ଓଡିଆନ୍ ନ୍ୟୁଜ

202

ସରୋଜିନୀଙ୍କ ବଦାନ୍ୟତା

Team Odian News |

ସରୋଜିନୀଙ୍କ ବଦାନ୍ୟତା 

 

କେନ୍ଦ୍ରାପଡ଼ା ,୨୪/୧୦(ଓଡ଼ିଆନ୍ ନ୍ୟୁଜ୍): “ସ୍ୱାମୀ ମୃତ୍ୟୁ ପରେ  ଧରମ ପୁଅ ଧୋକା ଦେଲା। ଭିକ ମାଗି ପେଟ ପୋଷୁଥିଲି। ଯାହା ଟଙ୍କା ପଇସା ମିଳୁଥିଲା ସେତିକିରେ ଚଳୁଥିଲି ଏବଂ ଆଉ କିଛି ସଞ୍ଚୟ କରି ରଖୁଥିଲି। ସଞ୍ଚୟ କରିଥିବା ଟଙ୍କାକୁ ଜଗନ୍ନାଥଙ୍କୁ ଦାନ କରିଦେଇଛି”, କୋହଭରା କଣ୍ଠରେ ଏହା କହିଛନ୍ତି କେନ୍ଦ୍ରାପଡ଼ାର ସରୋଜିନୀ ଦାଶ। କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ବ୍ଲକ ଜାଗୁଳାଇପଡ଼ା ଗାଁର ଜଣେ ମହିଳାଙ୍କର କରୁଣ କାହାଣୀ। ବଞ୍ଚିବା ପାଇଁ ବୟସର ଅପରାହ୍‌ଣରେ ଭିକ୍ଷାବୃତ୍ତିକୁ ଆପଣାଇ ନେଇଥିବା ସରୋଜିନୀ ଅର୍ଜିତ ଧନକୁ ଜଗନ୍ନାଥଙ୍କ ମନ୍ଦିର ମରାମତି ପାଇଁ ଦାନକରି ଜଗନ୍ନାଥଙ୍କ ପାଖରେ ନିଜକୁ ସମର୍ପଣ କରିଦେଇଛନ୍ତି। କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ବ୍ଲକ ଜାଗୁଳାଇପଡ଼ା ଗାଁର ସରୋଜିନୀ ଦାଶ। ବିବାହ କରିଥିଲେ ଜାଗୁଳାଇପଡ଼ା ଗାଁର ଶ୍ରୀଧର ଦାଶଙ୍କୁ। ସେହି ଗାଁର ପରମେଶ୍ୱର ଦାଶଙ୍କର କୌଣସି ପୂତ୍ର ସନ୍ତାନ ନଥିବାରୁ ଶ୍ରୀଧରଙ୍କୁ ପୁଅକରି ଆଣି ଘରେ ରଖିଥିଲେ। ଅସମୟରେ ପରମେଶ୍ୱରଙ୍କ ଦେହାନ୍ତ ପରେ ପରମେଶ୍ୱରଙ୍କ ବାପା ତାଙ୍କର ସମସ୍ତ ଜମିବାଡ଼ି ଅନ୍ୟକୁ ବିକ୍ରୟ କରିଦେବାରୁ ଶ୍ରୀଧର ଭାଗ୍ୟକୁ ଆଦରି ପରମେଶ୍ୱରଙ୍କ ଡିହରେ ଏକ କୁଡ଼ିଆ ଘର କରି ରହୁଥିଲେ। ହେଲେ ଶ୍ରୀଧର ବି ମଧ୍ୟ ନିସନ୍ତାନ ହୋଇ ଅସମୟରେ ଆଖିବୁଝିଲେ। ରୋଜଗାର ନଥିବାରୁ ସରୋଜିନୀ ଭିକ୍ଷା ବୃତ୍ତି କରିବାକୁ ବାଧ୍ୟ ହେଲେ। ବାର ଦୁଆରେ ଠିଆ ହୋଇ ନିଜର ପେଟ ପୋଷିବା ସରୋଜିନୀଙ୍କ ପାଇଁ ଅସହ୍ୟ ହୋଇ ପଡ଼ିଲା। ନିଜର କୁଡ଼ିଆ ଘର ଖଣ୍ଡିକୁ ଛପର କରିପାରିଲେନି ସେ। ବର୍ଷାରେ ଘରର କାନ୍ଥ ପଡ଼ିଗଲା। ପବନରେ ଛପର ବି ଉଡ଼ିଗଲା। ବାସହରା ହୋଇଗଲେ ସରୋଜିନୀ।

