତର ଦେବା ସହ ତାଙ୍କୁ ନେଇ ଯାହା ଯାହା ଚର୍ଚ୍ଚା ହୋଇଛି ତାହା ବିଲକୁଲ୍ ସତ ବୋଲି ମାନି ନେଇଥିଲେ ଅଭିଜିତ୍ । କହିଥିଲେ, କୋଣାର୍କ ମନ୍ଦିର ହେଉ କି ଓଡ଼ିଶାର ବିଧାୟକମାନଙ୍କ ଉପରେ ଅରୁଚିକର ଟିପ୍ପଣୀ ଦେବା ମୋର ମସ୍ତବଡ଼ ଭୁଲ୍ । ମୁଁ ନିଜେ ବଡ଼ ବୁଦ୍ଦୁ ବୋଲି ଅଭିଜିତ୍ କହିଥିଲେ । ତାଙ୍କର ଭୁଲ୍ ପାଇଁ କ୍ଷମା ପ୍ରାର୍ଥନା କରିଥିଲେ। ଅଭିଜିତ୍ ଙ୍କୁ ଦିନ ୧୧ଟା ବେଳେ କକ୍ଷ ୫୪ରେ ଗୃହ କମିଟି ଆଗରେ ହାଜର ହେବାକୁ ସମନ୍ ଜାରି ହୋଇଥିଲା । ତେବେ ଅଭିଜିତ୍ ଆଜି ସକାଳୁ ଦିଲ୍ଲୀରୁ ଆସି ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ ସେଠାରେ ତାଙ୍କର ସୁରକ୍ଷା ପାଇଁ ବ୍ୟାପକ ପୁଲିସ ମୁତୟନ କରାଯାଇଥିଲା । ପୁଲିସ କର୍ଡନ ଭିତରେ ଅଭିଜିତ୍ ଙ୍କୁ ବିଧାନସଭାର ୫୪ ନମ୍ବର ପ୍ରକୋଷ୍ଠକୁ ଅଣାଯାଇଥିଲା । ନିର୍ଦ୍ଧାରିତ ସମୟ ୧୧ଟା ବେଳେ ଗୃହ କମିଟି ଅଧ୍ୟକ୍ଷ ନରସିଂହ ମିଶ୍ର ଓ ଅନ୍ୟ ୫ ସଦସ୍ୟ କନକ ବର୍ଦ୍ଧନ ସିଂହଦେଓ, ଦେବୀପ୍ରସାଦ ମିଶ୍ର, ପ୍ରମିଳା ମଲ୍ଲିକ, ଅରୁଣ ସାହୁ ଓ ସଞ୍ଜୟ ଦାସବର୍ମା ପହଁଚି ଥିଲେ ।ପ୍ରାୟ ୨ ଟା ବେଳେ ଜେରା ଶେଷ ହୋଇଥିଲା ।