ଓଡିଆନ୍ ନ୍ୟୁଜ

156

କାଲିଠାରୁ ଜେଲ୍‌ରେ ଖୋଲିବ କ୍ୟାମ୍ପକୋର୍ଟ

Team Odian News |

କାଲିଠାରୁ ଜେଲ୍‌ରେ ଖୋଲିବ କ୍ୟାମ୍ପକୋର୍ଟ କଟକ,୨୯/୧୦(ଓଡ଼ିଆନ୍ ନ୍ୟୁଜ୍): ହାଇକୋର୍ଟ ଓକିଲ ସଂଘର ହାତ ଛାଡ଼ିଦେଇଛି ବିଜେଡି ଆଇନଜୀବୀ ସାମ୍ମୁଖ୍ୟ।ଗତକାଲି ଭଳି ଆଜି ହାଇକୋର୍ଟ ପରିସରରେ ଆଇନ୍‌ଜୀବୀଙ୍କ ହୋହଲ୍ଲା, ନାରାବାଜି, ବିକ୍ଷୋଭ ଓ ପୋଡ଼ାଜଳା ଦେଖିବାକୁ ମିଳିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ବିଜେଡି ଆଇନଜୀବୀ ସାମ୍ମୁଖ୍ୟ ବିରୋଧରେ ସ୍ୱର ଉତ୍ତୋଳନ କରିଛନ୍ତି ହାଇକୋର୍ଟ ବାର୍ ଆସୋସିଏସନ୍ ସଦସ୍ୟମାନେ। ଆନ୍ଦୋଳନକୁ ଭଣ୍ଡୁର କରିବା ପାଇଁ ବିଜେଡି ଆଇନଜୀବୀ ସାମ୍ମୁଖ୍ୟ ଓହରି ଯାଇଥିବା ଅଭିଯୋଗ କରାଯାଇଥିବା ବେଳେ ଷ୍ଟେଟ୍ ବାର୍ କାଉନସିଲ୍ ବୈଠକରେ ଆଇନ୍‌ଜୀବୀଙ୍କ ଦାବି ପୂରଣ କ୍ଷେତ୍ରରେ ରାଜ୍ୟ ସରକାର ପଦକ୍ଷେପ ନିଅନ୍ତୁ ବୋଲି ଦାବି କରାଯାଇଛି। ସେପଟେ ବିଜେଡି ଆଇନଜୀବୀ ସାମ୍ମୁଖ୍ୟ କହିଛି, ୨ ମାସ ଧରି ଜାରି ରହିଥିବା ଆନ୍ଦୋଳନ ପଥଭ୍ରଷ୍ଟ ହୋଇଛି। ଆଇନ୍‌ଜୀବୀଙ୍କୁ ପୁଲିସର ମାଡ଼ ଘଟଣାର ତଦନ୍ତ ଜାରି ରହିଥିବାବେଳେ ଆନ୍ଦୋଳନକୁ ତୀବ୍ର କରିବା ଯଥାର୍ଥତା ନାହିଁ। ତେଣୁ ଆସନ୍ତାକାଲିଠାରୁ ବିଜେଡି ଆଇନଜୀବୀ ସାମ୍ମୁଖ୍ୟ କାର୍ଯ୍ୟରେ ଯୋଗଦେବ ବୋଲି ସୂଚନା ଦେଇଛି। ଅନ୍ୟ ପକ୍ଷରେ ହାଇକୋର୍ଟଙ୍କ ନିର୍ଦ୍ଦେଶ ମୁତାବକ ଆସନ୍ତାକାଲିଠାରୁ ରାଜ୍ୟ ବିଭିନ୍ନ ଜେଲ୍ ଗୁଡ଼ିକରେ ଖୋଲିବ କ୍ୟାମ୍ପକୋର୍ଟ। ଏଥିରେ ଛୋଟମୋଟ ମାମଲାରେ ବନ୍ଦୀଥିବା ଲୋକଙ୍କୁ ସର୍ତ୍ତମୂଳକ ଜାମିନ ପ୍ରଦାନ କରାଯିବ। ଏଥିପାଇଁ ଜେଲ୍ ଗୁଡ଼ିକର କର୍ତ୍ତୃପକ୍ଷ ଆନୁସଙ୍ଗିକ ସୁବିଧା ପ୍ରଦାନ କରିବେ। ଆଇନ୍‌ଜୀବୀଙ୍କ ଆନ୍ଦୋଳନ ଯୋଗୁ ଉପୁଜିଥିବା ଅଭାବନୀୟ ପରିସ୍ଥିତିକୁ ଦେଖି ଗତକାଲି ହାଇକୋର୍ଟ ସମସ୍ତ ଜିଲ୍ଲା ଓ ଦୌରାଜଜ୍‌ଙ୍କୁ କ୍ୟାମ୍ପକୋର୍ଟ କରିବାକୁ ନିର୍ଦ୍ଦେଶ ଦେଇଥିଲେ। କୋର୍ଟ କାର୍ଯ୍ୟ ଦିବସର ସମୟ ଅନୁଯାୟୀ କ୍ୟାମ୍ପକୋର୍ଟ କରିବାକୁ ନିର୍ଦ୍ଦେଶ ଦେଇଥିଲେ ହାଇକୋର୍ଟ। ଆଉ ନିର୍ଦ୍ଦେଶ ମୁତାବକ ଜେଲ୍ ପରିସରରେ ସମସ୍ତ ପ୍ରସ୍ତୁତି କରାଯାଇଥିବା ଜେଲ୍ କର୍ତ୍ତୃପକ୍ଷ କହିଛନ୍ତି।