ମୁଣ୍ଡ ଗୁଞ୍ଜିବାକୁ ୟା ଘର ତାଘର ହେଉ ହେଉ ନିଜର ବୋଲି ଯେଉଁ ଘର ଡିହ ଖଣ୍ଡିକ ଥିଲା ତାକୁ ସ୍ୱାମୀଙ୍କ ଭାଇମାନେ  ଦଖଲ କରିନେଲେ।  ଅସହାୟ ସରୋଜିନୀଙ୍କ ପାଇଁ ବଞ୍ଚିବାର ସାହାରା ଯୋଗାଡ଼ କରୁକରୁ ଗାଁର ଜଣେ ଯୁବକ ତାଙ୍କୁ ବଞ୍ଚିବାର ରାହା ଦେବାକୁ କଥା ଦେଲେ। ନିଜେ ସନ୍ତାନ ଜନ୍ମ କରି ନଥିଲେ ମଧ୍ୟ ସରୋଜିନୀ ଏହି ଯୁବକ ଜଣଙ୍କୁ ପୁଅ ପରି ବିଶ୍ୱାସ କରିବାକୁ ବାଧ୍ୟ ହେଲେ। ହେଲେ ବିଶ୍ୱାସରେ ବିଷ ଭରି ଦେଲା ଧରମ ପୁଅ। ଭିକ ମାଗି ଯାହା ସଞ୍ଚୟ କରିଥିଲେ ବ୍ୟଙ୍କରୁ ତାକୁ ସବୁ ଉଠାଇନେଇ ସରୋଜିନୀଙ୍କୁ ତଡ଼ିଦେଲେ। କୂଳ କିନ୍ନରା ପାଉ ନଥିବା ସରୋଜିନୀ ଭବସାଗରର ପତ୍ରଟିଏ ପରି ଭାସିବାକୁ ଲାଗିଲେ। ଜାଗୁଳାଇପଡ଼ା ଗ୍ରାମପଞ୍ଚାୟତର ସରପଞ୍ଚ ଓ ସ୍ଥାନୀୟ ଯୁବକମାନେ ସରୋଜିନୀଙ୍କ ଦୁଃଖ ଦେଖି ନପାରି ସରୋଜିନୀଙ୍କୁ ପଞ୍ଚାୟତର ଏକ ବଖରା ଘରେ ମୁଣ୍ଡ ଗୁଞ୍ଜିବାକୁ ସାହାରା ଦେଇଛନ୍ତି।
ଏତେ ଦୁଃଖରେ ଥାଇ ମଧ୍ୟ ସରୋଜିନୀ ଭାଙ୍ଗି ପଡ଼ି ନଥିଲେ। ପ୍ରତିଦିନ ସେ ଭିକ୍ଷା କରିବାକୁ ଏ ଗାଁ ସେ ଗାଁ ବୁଲନ୍ତି। ପ୍ରତିଦିନ ଭିକ୍ଷା ଟଙ୍କାରେ ଚଳନ୍ତି ଏବଂ ଯାହା ଦିପଇସା ବଞ୍ଚିଥାଏ ତାକୁ ଜଣେ ବ୍ୟବସାୟୀଙ୍କ ନିକଟରେ ସଞ୍ଚୟ କରିଥାନ୍ତି। ସରକାର ସରୋଜିନୀଙ୍କ ପାଇଁ ମାସକୁ ୩୦୦ ଟଙ୍କାର ବାର୍ଦ୍ଧକ୍ୟ ଭତ୍ତା ଓ ୫ କିଲୋ ଚାଉଳ ମଧ୍ୟ ଦେଉଛନ୍ତି। ବିକ୍ଷାବୃତ୍ତିରୁ ମିଳୁଥିବା ଅର୍ଥ ଓ ବାର୍ଦ୍ଧକ୍ୟ ଭତ୍ତା ଟଙ୍କାକୁ ମିଶାଇ ସରୋଜିନୀଙ୍କ ଖାତାରେ ପ୍ରାୟ ୫୦ ହଜାର ଟଙ୍କା ଜମା ହୋଇଯାଇଥିଲା। ଦିନେ ଏମିତି ସରୋଜିନୀ ଘରେ ବସି ଭାବୁ ଭାବୁ ତାଙ୍କ ଶେଷ ଜୀବନର ଅନ୍ଧାରୀ ଦିଗ କଥା ମନକୁ ଆନ୍ଦୋଳିତ କଲା। ସାରା ଜୀବନ ଭଲରେ ବଞ୍ଚାଇବାକୁ ଯାହାର ହାତ ଧରିଥିଲେ ସେ ତାଙ୍କୁ ଅଧା ବାଟରେ ଛାଡ଼ି ଚାଲିଗଲେ ଆରପାରିକୁ। ବାକି ଜୀବନ ଜୀଇଁବାକୁ ଯାହାକୁ ବିଶ୍ୱାସ କରିଥିଲେ ସେ ବିଶ୍ୱାସରେ ବିଷ ଢାଳିଦେଇ ସବୁ ଲୁଟି ନେଲା। ଧୋକାବାଜ ସମାଜକୁ ଆଉ ବିଶ୍ୱାସ କରି ପାରିଲେନି ସରୋଜିନୀ। ତାଙ୍କ ଆଖି ଆଗରେ ପ୍ରଭୁ ଜଗନାଥଙ୍କ ପ୍ରତିଛବି ନାଚିବାକୁ ଲାଗିଲା। “ମୋର ତ ସଂସାରରେ ଆଉ କେହି ବି ନାହାନ୍ତି। ମୋ’ ଘର ଛପର ନହୋଇପାରି ଭାଙ୍ଗିଗଲା। ହେଲେ ଜଗତର ରଜା ପୁରୀର ବଡଠାକୁରଙ୍କର ମନ୍ଦିରରେ ଯେଉଁ ଫାଟ ହେଉଛି ସେ ମନ୍ଦିର କେବେ ଭାଙ୍ଗି ନଯାଉ”- ଏମିତି ଚିନ୍ତା ମନକୁ ଆଣିଥିଲେ ସରୋଜିନୀ। ଭିକ ମାଗି ଯେଉଁ ଟଙ୍କା ସଞ୍ଚୟ କରିଥିଲେ ତାକୁ ଜଗନ୍ନାଥ ମନ୍ଦିର ମରାମତିରେ ଲଗାଇବାକୁ ଚିନ୍ତା କଲେ। ପରେ ତାଙ୍କ ଗାଁର ନମିତା ବିଶ୍ୱାଳ ନାମକ ଜଣେ ଯୁବତୀଙ୍କୁ ସାଥିରେ ଧରି ଗତ ୨୧ ତାରିଖରେ ସରୋଜିନୀ ପହଞ୍ଚିଥିଲେ ବଡ଼ ଦାଣ୍ଡରେ। ସାଙ୍ଗରେ ନେଇଥିଲେ ସଞ୍ଚିତ ୫୦ ହଜାର ଟଙ୍କା। ଜଗନ୍ନାଥଙ୍କ ମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ପହଞ୍ଚି ସେହି  ଟଙ୍କାକୁ ଜମାକରି ଦେଇଥିଲେ ।